Header Ads

Header ADS

ସୁପ୍ରିମକୋର୍ଟରେ ଷ୍ଟାର ଦମ୍ପତି ଅନୁଭବ-ବର୍ଷା ବିବାଦ ମାମଲା : ‘ଛାଡ଼ପତ୍ର ମାମଲା କଟକ ସ୍ଥାନାନ୍ତର ପାଇଁ ବର୍ଷାଙ୍କ ପ୍ରାର୍ଥନା


କଟକ/ନୂଆଦିଲ୍ଲୀ : ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀ କୋର୍ଟରେ ଅନୁଭବ ରୁଜୁ କରିଥିବା ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ପ୍ରାର୍ଥନା କରି ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡପତ୍ର ମାମଲା ଦାୟର କରିଛନ୍ତି। ସୁପ୍ରିମକୋର୍ଟରେ ଦାୟର ଆବେଦନରେ ବର୍ଷାଙ୍କ ପକ୍ଷରୁ ଦର୍ଶାଯାଇଛି ଯେ କଟକରେ ତାଙ୍କ ବିବାହ ହୋଇଥିବାବେ‌ଳେ ପତି-ପତ୍ନୀ ଭାବେ ଉଭୟ କଟକରେ ରହି ଆସିଛନ୍ତି। ଅନୁଭବଙ୍କର କଟକରେ ଘର ରହିଛି। ଏଥିସହିତ କଟକର ପରିବାର ଅଦାଲତରେ ମଧ୍ୟ ତାଙ୍କ ଦାମ୍ପତ୍ୟ ସଂପର୍କର ସୁରକ୍ଷା ଅନୁରୋଧ କରି ସେ ଦାୟର କରିଥିବା ମାମଲା ବିଚାରାଧୀନ ରହିଛି। ଦିଲ୍ଲୀ ଯାଇ ମାମଲା ଲଢିବା ତାଙ୍କ ପକ୍ଷେ ସମ୍ଭବ ନଥିବା ବେଳେ ଅନୁଭବ ଛାଡ଼ପତ୍ର ପାଇଁ ଦାୟର କରିଥିବା ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରାଯାଉ ବୋଲି ବର୍ଷା ଦର୍ଶାଇଛନ୍ତି। ସୁପ୍ରିମକୋର୍ଟରେ ମାମଲା ସ୍ଥାନାନ୍ତର ସଂପର୍କିତ ଆବେଦନ ବିଚାରାଧୀନ ଥିବାବେଳେ ଦିଲ୍ଲୀ ପରିବାର ଅଦାଲତ ମାମଲାର ଶୁଣାଣି ଉପରେ ରହିତାଦେଶ ପାଇଁ ମଧ୍ୟ ବର୍ଷାଙ୍କ ପକ୍ଷରୁ ଅନ୍ତରୀଣ ଆବେଦନ ଦାୟର ହୋଇଛି। ଏହି ପ୍ରସଂଗକୁ ନେଇ ଅନୁଭବଙ୍କ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ କାଭିଏଟ୍ ପିଟିସନ୍ ଦାଖଲ କରାଯାଇଛି। ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଏହି ପ୍ରସଂଗରେ କୌଣସି ନିର୍ଦ୍ଦେଶ ଯେପରି ପ୍ରଦାନ କରାନଯିବ ସେଥିପାଇଁ ଅନୁଭବ ଏପରି ପିଟିସନ୍ ଦାଖଲ କରିଛନ୍ତି।

ଅନ୍ୟପକ୍ଷରେ, ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ପକ୍ଷର ଓକିଏ। ଅନୁଭବଙ୍କ ଓକିଲ ଅଶ୍ୱନୀ ଦୁବେ କହିଛନ୍ତି, ବର୍ଷାଙ୍କ ନିଜସ୍ୱ ଆୟ ରହିଛି। ତେଣୁ ଦିଲ୍ଲୀ ଆସି କେସ ଲଢ଼ିବାରେ କୌଣସି ସମସ୍ୟା ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତୀ ପଦକ୍ଷେପ ନିଆଯିବ। ଅନୁଭବ ଓକିଲଙ୍କ ବୟନ ପରେ ମୁହଁ ଖୋଲିଛନ୍ତି ବର୍ଷାଙ୍କ ଓକିଲ। ସେ କହିଛନ୍ତି ବର୍ଷାଙ୍କ ପାଖରେ ରୋଜଗାରର ବାଟ ଥିଲେ ବି ଦିଲ୍ଲୀରେ ଘର ନାହିଁ। ଅନୁଭବଙ୍କ ଘର ଉଭୟ କଟକ ଓ ଦିଲ୍ଲୀରେ ରହିଛି। ତେଣୁ ମାମଲା କଟକ ଆସିବାରେ କିଛି ଅସୁବିଧା ନାହିଁ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଗଲା ଜୁଲାଇ ୧୬‌ରେ ପିଟିସନ୍ ଦାଖଲ କରିଛନ୍ତି। ଅନ୍ୟପଟେ କଟକ ପରିବାର ଅଦାଲତରେ ବର୍ଷା ନିଜର ଦାମ୍ପତ୍ୟ ସଂପର୍କର ସୁରକ୍ଷା ଅନୁରୋଧ କରି ରୁଜୁ କରିଥିବା ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪କୁ ଧାର୍ଯ୍ୟ ହୋଇଛି। ବର୍ଷା କଟକ ଏସଡିଜେଏମଙ୍କ ଅଦାଲତରେ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା, ଭରଣପୋଷଣ ଓ କ୍ଷତିପୂରଣ ଦାବିରେ ଯେଉଁ ମାମଲା ରୁଜୁ କରିଛନ୍ତି, ତାହାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୧୨ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏହି ମାମଲାରେ ସୁରକ୍ଷା ଅଧିକାରୀ ମଧ୍ୟ ଘରୋଇ ହିଂସା ସଂପର୍କିତ ରିପୋର୍ଟ ଅଦାଲତରେ ଦାଖଲ କରି ସାରିଛନ୍ତି।


No comments

Powered by Blogger.