Header Ads

Header ADS

୨୦୨୩ – ଆମ ସୁକନ୍ୟା

ଓଡ଼ିଆ ବୈଜ୍ଞାନିକଙ୍କୁ ସମ୍ମାନ ଡ. ଜ୍ୟୋତିର୍ମୟୀ ମହାନ୍ତି
ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅଧୀନ ତିତିରା ଗ୍ରାମର ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ଦେଶର ପ୍ରଥମ ମହିଳା ଭାବେ ଇଣ୍ଟରନ୍ୟାସନାଲ ୟୁନିୟନ ଅଫ୍‌ ପିୟୋର ଆଣ୍ଡ୍‌ ଆପ୍ଲାଏଡ୍‌ କେମେଷ୍ଟ୍ରୀ (ଆଇୟୁପିଏସି) ପୁରସ୍କାର ପାଇଛନ୍ତି। ଗତ ଅଗଷ୍ଟ ୨୦ତାରିଖରେ ନେଦରଲାଣ୍ଡ୍‌ସର ହେଗ୍‌ଠାରେ ଆୟୋଜିତ ବିଶ୍ବ କେମିଷ୍ଟ୍ରୀ କଂଗ୍ରେସରେ ତାଙ୍କୁ ଏହି ସମ୍ମାନ ମିଳିଛି।

ଡ. ସ୍ବାତୀ ନାୟକ
ପ୍ରଥମ ଓଡ଼ିଆ ତଥା ତୃତୀୟ ଭାରତୀୟ ବୈଜ୍ଞାନିକ ଭାବେ ସମ୍ମାନଜନକ ନରମାନ୍‌ ଇ ବୋର୍‌ଲଗ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ଡ. ସ୍ବାତୀ ନାୟକ। ବିଶ୍ବ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ୍‌ ତାଙ୍କୁ ‘ଉତ୍କୃଷ୍ଟ ଯୁବା ବୈଜ୍ଞାନିକ’ ବୋଲି ଉଲ୍ଲେଖ କରିଛି। ‘ସିଡ୍‌ ଲେଡି’ ଭାବେ ପରିଚିତ ସ୍ବାତୀଙ୍କୁ କ୍ଷେତ୍ର ଗବେଷଣା ଏବଂ ପ୍ରୟୋଗ ପାଇଁ ଏହି ପୁରସ୍କାର ମିଳିଛି।

‘ଓମ୍ୟାନ ଅଫ୍‌ ଦି ଇୟର’ ଶାଲୁ ଜିନ୍ଦଲ
ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ‘ଇଣ୍ଟରନ୍ୟାସନାଲ ଓମ୍ୟାନ୍‌ ଅଫ୍‌ ଦି ଇୟର’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଆମେରିକାର ଚିକାଗୋଠାରେ ଭାରତୀୟ ଦୂତାବାସ ସହଯୋଗରେ ଡି ଟ୍ରାଇବାଲ୍‌ସ ଫାଉଣ୍ଡେସନ୍‌ ଦ୍ବାରା ଆ​‌େ​‌ୟାଜିତ ସ୍ବଦେଶୀ ମେଳା ‘ଇଣ୍ଡିଆନ୍‌-ଆମେରିକାନ୍‌ ବାଣିଜ୍ୟ ମେଳା’ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ ୧କୋଟି ଲୋକଙ୍କ ଜୀବନର ଗୁଣାତ୍ମକ ବିକାଶ ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।

ଆମେରିକାରେ ପୁରସ୍କୃତ ହେଲେ ସୁମିତା
ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆସ୍ଥିତ ‘ଗୁଗ୍‌ଲ’ ମୁଖ୍ୟ କାର୍ଯ୍ୟାଳୟରେ ଇଞ୍ଜିନିୟର ସିଷ୍ଟମ ଏବଂ ଡିଜାଇନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଇଂ ସୁମିତା ଦେବତା ଜଣେ ପ୍ରଭାବଶାଳୀ ମହିଳା ଭାବେ ପୁରସ୍କୃତ ହୋଇଛନ୍ତି।

