Header Ads

Header ADS

ୟୁନିଟ୍‌-୧ ହାଟରେ ଦୈନିକ ଫି’ ଆଦାୟରେ ପାତରଅନ୍ତର : ବିଏମ୍‌ସି କମିସନରଙ୍କ ନିକଟରେ ଅଭିଯୋଗ କଲେ ବ୍ୟବସାୟୀ


ଭୁବନେଶ୍ବର : ୟୁନିଟ୍‌-୧ ହାଟରେ ବ୍ୟବସାୟୀମାନଙ୍କଠାରୁ ଦୈନିକ ଫି’ ଆଦାୟରେ ପାତରଅନ୍ତର କରାଯାଉଥିବା ନେଇ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ବ୍ୟବସାୟୀମାନେ ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି, ୟୁନିଟ୍‌-୧ ହାଟରେ ୩୮୭ଜଣ ବ୍ୟବସାୟୀ ଥିବା ବେଳେ ୨୦୦ଜଣ ବିଏମ୍‌ସିର ନିୟମ ଅନୁଯାୟୀ ଦୈନିକ ୧୦ଟଙ୍କା ଲେଖାଏ ଫି’ ଦେଉଛନ୍ତି। ପୂର୍ବରୁ ଏହି ବ୍ୟବସାୟୀମାନେ ଦିନକୁ ୧ ଟଙ୍କା ଦେଉଥିବା ବେଳେ ଏହାକୁ ବିଏମ୍‌ସି ୩ଟଙ୍କା, ୫ଟଙ୍କା ଓ ୧୦ଟଙ୍କାକୁ ବଢ଼ାଇଥିଲା। ଏହି ୨୦୦ଜଣ ବ୍ୟବସାୟୀ ବିଏମ୍‌ସିର ବର୍ଦ୍ଧିତ ଫି’ ଅନୁଯାୟୀ ଟଙ୍କା ଦେଉଥିଲେ। କିନ୍ତୁ ୧୮୭ଜଣ ବ୍ୟବସାୟୀ ବିଏମ୍‌ସିର ବର୍ଦ୍ଧିତ ଫି’କୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ବ୍ୟବସାୟୀମାନେ ଦାବି କରିଥିଲେ ଯେ ସେମାନଙ୍କଠାରୁ ବିଏମ୍‌ସି ଦିନକୁ ୩ଟଙ୍କା ଫି’ ନେଉ। ହେଲେ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେନି ବୋଲି କହିଥିଲେ। ନଭେମ୍ବର ୧୮, ୨୦୨୦ରେ ହାଇକୋର୍ଟ ଏହି ରାୟ ଦେବା ପରେ ନଭେମ୍ବର ୨୪ରୁ ବିଏମ୍‌ସି ଏହି ୧୮୭ଜଣ ବ୍ୟବସାୟୀଙ୍କଠାରୁ ୧୦ଟଙ୍କା ଲେଖାଏଁ ଦୈନିକ ଫି’ ଆଦାୟ କରୁଛି। ହେଲେ ଏହାକୁ ନେଇ ବାକି ୨୦୦ଜଣ ବ୍ୟବସାୟୀ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ, ଆମେ ବିଏମ୍‌ସିର ବର୍ଦ୍ଧିତ ଫି’ ଅନୁଯାୟୀ ଟଙ୍କା ଦେଇଛୁ। ହାଇକୋର୍ଟ ବିଏମ୍‌ସିର ବର୍ଦ୍ଧିତ ଫି’ ନିର୍ଦ୍ଦେଶକୁ ଖାରଜ କରିନାହାନ୍ତି। ତେଣୁ ୧୮୭ଜଣ ବ୍ୟବସାୟୀଙ୍କଠାରୁ ବକେୟା ଫି’ ଆଦାୟ କରାଯାଉ। ଆମେ ଯେତେଦିନ ୩ଟଙ୍କା, ୫ଟଙ୍କା ଓ ୧୦ଟଙ୍କା ହିସାବରେ ଦୈନିକ ଫି’ ଦେଇଛୁ, ଏବେ ସେତିକି ଫି’ ବାକି ୧୮୭ ବ୍ୟବସାୟୀଙ୍କଠାରୁ ଆଦାୟ କରାଯାଉ। ନଚେତ୍‌ ଆମକୁ ଆମ ଟଙ୍କା ଫେରାଇ ଦିଆଯାଉ।

ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ବିଏମ୍‌ସିର ନିୟମ ଅନୁଯାୟୀ ଫି’ ଆଦାୟ ହେବ। ମାର୍କେଟ୍‌ ସୁପରଭାଇଜର୍‌ କାହିଁକି ବ୍ୟବସାୟୀଙ୍କଠାରୁ ବକେୟା ଫି’ ଆଦାୟ କରିନାହାନ୍ତି, ସେନେଇ ତଦନ୍ତ ହେବ। ସମସ୍ତେ ବକେୟା ଫି’ ଦେବାକୁ ହେବ। ନଚେତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

The post ୟୁନିଟ୍‌-୧ ହାଟରେ ଦୈନିକ ଫି’ ଆଦାୟରେ ପାତରଅନ୍ତର : ବିଏମ୍‌ସି କମିସନରଙ୍କ ନିକଟରେ ଅଭିଯୋଗ କଲେ ବ୍ୟବସାୟୀ first appeared on Sambad.


No comments

Powered by Blogger.