Header Ads

Header ADS

କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିସନର୍ : ପୁରୀରେ ନମୁନା ପରୀକ୍ଷା ବୃଦ୍ଧି, ଅଧିକ ଡାକ୍ତର ନିୟୋଜନ ଉପରେ ଗୁରୁତ୍ବ


ଭୁବ‌ନେଶ୍ୱର : ଗତ କିଛି ଦିନ ହେଲା ପୁରୀ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଛି। ଏଠାରେ ସଂକ୍ରମଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍ଥିତିର ସମୀକ୍ଷା କରିଥିଲେ। ପୁରୀ ଜିଲ୍ଲାରେ ହେଉଥିବା ନମୁନା ପରୀକ୍ଷଣକୁ ଦୁଇ ଗୁଣା କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଜିଲ୍ଲାକୁ ଅଧିକ ବିଶେଷଜ୍ଞ ଡାକ୍ତର ଓ ଆୟୁଷ ଡାକ୍ତର ପଠାଇବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମ‌ାନ ପୁରୀ ଜିଲ୍ଲାରେ ଆରୋଗ୍ୟ ହାର ୮୦ ପ୍ରତିଶତ ରହିଛି। କିନ୍ତୁ କିଛି କ୍ଷେତ୍ରରେ ଗୁରୁତର ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଅଧିକ ଆଇସିୟୁର ଆବଶ୍ୟକତା ପଡ଼ୁଛି। ଏହାକୁ ନଜରରେ ରଖି ଏପରି ରୋଗୀମାନଙ୍କ ଚିକିତ୍ସା ପାଇଁ ଭୁବନେଶ୍ବରରେ ଆଇସିୟୁ ସୁବିଧା ଥିବା ଡାକ୍ତରଖାନାକୁ ପଠାଇବା ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ବର ମହାନଗର ନିଗମ ଆଲୋଚନା କରି ନିଷ୍ପତ୍ତି ନେବାକୁ କୁହାଯାଇଥିଲା। ବର୍ତ୍ତମାନ ନୀଳାଚଳରେ ଭକ୍ତନିବାସ ଓ ରକ୍‌ବେ ହୋଟେଲ୍‌ରେ ଶ୍ରୀମନ୍ଦିର ସେବାୟତ ଓ ଅଫିସିଆଲ୍‌ମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍‌ ‌ସେଣ୍ଟର୍‌ କାର୍ଯ୍ୟକାରୀ କରାଯାଇଛି। ସେବାୟତମାନଙ୍କ ପାଇଁ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ଟେଷ୍ଟିଂ ସେଣ୍ଟର୍‌ ଖୋଲାଯାଇଛି। ପୁରୀରେ ଦିନକୁ ଦୁଇ ହଜାରରୁ ଅଧିକ ଟେଷ୍ଟିଂ କରିବା ପାଇଁ ଉନ୍ନୟନ କମିସନର୍ ଗୁରୁତ୍ବାରୋପ କରିଥିଲେ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ସେବାୟତ ଓ ଅନ୍ୟ କର୍ମଚାରୀମାନଙ୍କ ସ୍ବାସ୍ଥ୍ୟର ଯାଞ୍ଚ୍ ଠିକ୍ ଭାବେ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ‌ସେବାୟତଙ୍କ ପରିବାରକୁ ମାସ୍କ ଓ ସାନିଟାଇଜର୍‌ ଯୋଗାଇ ଦେବାକୁ କୁହାଯାଇଥିଲା। ଜିଲ୍ଲାରେ ବିଶେଷ କରି ହୋଟେଲ୍‌, ରେସ୍ତୋରାଁ, ବେଳାଭୂମି, ସ୍ବାସ୍ଥ୍ୟସେବା ଅନୁଷ୍ଠାନ ଓ ଜନଗହଳି ସ୍ଥାନରେ ଏନ୍‌ଫୋର୍ସମେଣ୍ଟ୍‌ କଡ଼ାକଡ଼ି ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।


No comments

Powered by Blogger.