ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି ପାଇଁ ମନୋନୟନ କମିଟି ଗଠିତ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ନୂତନ କୁଳପତି ନିଯୁକ୍ତି ପାଇଁ ଏକ ମନୋନୟନ(ସର୍ଚ୍ଚ) କମିଟି ଗଠନ କରାଯାଇଛି। ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କ ଦ୍ବାରା ଗଠିତ ଏହି କମିଟିରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ପାଣିଙ୍କୁ କୁଳାଧିପତିଙ୍କ ନୋମିନ୍ ଭାବେ ମନୋନୟନ କରାଯାଇଛି। ତାଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ରାଜ୍ୟ ସରକାରଙ୍କ ନୋମିନ୍ ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦି କମିଟିର ସଦସ୍ୟ ଭାବେ ମନୋନୟନ କରାଯାଇଛି। ଅନ୍ୟପକ୍ଷରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗ୍ନୋ)ର ପ୍ରଫେସର ନାଗେଶ୍ବର ରାଓ ୟୁଜିସି ଅଧ୍ୟକ୍ଷଙ୍କ ନୋମିନ୍ ଭାବେ କମିଟିର ସଦସ୍ୟ ରହିଛନ୍ତି।
ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ବତ ମିଶ୍ରଙ୍କୁ ମେନୋନୟନ(ସର୍ଚ୍ଚ) କମିଟିର ଆବାହକ କରାଯାଇଛି। କୁଳାଧିପତିଙ୍କ ଦ୍ବାରା ଶ୍ରୀ ମିଶ୍ରଙ୍କୁ ମନୋନୀତ କରାଯାଇଛି। କୁଳପତି ନିଯୁକ୍ତି ପାଇଁ ବିଜ୍ଞାପନ, ଆବେଦନକାରୀଙ୍କ କାଗଜପତ୍ର ଏକାଠି କରିବା ଓ ଆବେଦନପତ୍ରକୁ ସ୍କୁଟିନାଇଜ୍ କରିବା କାର୍ଯ୍ୟ ସଚିବ କରିବେ।
ସ୍କୁଟିନାଇଜ୍ କରି ସର୍ଚ୍ଚ କମିଟିକୁ ପ୍ରଦାନ କରିବେ। ସର୍ଚ୍ଚ କମିଟି ପକ୍ଷରୁ କୁଳପତି ପାଇଁ ଆବେଦନ କରିଥିବା ପ୍ରଫେସରଙ୍କ ସାକ୍ଷାତକାର ନିଆଯିବ। ମନୋନୟନ କମିଟି ସାକ୍ଷାତକାର ନେବା ପରେ ୩ ଜଣ ପ୍ରଫେସରଙ୍କ ନାମ ତାଲିକା କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଇେବ। ୩ ପ୍ରଫେସରଙ୍କ ପୁନର୍ବାର କୁଳାଧିପତି ତଥା ରାଜ୍ୟପାଳ ସାକ୍ଷାତକାର ନେବେ। କୁଳାଧିପତି ସାକ୍ଷତକାର ନେବା ପରେ ଜଣେ ପ୍ରଫେସରଙ୍କୁ କୁଳପତି ଭାବେ ନିଯୁକ୍ତ କରିବେ।
No comments