Header Ads

Header ADS

ନୟାଗଡ଼ ଚିନିକଳର ବହୁ ଯନ୍ତ୍ରାଂଶ ଚୋରି


ଜିଲ୍ଲା ପ୍ରଶାସନ ସିଲ୍‌ କରି ଚୋରଙ୍କ ହାତକୁ ଟେକିଦେଲା
ମୂଲ୍ୟବାନ ଯନ୍ତ୍ରାଂଶ କାଟି କବାଡ଼ିଆକୁ ବିକ୍ରି କରିଦେଲେ

ନୟାଗଡ଼ : ସୁଚିନ୍ତିତ ଉପାୟରେ ଚକ୍ରାନ୍ତ କରି ନୟାଗଡ଼ ସମବାୟ ଚିନିକଳକୁ ବୁଡ଼ାଇଦେଲେ। ଚିନିକଳରୁ ବାରମ୍ବାର ଚୋରି ନେଇ ଗଣମାଧ୍ୟମରେ ଖବର ପ୍ରକାଶନ, ଚିନିକଳ କ୍ରିୟାନୁଷ୍ଠାନ କମିଟିର ପ୍ରତିବାଦ ପରେ ଗତ ବର୍ଷ ମାର୍ଚ୍ଚ ୧୩ରେ ଜିଲ୍ଲା ପ୍ରଶାସନ ଚିନିକଳର ସମ୍ପତ୍ତି ଆକଳନ କରିଥି‌ଲେ। ଯନ୍ତ୍ରପାତି, ଅନ୍ୟାନ୍ୟ ଜିନିଷର ତାଲିକା ପ୍ରସ୍ତୁତ କରାଯାଇ ଏହାକୁ ସିଲ୍‌ କରାଯାଇଥିଲା। କିନ୍ତୁ ଏଠାରେ ସିକ୍ୟୁରିଟି ବ୍ୟବସ୍ଥା କରାଗଲା ନା‌ହିଁ। ଫଳରେ, ଚିନିକଳର ବହୁ ଯନ୍ତ୍ରପାତି ଚୋରି ହୋଇଯାଇଛି।

ଚିନିକଳର ପରିଚାଳନା ଦାୟିତ୍ବ ନେଇଥିବା ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଚିନିକଳ ବନ୍ଦ ହେବା ପରେ ମଧ୍ୟ ଏଠ‌ାରେ ସୁରକ୍ଷା କର୍ମଚାରୀ ରଖିଥିଲେ। ଜିଲ୍ଲା ପ୍ରଶାସନ ସମ୍ପତ୍ତି ଆକଳନ କରି ଏହା ସିଲ୍‌ କରିବା ପରେ, ଶ୍ରୀ ମିଶ୍ର ସୁରକ୍ଷା ବ୍ୟବସ୍ଥା ହଟାଇ ଦେଇଥିଲେ। ଜିଲ୍ଲା ପ୍ରଶାସନ ସିଲ୍‌ କରି ନିଜର ପାରିଲାପଣିଆ ଦେଖାଇଲା। କିନ୍ତୁ ସୁରକ୍ଷା ବ୍ୟବସ୍ଥା କଥା ଚିନ୍ତା କଲା ନାହିଁ। ଫଳରେ ପ୍ରାୟ ବର୍ଷକ ମଧ୍ୟ‌ରେ ଚିନିକଳରୁ ସିଂହଭାଗ ଯନ୍ତ୍ରାଂଶ ଚୋରି ହୋଇସାରିଛି।

ଅଭିଯୋଗ ହେଉଛି ଯେ, ପରୋକ୍ଷରେ ଚିନିକଳ ସିଲ୍‌ କରି ଜିଲ୍ଲା ପ୍ରଶାସନ ଚୋରଙ୍କୁ ହାତକୁ ଟେକି ଦେଇଛି। କୋଟି କୋଟି ଟଙ୍କା ମୂଲ୍ୟର ଟର୍ବ‌ାଇନ୍‌ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯନ୍ତ୍ରପାତିକୁ କାଟି ଗାଏବ କରିଦିଆଯାଇଛି। ଜିଲ୍ଲା ପ୍ରଶାସନ ଜଉମୁଦ ଦେଇ ସିଲ୍‌ କରିଥିବା କାରଖାନରୁ ନିତି ଚୋରି ଚାଲିଛି, ଜିଲ୍ଲାପାଳଙ୍କ ଜଉମୁଦ ଦିଆ ତାଲାକୁ ଚୋର ଚୁଟ୍‌କିରେ ଉଡ଼ାଇ ଦେଇଛନ୍ତି। ଏସବୁ ଖବର ଜିଲ୍ଲାପାଳ ଡ. ପୋମା ଟୁଡ଼ୁଙ୍କ ପାଖରେ ଅଛି ନା ନାହିଁ ବୋଲି ଆଖୁଚାଷୀ ପ୍ରଶ୍ନ କରିଛନ୍ତି।

୨୦୧୪ ମସିହାରେ ଆଖୁଚାଷୀ, ଶ୍ରମିକଙ୍କୁ ମୋହରା କରାଯାଇ ପ୍ରଥମେ ଅଶାନ୍ତି ସୃଷ୍ଟି, ପରେ ଆନ୍ଦୋଳନ ବାହାନା, ଶେଷ‌ରେ କାରଖାନାରେ ତାଲା ପକାଯାଇଥିଲା। ଚିନି ଉତ୍ପାଦନ ବନ୍ଦ ହୋଇଯିବାରୁ କେହି ପ୍ରାପ୍ୟ ପାଇପାରିଲେ ନାହିଁ। ଫଳରେ ସବୁଦିନ ପାଇଁ ନୟାଗଡ଼ ଚିନିକଳ ଠପ୍‌ ହୋଇଯାଇଛି। ଏହାଦ୍ବାରା ମୋର ହୋଇଥିବା କ୍ଷତି ସରକାର ଭରଣା କରନ୍ତୁ ବୋଲି ଶିଳ୍ପପତି ‌ଶ୍ରୀ ମିଶ୍ର ହାଇକୋର୍ଟରେ ଆର୍ବିଟ୍ରେସନ ମାମଲା କରିଛନ୍ତି। ସରକାରଙ୍କ ପକ୍ଷରୁ ମଧ୍ୟ ଶ୍ରୀ ମିଶ୍ର ଚିନିକଳ ଚଳାଇ ପାରିନଥିବା ନେଇ ଅଭିଯୋଗ ରହିଛି। ଏଭଳି ସ୍ଥିତିରେ ଆର୍ବିଟ୍ରେସନ କେବେ ଶେଷ ହେବ, କାହା ପାଖରେ ତ୍ରୁଟି ରହିଲା, ତାହା କହିବା ମୁସ୍କିଲ। ଯଦି ବି କୌଣସି ସ୍ଥିତିରେ ନୟାଗଡ଼ ଚିନିକଳ ଚଳାଇବାକୁ ପ୍ରଶାସନ ଉଦ୍ୟମ କରେ, ତେବେ ନିରାଶ ହେବା ଥୟ। କାରଣ କଳରୁ ଯନ୍ତ୍ରାଂଶ ଗାଏବ ହୋଇସାରିଛି।

ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଚିନିକଳକୁ ପ୍ରଶାସନ ନିଜର ବୋଲି ଦାବି କରି ସମ୍ପତ୍ତି ଆକଳନ କରି ସିଲ୍‌ କରିଥିବା ବେଳେ, ସୁରକ୍ଷା ବ୍ୟବସ୍ଥା କାହିଁକି କଲାନି? ସୁଚିନ୍ତିତ ଭାବେ ନୟାଗଡ଼ ଚିନିକଳକୁ ମାଟି‌ରେ ମିଶାଇବାକୁ ଏହ‌ା ଏକ ଷଡ଼ଯନ୍ତ୍ର ବୋଲି ବିରୋଧୀଙ୍କ ଅଭିଯୋଗ ରହିଛି। ଚିନିକଳକୁ ହତାଦାର କରି ପ୍ରଶାସନ ଚାଷୀଙ୍କ ସର୍ବନାଶ କରିଥିବା ବେଳେ, ଏହି କଳ ଏବେ କବାଡ଼ିଆଙ୍କ ପାଇଁ ପୁଷ ମାସ ପାଲଟିଥିବା ଚର୍ଚ୍ଚା ହେଉଛି।

The post ନୟାଗଡ଼ ଚିନିକଳର ବହୁ ଯନ୍ତ୍ରାଂଶ ଚୋରି first appeared on Sambad.


No comments

Powered by Blogger.