Header Ads

Header ADS

‘ମୋ ଖତ’ କିଓସ୍କୋ ଉଦ୍‌ଘାଟିତ : ଡମ୍ପିଂୟାର୍ଡ ସମସ୍ୟାର ସମାଧାନ କରିବ


ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଜୈବିକ ସାର ‘ମୋ ଖତ’ ବିକ୍ରୟ ନିମନ୍ତେ କିଓସ୍କ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବର୍ତ୍ତମାନ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମ୍‌ସିସି)ଗୁଡ଼ିକରୁ ବାହାରୁ ଥିବା ଜୈବିକ ଖତ ବଜାରରେ ଉପଲବ୍ଧ ହେବ। ଏହାଦ୍ୱାରା ବିଏମ୍‌ସିରେ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହେବ। ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ ଅନ୍ୟ ସହରାଞ୍ଚଳରେ ଆରମ୍ଭ ହେବ। ‘ମୋ ଖତ’ ନାମରେ ଏହି ଖତ ପ୍ରସ୍ତୁତିରେ ଭୁବନେଶ୍ୱର ଲୋକଙ୍କର ଯଥେଷ୍ଟ ଯୋଗଦାନ ରହିଛି। ନିୟମିତ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ପୃଥକ୍‌ ପୃଥକ୍‌ ଭାବେ ବିଏମ୍‌ସିର ସଫେଇ କର୍ମଚାରୀଙ୍କୁ ଦେଇ ବର୍ଜ୍ୟର ବିଜ୍ଞାନସମ୍ମତ ପରିଚାଳନାକୁ ପ୍ରମାଣିତ କରିବାରେ ସେମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ପରିମଳ ବ୍ୟବସ୍ଥାକୁ ଉନ୍ନତରୁ ଉନ୍ନତତ୍ତର କରି ଭୁବନେଶ୍ୱରକୁ ଏକ ସ୍ୱଚ୍ଛ ସହର ଭାବେ ପ୍ରତିଷ୍ଠିତ କରିବାରେ ନାଗରିକମାନଙ୍କର ସହଯୋଗକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ।

‘ମୋ ଖତ’ ଜୈବିକ ସାର ୫ କିଲୋ ପ୍ୟାକେଟ୍‌କୁ ୧୨୫ଟଙ୍କାରେ ବିକ୍ରୟ କରାଯିବ। ବିକ୍ରୟ କେନ୍ଦ୍ର ଏସ୍‌ଏଚ୍‌ଜି ଦାୟିତ୍ୱରେ ରହିବ। କ୍ରମାଗତ ଭାବେ ବିଭିନ୍ନ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସାର ଯୋଗାଇ ଦିଆଯିବ। ଏଥିରୁ ପ୍ରାପ୍ତ ଅର୍ଥ ଏମ୍‌ସିସିକୁ ସ୍ୱୟଂଚାଳିତ କରିବାରେ ବିନିଯୋଗ ହେବ। ଏହି ବିକ୍ରୟ କେନ୍ଦ୍ର ଦିନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ବିଏମ୍‌ସିର କର୍ମକର୍ତ୍ତାମାନେ ପରିଚାଳନାଗତ ଆବଶ୍ୟକ ସହଯୋଗ କରିବେ ଓ ସ୍ଥିରୀକୃତ ନିୟମ ଅନୁସାରେ, ଏହି ବିକ୍ରୟ କେନ୍ଦ୍ରର ନଥି ତଦାରଖ କରାଯିବ। ବର୍ଜ୍ୟବସ୍ତୁର ବିଜ୍ଞାନସମ୍ମତ ପରିଚାଳନା ନିମନ୍ତେ ୪୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି) ଓ ୧୧ଟି ମାଟେରିଆଲ୍‌ ରିକ୍‌ଭରି ଫ୍ୟାସିଲିଟି ସେଣ୍ଟର ରହିଛି। ଏଥିରେ ସ୍ଥାନୀୟ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ଚୟନ ହୋଇଥିବା ସଦସ୍ୟାମାନେ ସ୍ୱଚ୍ଛସାଥୀ ଭାବେ କାର୍ଯ୍ୟ କରୁଛନ୍ତି। ସ୍ବେଚ୍ଛାସେବୀ ସଙ୍ଗଠନରୁ ୬୭ଜଣ ସ୍ବେଚ୍ଛାସେବୀ ଏହାର ପରିଚାଳନାରେ ମଧ୍ୟ ସହଯୋଗ କରୁଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌, ମ୍ୟୁନିସିପାଲ୍‌ ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀ ପ୍ରମୁଖ ଉପସ୍ଥିତ ଥିଲେ।

The post ‘ମୋ ଖତ’ କିଓସ୍କୋ ଉଦ୍‌ଘାଟିତ : ଡମ୍ପିଂୟାର୍ଡ ସମସ୍ୟାର ସମାଧାନ କରିବ first appeared on Sambad.


No comments

Powered by Blogger.