Header Ads

Header ADS

୬ ଜାନୁୟାରୀ, ୧୯୩୪ ସମାଜରେ ବାହାରିଥିବା ଖବର

ସହରରେ ଭୀଷଣ ଚୋରି
ବରଗଡ଼, ୩।୧।୩୪:ଏଠାରେ ମୃତ ଗୌରାଙ୍ଗ ପାଣିଗ୍ରାହୀଙ୍କ ଘରୁ ଗତ ୨୮ତାରିଖରେ ଭୀଷଣ ଚୋରି ହୋଇଯାଇଛି। ତାଙ୍କ ଘରେ କେହି ନଥିଲେ। ତାଙ୍କର ସ୍ତ୍ରୀ ଓ କନ୍ୟା ଘରେ ଚାକର ଜଗେଇ ଦେଇ ଦ୍ବାରଘର ତାଲା ଦେଇ ୬ଦିନ ହେଲା ପୁରୀ ଦର୍ଶନକୁ ଯାଇଥିଲେ। ତାଙ୍କ ଘରର ସବୁ ତାଲା ଭାଙ୍ଗା ହୋଇ ଜିନିଷ ଚୋରି ହୋଇଛି। କ’ଣ କ’ଣ ଜିନିଷ ଚୋରି ହୋଇଛି, ଏ ପର୍ଯ୍ୟନ୍ତ ଜଣାପଡ଼ିନି।
ପ୍ରକୃତିର ବୈଚିତ୍ର୍ୟ
ମାହାଙ୍ଗା, ୫।୧।୩୪:ଅଚ୍ୟୁତପୁରରୁ ଶ୍ରୀ ଜଗବନ୍ଧୁ ଦାସ ଲେଖିଛନ୍ତି ଯେ ଚିତ୍ରହତା ମୌଜାରେ ଜଣେ ସ୍ତ୍ରୀ ଲୋକ ଏବେ ୨୦ଦିନ ହେଲା ଏକ ସଙ୍ଗରେ ୪ଟି ପିଲା ଜନ୍ମ କରିଛନ୍ତି। ଦୁଇଟି ବାଳକ ଓ ଦୁଇଟି ବାଳିକା ଜନ୍ମିଛନ୍ତି। ସେଥିମଧ୍ୟରୁ ଗୋଟିଏ ପୁଅ ଓ ​‌​ଦୁଇଟି ଝିଅ ଜନ୍ମିବା ଉତ୍ତାରୁ ମରିଗଲେ, ବାକି ଗୋଟିଏ ବଞ୍ଚିଛି।
ପ୍ରଧାନମନ୍ତ୍ରୀଙ୍କ ବିଶ୍ରାମ
ବଡ଼ଦିନ ଛୁଟିରେ ଘ​‌େ​‌ର ବସିଛନ୍ତି
ରୁଗ୍‌ବୀ, ୩।୧।୩୪:ବଡ଼ଦିନ ଛୁଟିରେ ବିଲାତର ପ୍ରଧାନମନ୍ତ୍ରୀ ମିଷ୍ଟର୍ ମାକ୍‌ଡୋନାଲଡ୍ ଲୁସିମାଉଥଠାରେ ତାଙ୍କ ନିଜ ଘରେ ଯାଇ ବିଶ୍ରାମ ନେଇଛନ୍ତି । ସେ ଆସନ୍ତା ସପ୍ତାହ ଆଡ଼କୁ ଲଣ୍ଡନ ଫେରିଆସିବେ। ଏହି ସପ୍ତାହର ଶେଷ ଆଡ଼କୁ ସେ ସାଣ୍ଡ୍ରିଙ୍ଗହାମଠାରେ ରାଜାଙ୍କ ସହିତ ଦେଖା ସାକ୍ଷାତ କରିବେ।
କୋଇଲା ଖଣିରେ ସମାଧି
ଶହେ ଷାଠିଏ ଜଣଙ୍କ କବର
ବୋହିମିଆଁ, ୩।୧।୩୪:ଏଠାରେ ଗୋଟିଏ କୋଇଲା ଖଣିରେ ହଠାତ୍ ନିଆଁ ଲାଗିଯିବା ଫଳରେ ସମସ୍ତ ସହରରେ ଭୀଷଣ ଭୂମିକମ୍ପ ହୋଇଥିଲା। କୋଇଲା ଖଣିରେ କାମ କରୁଥିବା ୧୬୦ଜଣ ଲୋକଙ୍କର ଜୀବନ୍ତ ସମାଧି ହୋଇଯାଇଛି। ଭୂମିକମ୍ପ ଫଳରେ ସହରରେ ଗୋଟିଏ ବଡ଼ କୋଠା ଭାଙ୍ଗିଯାଇ ତିନି ଜଣ ଲୋକ ଗୁରୁତର ଆହତ ପାଇଛନ୍ତି। ଧୂଆଁ ଏତେ ପ୍ରବଳ ହୋଇଥିଲା ଯେ ଖଣି ଭିତରୁ ଲୋକକୁ ଉଦ୍ଧାର କରୁଥିବା ଲୋକେ ମୋଟେ ପାଣି ଭିତରକୁ ପଶି ପାରିଲେନାହିଁ। ଏ ପର୍ଯ୍ୟନ୍ତ ମୋଟ ୪ଜଣ ଲୋକଙ୍କର ଶବ ମିଳିଛି।



No comments

Powered by Blogger.