Header Ads

Header ADS

ବିପଦ ସଂକେତ ଉପରେ ଦୟା ଓ ଭାର୍ଗବୀ

ପିପିଲି:ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦରୁ ବନ୍ୟାଜଳ ନିର୍ଗତ ଫଳରେ ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ତେବେ ଉଭୟ ନଦୀର ଜଳସ୍ତର ଦୀର୍ଘ ଘଣ୍ଟା ଧରି ସ୍ଥିର ରହିଥିବା ଓ ଏହା ବିଶେଷ ବୃଦ୍ଧି ପାଇବାର ସମ୍ଭାବନା ନଥିବାରୁ ବନ୍ୟା ଆଶଙ୍କା ଟଳି ଯାଇଥିବା ସୂଚନା ମିଳିଛି।

ଦୟାନଦୀର କଣ୍ଟି ଠାରେ ବିପଦ ସଙ୍କେତ ୧୦.୨୫ ମିଟର ରହିଥିବା ବେଳେ ଶନିବାର ସଂନ୍ଧ୍ୟା ୭ଟା ସୁଦ୍ଧା ୧୦.୩୧ ମିଟର ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଦୟାନଦୀର ମାଧିପୁର ଠାରେ ବିପଦ ସଙ୍କେତ ୧୧.୪୦୫ ମିଟର ରହିଥିବା ବେଳେ ସେଠାରେ ସଂନ୍ଧ୍ୟା ୭ଟା ସୁଦ୍ଧା ବନ୍ୟାଜଳ ୧୧.୧୪ ମିଟର ଉଚ୍ଚତାରେ ପ୍ରବାହିତ ହେଉଥିବା ସଂପର୍କରେ କଣ୍ଟି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମାଧବ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି । ସେହିପରି ଭାର୍ଗବୀ ନଦୀର ହରିପୁର ଠାରେ ବିପଦ ସଙ୍କେତ ୧୧.୬୭ ମିଟର ରହିଥିବା ବେଳେ ସଂନ୍ଧ୍ୟା ୭ଟା ସୁଦ୍ଧା ସେଠାରେ ବନ୍ୟାଜଳ ବିପଦ ସଂକେତ ଉପରେ ଅର୍ଥାତ ୧୨.୦୨ ମିଟର ଉଚ୍ଚତାରେ ପ୍ରବାହିତ ହେଉଥିବା ସଂପର୍କରେ ଉତ୍ତରା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଜିତୁକୃଷ୍ଣ ନନ୍ଦ ସୂଚନା ଦେଇଛନ୍ତି। ୭ଘଣ୍ଟା ଧରି ଉଭୟ ନଦୀର ଜଳସ୍ତର ସ୍ଥିର ରହିଥିବା ବେଳେ ଏହା ଅଧିକ ବୃଦ୍ଧି ପାଇବାର ସମ୍ଭାବନା କମ୍‍ ଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ତେବେ କାକୁଡିଆ ଠାରେ ଗଙ୍ଗୁଆ ନଦୀର ବନ୍ୟାଜଳ ଦୟାନଦୀରେ ପ୍ରବେଶ କରୁଥିବାରୁ ସେଠାରେ ଦୟାନଦୀର ଜଳସ୍ତର ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦୟାନଦୀର କଣ୍ଟି ଓ ମାଧିପୁର ସ୍ଥିତ କାଜ ଠାରେ ଜଳସ୍ତର ୮ଇଞ୍ଚ ତଳେ ରହିଛି। ଦୟାନଦୀର ଜଳସ୍ତର ଅଧିକ ବୃଦ୍ଧି ନହେଲେ ଉଭୟ କାଜ ଦେଇ ନଦୀରୁ ବନ୍ୟାