Header Ads

Header ADS

ପରିବାରକୁ ନୁହେଁ, କେବଳ କୋଭିଡ୍‌ ଯୋଦ୍ଧାଙ୍କୁ ଦିଆଯିବ ଟିକା


ଟିକା ନିରାପଦ, ଫଳପ୍ରଦ
୨୮ଦିନ ବ୍ୟବଧାନ ପରେ ଟିକାର ଦ୍ବିତୀୟ ‌ଡୋଜ୍
ଇଟି ଡୋଜ୍ ପରେ ଦିଆଯିବ ସାର୍ଟିଫିକେଟ୍

ଭୁବନେଶ୍ବର : ଆସନ୍ତା ୧୬ତାରିଖରେ ଦେଶବ୍ୟାପୀ କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ୍‌ ଲଢ଼େଇର ସମ୍ମୁଖ କର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ସ୍ବାସ୍ଥ୍ୟକର୍ମୀମାନେ ପ୍ରଥମେ ସୁରକ୍ଷିତ ହେବା ପରେ ସେମାନଙ୍କ ପରିବାରକୁ ଟିକା ଦିଆଯିବ ବୋଲି କହିଛନ୍ତି ଏସ୍‌ସିବି ଭେଷଜ ବିଭାଗର ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଡା.ଜୟନ୍ତ ପଣ୍ଡା।

କୋଭିଡ୍‌ ଟିକାକରଣ ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଡା.ପଣ୍ଡା କହିଲେ, ଭାରତୀୟ ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ) ଟିକାର ମାନ ପରୀକ୍ଷଣ କରି ସନ୍ତୁଷ୍ଟ ହେବା ପରେ ହିଁ ଏହାକୁ ମଞ୍ଜୁରୀ ଦିଆଯାଇଛି। ଗତ ୧୦ମାସ ଧରି ଏସବୁ ଟିକାର ପୁଙ୍ଖାନୁପୁଙ୍ଖ ପରୀକ୍ଷଣ ଜାରି ରହିଥିଲା। ବିଭିନ୍ନ ପର୍ଯ୍ୟାୟରେ ଏହା ଉତ୍ତୀର୍ଣ୍ଣ ହୋଇଛି। କୋଭିଡ୍‌ ଟିକା ସଂପୂର୍ଣ୍ଣ ସୁରକ୍ଷିତ ଓ ଫଳପ୍ରଦ। ପୃଥିବୀରେ ଯେତେ ଟିକା ଆସିବ ତହିଁରୁ ସବୁଠାରୁ ଉନ୍ନତ ମାନର ଟିକା ଭାରତରେ ଉପଲବ୍ଧ ହେବ।

ଡା.ପଣ୍ଡା ସ୍ପଷ୍ଟ କରିଛନ୍ତି ଯେ, ଟିକା ନେବା ଲାଗି କାହାକୁ ବାଧ୍ୟ କରାଯିବ ନାହିଁ। ଏହା ସଂପୂର୍ଣ୍ଣ ଇଚ୍ଛାଧୀନ। ଯେଉଁମାନେ ନିଜକୁ ସୁରକ୍ଷିତ କରିବାକୁ ଚାହିବେ ଓ ସଂକ୍ରମଣ ରୋକିବାକୁ ଚାହିବେ ସେମାନେ ଏହି ଟିକା ନେଇପାରିବେ। ଏହାସହ ଯେଉଁମାନେ ‌କରୋନାରେ ସଂକ୍ରମିତ ହୋଇ ଭଲ ହୋଇଛନ୍ତି, ସେମାନେ ଏହି ଟିକା ନେଇ ନିଜକୁ ସୁରକ୍ଷିତ କରିବା ଜରୁରୀ। ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ଟିକା ପ୍ରଦାନ କରାଯିବ। ଯେଉଁମାନେ ଟିକା ନେବେ ତାହାର ୨୮ଦିନ ପରେ ସେହି ଟିକାର ଦ୍ବିତୀୟ ଡୋଜ୍ ନେବାକୁ ହେବ। ପରେ କ୍ୟୁଆର କୋଡ୍ ଜରିଆରେ ହିତାଧିକାରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ୧୮ରୁ ଅଧିକ ବର୍ଷର ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯିବା ଲାଗି ସ୍ଥିର ହୋଇଛି। ପଞ୍ଜୀକରଣ ସମୟରେ ମୋବାଇଲ ନମ୍ବର ଜରିଆରେ ଟିକାଦାନ ସଂପର୍କରେ ସୂଚନା ଦିଆଯିବ। ବିନା ପଞ୍ଜୀକରଣରେ ଟିକା ଦିଆଯିବ ନାହିଁ। କୋ-ୱିନ୍ ଆପ୍‌ରେ ପଞ୍ଜୀକୃତ କରିବାକୁ ହେବ। ପଞ୍ଜୀକରଣରେ ସମୟରେ ଯେଉଁ ପରିଚୟପତ୍ର ଦିଆଯାଇଥିବା ଟିକାଦାନ କେନ୍ଦ୍ରରେ ତାହାକୁ ଦେଖାଇବାକୁ ହେବ। ମାସ୍କ, ସାମାଜିକ ଦୂରତ୍ବ ଓ ହାତକୁ ସାନିଟାଇଜ୍ କରିବାକୁ ହେବ। ଟିକା ନେବା ପରେ ସାମାନ୍ୟ ଜ୍ବର, ଟିକା ନେଇଥିବା ସ୍ଥାନ ଫୁଲିବା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଓ କାଶ ଭଳି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବାର ଆଶଙ୍କା ରହିଛି। ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟକର୍ମୀଙ୍କୁ ଏ ସଂପର୍କରେ ସୂଚନା ଦେବାର ଆବଶ୍ୟକତା ରହିଛି ବୋଲି ଡା.ପଣ୍ଡା କହିଛନ୍ତି।

The post ପରିବାରକୁ ନୁହେଁ, କେବଳ କୋଭିଡ୍‌ ଯୋଦ୍ଧାଙ୍କୁ ଦିଆଯିବ ଟିକା first appeared on Sambad.


No comments

Powered by Blogger.