Header Ads

Header ADS

ଗୁରୁତର କରୋନା ଆକ୍ରାନ୍ତଙ୍କୁ ମିଳୁନି ଭେଣ୍ଟିଲେଟର: କଂଗ୍ରେସ


ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। କରୋନା ସଂକ୍ରମଣ ଯୋଗୁ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଭେଣ୍ଟିଲେଟର ଉପଲବ୍ଧ ହୋଇପାରୁନି। ଫଳରେ ସେମାନଙ୍କର ପ୍ରାଣହାନି ଘଟୁଛି। ଆଜି ସ୍ଥାନୀୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ କରିଛି କଂଗ୍ରେସ। କୋଭିଡ ଚିକିତ୍ସା ପାଇଁ ଆସିଥିବା ୪୨୦ଟି ଭେଣ୍ଟିଲେଟର ଏ ପର୍ଯ୍ୟନ୍ତ ବ୍ୟବହାର ହୋଇନଥିବା ନେଇ ଦଳ ଅଭିଯୋଗ କରିଛି।

ଦଳୀୟ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି, ଏବେ ରାଜ୍ୟରେ ଦୈନିକ ୪ ହଜାରରୁ ଅଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଲେଣି। ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୭୦୦ ଟପିଲାଣି। ଗତ ୧୫ ତାରିଖରେ କଂଗ୍ରେସ ସାଂସଦ ରାଜୀବ ଶୁକ୍ଲାଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ପ୍ରକାଶ କରିଥିଲେ ଯେ, କୋଭିଡ ମହାମାରୀ ପାଇଁ ଦେଶର ୭ଟି ରାଜ୍ୟକୁ ହାଇ ଫୋକସ୍‌ ମାନ୍ୟତା ଦିଆଯାଇଛି ଓ ସେଥିରେ ଓଡ଼ିଶା ମଧ୍ୟ ସାମିଲ ଅଛି। କୋଭିଡ ମୁକାବିଲା ପାଇଁ କେଉଁ ରାଜ୍ୟକୁ କେତେ ମାସ୍କ୍‌, ପିପିଇ କିଟ୍‌ ଓ ଭେଣ୍ଟିଲେଟର ଦିଆଯାଇଛି, ତାର ତାଲିକା ମଧ୍ୟ ଶ୍ରୀ ଚୌବେ ସଂସଦରେ ପ୍ରକାଶ କରିଥିଲେ। ଏହି ତାଲିକାରେ କେତେ ସଂଖ୍ୟାକ ଭେଣ୍ଟିଲେଟର ଇନ୍‌ଷ୍ଟଲ ହୋଇଛି ତାର ମଧ୍ୟ ତଥ୍ୟ ରହିଛି।

ଦୁଃଖ ଓ ପରିତାପର କଥା ହେଉଛି, ଓଡ଼ିଶା ସରକାର ପାଇଥିବା ୫୬୭ଟି ଭେଣ୍ଟିଲେଟର ମଧ୍ୟରୁ ଗତ ୧୪ ତାରିଖ ସୁଦ୍ଧା ମାତ୍ର ୧୪୭ଟିକୁ କାର୍ଯ୍ୟକ୍ଷମ କରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଜଣାଇଛନ୍ତି। ବାକି ୪୨୦ଟି ଭେଣ୍ଟିଲେଟର ଏ ପର୍ଯ୍ୟନ୍ତ ଇନ୍‌ଷ୍ଟଲ ହୋଇନାହିଁ। ଯଦି କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କ ସମ୍ପର୍କରେ ଭୁଲ ତଥ୍ୟ ଦେଇଛନ୍ତି ତାହେଲେ ତାକୁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ନଚେତ୍‌ ଇନ୍‌ଷ୍ଟଲ ହୋଇନଥିବା ଭେଣ୍ଟିଲେଟରକୁ ତୁରନ୍ତ ଲଗାଇବାକୁ ଦଳ ଶ୍ରୀ ମିଶ୍ର ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବିପିନ୍‌ ଦାଶ ଓ ଦଳୀୟ ନେତା ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


No comments

Powered by Blogger.