Header Ads

Header ADS

କୌଣସି ଶକ୍ତି ପାଟ୍ରୋଲିଂରୁ ସୀମାରେ ସେନାକୁ ଅଟକାଇ ପାରିବେ ନାହିଁ: ସାଂସଦଙ୍କୁ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ


ନୂଆଦିଲ୍ଲୀ: ଲଦାଖର ଲାଇନ୍‌ ଅଫ୍‌ ଆକ୍‌ଚୁଆଲ୍‌ କଣ୍ଟ୍ରୋଲ୍‌ (ଏଲଏସି)ରେ ଚୀନ୍‌ ସହ ଚାଲିଥିବା ବିବାଦ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସଂସଦରେ ନିଜର ବକ୍ତବ୍ୟ ରଖିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସାଂସଦମାନଙ୍କୁ କହିଛନ୍ତି ଯେ ପୃଥିବୀର କୌଣସି ଶକ୍ତି ଭାରତୀୟ ସେନାକୁ ପାଟ୍ରୋଲିଂରୁ ରୋକି ପାରିବ ନାହିଁ। ଭାରତୀୟ ସୈନିକମାନଙ୍କୁ ପାରମ୍ପାରିକ ପୋଷ୍ଟରେ ପାଟ୍ରୋଲିଂ କରିବାକୁ ଚୀନ୍‌ ଅନୁମତି ଦେଉ ନଥିବା ନେଇ ବିରୋଧୀଙ୍କର ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଚୀନ୍‌ ସହ ଆମର ବିବାଦର ଏହା ହିଁ କାରଣ।

ଭାରତ- ଚୀନ୍‌ ବିବାଦ ସମ୍ପର୍କରେ ରାଜ୍ୟସଭାରେ ବିବୃତି ଦେଇ ରାଜନାଥ ସିଂ ବିରୋଧୀ ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ବିବାଦୀୟ ପୂର୍ବ ଲଦାଖରେ ପାଟ୍ରୋଲିଂ ଢ଼ାଞ୍ଚାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଭାରତୀୟ ଯବାନମାନଙ୍କୁ ପାରମ୍ପରିକ ପାଟ୍ରୋଲିଂ ପଏଣ୍ଟରୁ ପଛକୁ ଠେଲି ଦିଆଯିବା ଉପରେ ପ୍ରତିରକ୍ଷା ମନ୍ତ୍ରୀ କଂଗ୍ରେସ ସାଂସଦ ଏ.କେ ଆଣ୍ଟୋନିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଥିଲେ।

ପାଟ୍ରୋଲିଂର ଢ଼ାଞ୍ଚା ପାରମ୍ପରିକ ଏବଂ ସୁ-ପରିଭାଷିତ। ପୃଥିବୀର କୌଣସି ଶକ୍ତି ଭାରତୀୟ ଯବାନମାନଙ୍କୁ ପାଟ୍ରୋଲିଂରୁ ରୋକି ପାରିବ ନାହିଁ ବୋଲି ଶ୍ରୀ ସିଂହ ପୂର୍ବ କଂଗ୍ରେସ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ଶ୍ରୀ ଆଣ୍ଟୋନିଙ୍କୁ କହିଛନ୍ତି।

ଏହି ଆଲୋଚନାରେ ଅଂଶ ଗ୍ରହଣ କରି ଓଡ଼ିଶାର ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସରକାରଙ୍କୁ ଚୀନ୍‌ ସହ ଜଗିରଖି ଚଳିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଆପଣ ଚୀନ୍‌ ଉପରେ ବିଶ୍ୱାସ କରିପାରିବେ ନାହିଁ। କାରଣ, ସେମାନେ ପ୍ରତ୍ୟେକ ଚୁକ୍ତିନାମାକୁ ନିଜ ସୁବିଧା ମୁତାବକ ବାଖ୍ୟା କରୁଛନ୍ତି। ତେଣୁ, ଚୀନ୍‌ ସହ ଆଲୋଚନା ବେଳେ ସରକାର ଯଥେଷ୍ଟ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହଙ୍କୁ କହିଛନ୍ତି।


No comments

Powered by Blogger.