ପ୍ରତିରକ୍ଷାରେ…
ଭାରତୀୟ ମହିଳାମାନେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ବି କିଛି କମ୍‌ରେ ନାହାନ୍ତି। ଚଳିତବର୍ଷ ସେମାନେ ବହୁ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏପରି କେତେଜଣ ସଫଳ ଅଧିକାରୀ ହେଲେ-

ଦେଶର ପ୍ରଥମ ମହିଳା ସେନାଧିକାରୀ
ଓଡ଼ିଆ ଝିଅ ମନୀଷା ପାଢୀ ଦେଶର ପ୍ରଥମ ମହିଳା ସେନାଧିକାରୀ ଭାବେ ଏଡିସି (ଏଡ୍‌-ଡି-କ୍ୟାମ୍ପ) ହେବାର ଗୌରବ ଅର୍ଜନ କରିଛନ୍ତି। ୨୦୧୫ ବ୍ୟାଚ୍‌ର ଭାରତୀୟ ବାୟୁସେନା ଅଧିକାରୀ ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ନଭେମ୍ବର ୨୯ତାରିଖରେ ଏହି ପଦରେ ନିଯୁକ୍ତି ପ୍ରଦାନ କରିଥିଲେ।

ବାୟୁସେନାର ପ୍ରଥମ ବୀରତା ପଦକ
ୱିଙ୍ଗ କମାଣ୍ଡର ଦୀପିକା ମିଶ୍ରା ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଭାବେ ବୀରତା ପୁରସ୍କାର ପାଇଛନ୍ତି। ୨୦୨୧ ମସିହାରେ ମଧ୍ୟପ୍ରଦେଶରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ‘ଅସାଧାରଣ ସାହସ’ ପାଇଁ ରାଜସ୍ଥାନର ଦୀପିକାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ​‌େ​‌ସ ୪୭ଜଣଙ୍କ ଜୀବନ ରକ୍ଷା କରିଥିଲେ।

ନାରୀଶକ୍ତିର ପ୍ରଦର୍ଶନ
ଭାରତୀୟ ନୌସେନାର ମହିଳା ଶକ୍ତି ୨୩୦୦ କିଲୋମିଟର ପର୍ଯ୍ୟନ୍ତ କାର୍‌ ରାଲି କରି ନାରୀଶକ୍ତିର ପ୍ରଦର୍ଶନ କରିଛନ୍ତି। ଫେବୃଆରୀ ୧୪ରୁ ୨୫ ପର୍ଯ୍ୟନ୍ତ ଦିଲ୍ଲୀର ଯୁଦ୍ଧ ସ୍ମାରକୀଠାରୁ ରାଜସ୍ଥାନର ଲୋଙ୍ଗେୱାଲା ପୋଷ୍ଟ ପର୍ଯ୍ୟନ୍ତ ସେମାନେ ଯାତ୍ରା କରିଥିଲେ। ଏହାର ସ୍ଲୋଗାନ ଥିଲା ‘ସି ଇଜ୍‌ ଅନ୍‌ ଷ୍ଟପେବ୍‌ଲ’।

ସିଆଚୀନ୍‌ରେ ଶିବା
ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚୀନ୍‌ରେ ନିଯୁକ୍ତି ପାଇବାରେ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି କ୍ୟାପ୍‌ଟେନ ଶିବା ଚୌହାନ୍‌। ଗତ ଜାନୁଆରୀ ୨ତାରିଖରେ ତାଙ୍କୁ ସେଠାରେ ନିୟୋଜିତ କରାଯାଇଛି।

ନେତୃତ୍ବ ନେବେ ଶାଲିଜା
ଗ୍ରୁପ୍‌ କ୍ୟାପ୍‌ଟେନ ଶାଲିଜା ଧାମି ପ୍ରଥମ ବାୟୁସେନା ଅଧିକାରୀ ଭାବେ ଫ୍ରଣ୍ଟଲାଇନ୍‌ ଯୁଦ୍ଧ ୟୁନିଟ୍‌ର ଦାୟିତ୍ବ ନେବାକୁ ମନୋନୀତ ହୋଇଛନ୍ତି। ପଶ୍ଚିମ ଅଞ୍ଚଳରେ ମିସାଇଲ ସ୍କ୍ବାଡ୍ରନ୍‌ର ନେତୃତ୍ବ ନେବାକୁ ତାଙ୍କୁ ଦାୟିତ୍ବ ଦିଆଯାଇଛି। ୨୦୧୯ରେ ବାୟୁସେନାର ଫ୍ଲାଇଂ ୟୁନିଟ୍‌ର ଫ୍ଲାଇଟ୍‌ କମାଣ୍ଡର ପଦକୁ ଉନ୍ନୀତ ହେବାରେ ସେ ପ୍ରଥମ ମହିଳା ଅଧିକାରୀ ଥିଲେ।

