Header Ads

Header ADS

ରାୟଗଡ଼ା : ପ୍ରେମିକକୁ ଗୁଳି କରି ହତ୍ୟା; ଗୁମ୍ଫାରେ ପୋତି ଦେଇଥିଲେ ଶବ, ୩ ମାସ ପରେ ଉଦ୍ଧାର


ରାୟଗଡ଼ା : ପ୍ରେମ ସଂପର୍କକୁ କେନ୍ଦ୍ରକରି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ଧାଲିମା ଜଙ୍ଗଲରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୁଳି କରି ମନୋରଂଜନ ବଳିଆରସିଂ ନାମକ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ମୃତଦେହକୁ ପାହାଡ଼ ଗୁମ୍ଫାରେ ପୋତି ଦେଇଥିଲେ। ହତ୍ୟାକାଣ୍ଡର ୩ମାସ ପରେ ଚନ୍ଦ୍ରପୁର ପୁଲିସ୍ ଆଜି ଗୁମ୍ଫା ଭିତରୁ ମନୋରଂଜନଙ୍କ କଙ୍କାଳକୁ ଉଦ୍ଧାର କରିଛି। ଏଥିସହ ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ଗୁଡ଼ାରି ଥାନା ପନକାବାଡ଼ିର ରଘୁନାଥ ଭଟ୍ଟ, ବିଷମକଟକ ଥାନା ସିନ୍ଧିପଙ୍କା ଗ୍ରାମର ନକୁଳ ଦଣ୍ଡସେନା ଓ ଚନ୍ଦ୍ରପୁର ଥାନା ହନୁମନ୍ତପୁରର ଗଣେଶ୍ବର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ୍ ସୂଚନା ଅନୁଯାୟୀ, ବିଷମକଟକ ବ୍ଲକ୍ ସିନ୍ଧିପଙ୍କା ଗ୍ରାମର ନକୁଳ ଦଣ୍ଡସେନାଙ୍କ ଭଉଣୀକୁ କନ୍ଧମାଳ ଜିଲ୍ଲା କୋଟଗଡ଼ର ମନୋରଂଜନ ବଳିଆରସିଂ ପ୍ରେମ କରୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ଼ ହେବା ପରେ ପରିବାର ଲୋକ ଜାଣିବା ସହ ଏହାକୁ ବିରୋଧ କରି ଆସୁଥିଲେ। କିନ୍ତୁ ମନୋରଂଜନ ବାରମ୍ବାର ଗାଁକୁ ଆସି ନିଜ ପ୍ରେମିକାକୁ ଦେଖା କରୁଥିବାରୁ ନକୁଳ ନିଜ ଜ୍ବାଇଁ ଓ ଜଣେ ସହଯୋଗୀଙ୍କ ସହ ମିଶି ମନୋରଂଜନଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ଜୁନ୍ ମାସରେ ନକୁଳ ନିଜ ଜ୍ବାଇଁ ରଘୁନାଥ ଓ ଗଣେଶ୍ବର ମିଶି ମନୋରଂଜନଙ୍କୁ ଚନ୍ଦ୍ରପୁରରୁ ୩୦ କିମି ଦୂର ଅନ୍ଧାଲିମା ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ଶିକାରୀ ବନ୍ଧୁକରୁ ଗୁଳି କରି ମନୋରଂଜନଙ୍କୁ ହତ୍ୟା କରିବା ପରେ ଧାରୁଆ ଅସ୍ତ୍ରରେ ଶରୀରକୁ କାଟି ଦେଇଥିଲେ। ପରେ ସଭିଁଏ ମିଶି ମନୋରଂଜନଙ୍କୁ ଜଙ୍ଗଲର ଏକ ପାହାଡ଼ ଗୁମ୍ଫାରେ ପୋତି ଦେଇଥିଲେ।


No comments

Powered by Blogger.