Header Ads

Header ADS

ବାଲେଶ୍ବର ସଦର ଉପନିର୍ବାଚନ ଉଷ୍ମତା ବଢ଼ୁଛି, ବିଗୁଲ୍‌ ବଜାଇଲା ବିଜେଡି


ବାଲେଶ୍ବର: ନିର୍ବାଚନୀ ବିଗୁଲ୍‌ ବଜାଇଛି ବିଜେଡି। ବାଲେଶ୍ବର ସଦର ଆସନ ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ତରଫରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିବାବେଳେ ଆଜି ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଶାସକ ଦଳର ମାରାଥନ୍ ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସର୍କିଟ୍‌ ହାଉସଠାରେ ଆୟୋଜିତ ଏହି ରୁଦ୍ଧଦ୍ବାର ବୈଠକ ମଙ୍ଗଳବାର ଦିନତମାମ ଚାଲିଥିଲା। ଏଥିରେ ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକ, ପୂର୍ବତନ ବିଧାୟକ, ବିଜେଡି ଜିଲ୍ଲା ସଭାପତି, ଆଶାୟୀ ପ୍ରାର୍ଥୀ ତଥା ଦଳର ବିଭିନ୍ନ ସେଲ୍‌ର କର୍ମକର୍ତ୍ତାମାନଙ୍କ ସହିତ ମନ୍ତ୍ରୀ ଶ୍ରୀ ଜେନା ଜଣ ଜଣ କରି ଆଲୋଚନା କରିଥିଲେ। ଯଦିଓ ପ୍ରାର୍ଥିତ୍ବ ସଂପର୍କରେ ବୈଠକରେ କୌଣସି ଆଲୋଚନା ହୋଇନଥିବା ମନ୍ତ୍ରୀ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି, ସୁପ୍ରିମୋଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତେ ସଙ୍ଗଠିତ ହୋଇ ନିର୍ବାଚନ ଲଢିବାକୁ ପରାମର୍ଶ ଦିଆଯାଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି। ଏଥିସହିତ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାମାନଙ୍କୁ ସାଙ୍ଗଠନିକ ଦାୟିତ୍ବ ବଣ୍ଟାଯାଇଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ମନ୍ତ୍ରୀ ଶ୍ରୀ ଜେନା ଗତକାଲିଠୁ ବାଲେଶ୍ବରରେ ଡେରା ପକାଇ ଦଳୀୟ ନେତାମାନଙ୍କ ସହ ବିଚାରବିମର୍ଶ ଚଳାଇଛନ୍ତି। ଆଜିର ବୈଠକରେ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସଂସ୍କୃତି ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକ‌ାଶ ପାଣିଗ୍ରାହୀ, ଭୋଗରାଇ ବିଧାୟକ ଅନନ୍ତ ଦାସ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସୋର ବିଧାୟକ ପର୍ଶୁରାମ ଧଡ଼ା, ବା‌ଲେଶ୍ବର ସଦର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ, ନୀଳଗିରିର ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ କୁମାର ଖଟୁଆଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ଛାମୁଆ ନେତୃବୃନ୍ଦଙ୍କ ସହ ମନ୍ତ୍ରୀ ଶ୍ରୀ ଜେନା ଆଗାମୀ ଉପନିର୍ବାଚନରେ ଦଳୀୟ ପ୍ରସ୍ତୁତି ଓ ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଗତ ସାଧାରଣ ନିର୍ବାଚନରେ ଦଳ ଏହି ଆସନରୁ ପରାଜିତ ହୋଇଥିବାବେ‌ଳେ ଏହି ଉପନିର୍ବାଚନରେ କିପରି ଜିତାପଟ ମିଳିପାରିବ, ତାହା ଉପରେ ଗୁରୁତ୍ବାରୋପ କରିଥିଲେ।

ତେବେ, ପ୍ରାର୍ଥିତ୍ବକୁ ନେଇ ଅଧିକ ଚର୍ଚ୍ଚାରେ ଥିବା ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ମଧ୍ୟରୁ କାହାକୁ ଟିକେଟ୍‌ ଦିଆଯିବ, ସେ ନେଇ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଏହି ରୁଦ୍ଧଦ୍ବାର ବୈଠକର ଆଲୋଚନା ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ତେବେ ଯାହା ଜଣାପଡ଼ିଛି, ପ୍ରାର୍ଥୀ ହେବା ଲାଗି ଆଶାୟୀ ଏବଂ ଚର୍ଚ୍ଚାରେ ଥିବା ନେତାମାନେ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ଏକାନ୍ତରେ ଭେଟି ନିଜ ନିଜର ଦାବି ସମ୍ପର୍କରେ ଯୁକ୍ତିସଂଗତ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ, ଗଣମାଧ୍ୟମ ସମ୍ମୁଖରେ ପର୍ଯ୍ୟବେକ୍ଷକ ଶ୍ରୀ ଜେନା କହିଛନ୍ତି ଯେ, ‘ଖୁବ୍‌ ନିକଟରେ ନିର୍ବାଚନ ଥିବାରୁ ତାହା କିପରି ଲଢ଼ାଯିବ ସେ ସମ୍ପର୍କରେ ଜିଲ୍ଲାର ନେତୃବୃନ୍ଦଙ୍କ ସହ ଆଲୋଚନା କରି ତାର ଖସଡ଼ା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ତେବେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକ୍‌ ସମୟରେ ଘୋଷଣା କରିବେ,’ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।


No comments

Powered by Blogger.