ନୌସେନା ଜାହାଜରେ ପ୍ରେରଣା
ଆଇଏନ୍‌ଏସ୍‌ ଚେନ୍ନଇର ଲେପ୍ଟନାଣ୍ଟ କମାଣ୍ଡର ପ୍ରେରଣା ଦେବସ୍ଥଳୀ ଗତ ୨ତାରିଖରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଦାୟିତ୍ବରେ ନିଯୁକ୍ତ ହୋଇଛନ୍ତି। ଏ କ୍ଷେତ୍ରରେ ଭାରତୀୟ ନୌସେନାର ପ୍ରଥମ ମହିଳା ଅଧିକାରୀ ହୋଇଥିବା ପ୍ରେରଣା ପଶ୍ଚିମରେ ନିୟୋଜିତ ନୌସେନା ଜାହାଜ ଦାୟିତ୍ବରେ ରହିବେ।

ୟୁପିଏସ୍‌ସି ପରୀକ୍ଷାରେ ସଫଳ ଛାତ୍ରୀ
କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ଆୟୋଜିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା – ୨୦୨୨ର ଫଳାଫଳ କ୍ଷେତ୍ରରେ ମଧ୍ୟ ଦୁହିତାଙ୍କ ଜିତାପଟ ଦେଖିବାକୁ ମିଳିଛି। ପ୍ରଥମ ତିନୋଟି ସ୍ଥାନରେ ଈଶିତା କିଶୋର, ଗରିମା ଲୋହିଆ ଏବଂ ଉମା ହରତି ରହିଥିବା ବେଳେ ଏଥର ଓଡ଼ିଆ ପିଲାମାନେ ବେଶ୍‌ ସଫଳତା ପ୍ରଦର୍ଶନ କରିଛନ୍ତି। ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ ୨୮ଜଣ ରହିଥିବା ଜଣାପଡ଼ିଛି।

ବ୍ରହ୍ମାଣ୍ଡ ସୁନ୍ଦରୀ
ଗତ ଜାନୁଆରୀ ମାସରେ ଆମେରିକାର ଲୁଇସିଆନା ଅନ୍ତର୍ଗତ ନ୍ୟୁ ଅର୍ଲିନ୍ସଠାରେ ଆୟୋଜିତ ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଆମେରିକାର ଆର୍‌ ବୋନି ଗାବ୍ରିଏଲ ୨୦୨୨ ବର୍ଷ ପାଇଁ ମୁକୁଟ ବିଜୟିନୀ ହୋଇଛନ୍ତି। ୨୦୨୧ର ବ୍ରହ୍ମାଣ୍ଡ ସୁନ୍ଦରୀ ଭାରତର ହରନାଜ ସାନ୍ଧୁ ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ତେବେ ୨୦୨୩ ମସିହା ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ବିଜୟିନୀ ହୋଇଛନ୍ତି ନିକାରାଗୁଆର ସେନିସ୍‌ ପାଲାସିଓସ୍‌। ଗତ ନଭେମ୍ବର ୧୯ତାରିଖରେ ଏଲ୍‌ ସାଲ୍‌ଭାଡୋରର ରାଜଧାନୀ ସାନ ସାଲ୍‌ଭାଡୋରରେ ଆୟୋଜିତ ପ୍ରତିଯୋଗିତାରେ ଏହି ବିଜୟ ହାସଲ କରିବାରେ ସେ ନିକାରାଗୁଆର ପ୍ରଥମ ମହିଳା।

ରେଳ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷ ଏବଂ ସିଇଓ
ରେଳ ବୋର୍ଡର ଅଧ୍ୟକ୍ଷା ଓ ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ ଜୟା ବର୍ମା ସିହ୍ନାଙ୍କୁ ନିଯୁକ୍ତି ମିଳିଛି। ରେଳବାଇର ୧୬୬ ବର୍ଷର ଇତିହାସରେ ପ୍ରଥମ ମହିଳା ଭାବେ ସେପ୍ଟେମ୍ବର ପହିଲାରୁ ସେ ରେଳ ବୋର୍ଡର ଦାୟିତ୍ବ ଗ୍ରହଣ କରିଛନ୍ତି।

କମାଣ ବାହିନୀରେ ୫ ମହିଳା
ଭାରତୀୟ ସେନାର କମାଣ ବାହିନୀ (ଆର୍ଟିଲେରୀ ‌େ‌ରଜିମେଣ୍ଟ)ରେ ୫ଜଣ ମହିଳା ଅଧିକାରୀ ପ୍ରଥମ ଥର ପାଇଁ ନିୟୋଜିତ ହୋଇଛନ୍ତି। ସେମାନେ ହେଲେ ଲେପ୍ଟନାଣ୍ଟ ମହକ ସୈନୀ, ଲେପ୍ଟନାଣ୍ଟ ସାକ୍ଷୀ ଦୁବେ, ଲେପ୍ଟନାଣ୍ଟ ଅଦିତି ଯାଦବ, ଲେପ୍ଟନାଣ୍ଟ ପାୟସ ମୁଦ୍‌ଗିଲ ଏବଂ ଲେପ୍ଟନାଣ୍ଟ ଆକାଂକ୍ଷା। ଚେନ୍ନାଇରେ ଅଫିସର୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ଶେଷ ହେବା ପରେ ସେମାନଙ୍କୁ ସେନାର ପ୍ରମୁଖ ତୋପଖାନା ୟୁନିଟ୍‌ଗୁଡ଼ିକରେ ନିୟୋଜିତ କରାଯାଇଛି।

ଲମ୍ବଦୌଡ଼ରେ ଶାଢି
ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ହୋଇଥିବା ମାରାଥନ୍‌ରେ ଓଡ଼ିଆ ଝିଅ ୪୩ ବର୍ଷୀୟା ମଧୁସ୍ମିତା ଜେନା-ଦାସ ଅଂଶଗ୍ରହଣ କରିଥିଲା ବେଳେ ସମ୍ବଲପୁରୀ ଶାଢ଼ି ପିନ୍ଧି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୌଡ଼ିଥିଲେ। ମଧୁସ୍ମିତା ମାଞ୍ଚେଷ୍ଟରରେ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ।

ମିସ୍‌ ଟିନ୍‌ ୟୁନିଭର୍ସ ଇଣ୍ଡିଆ
କିଟ୍‌ ଛାତ୍ରୀ ତ୍ରିଷ୍ଣା ରାୟ ‘ମିସ୍‌ ଟିନ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୩’ ର ବିଜୟ ମୁକୁଟ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏପ୍ରିଲ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଚାଲିଥିବା ନ୍ୟାସ୍‌ନାଲ୍‌ ପାଜିଏଣ୍ଟ ଅଫ୍‌ ମିସ୍‌ ଟିନ୍‌ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଥିଲେ ତ୍ରିଷ୍ଣା।

ମିସେସ୍‌ ଏସିଆ ୱାର୍ଲଡ-୨୦୨୩
ରାୟଗଡ଼ା ଝିଅ ତଥା ଗଞ୍ଜାମ ବୋହୂ ସନ୍ଧ୍ୟା ଦଳେଇ ଥାଇଲାଣ୍ଡର ପଟ୍ଟାୟାଠାରେ ଆୟୋଜିତ ମିସେସ୍‌ ଏସିଆ ୱାର୍ଲଡ-୨୦୨୩ର ମୁକୁଟ ବିଜୟିନୀ ହୋଇଛନ୍ତି। ଓଡ଼ିଶାର କଳା-ସଂସ୍କୃତିକୁ ବିଶ୍ବ ଦରବାରରେ ଅଧିକ ପ୍ରସାରିତ କରିବାରେ ସେ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି ସନ୍ଧ୍ୟା।



No comments

Powered by Blogger.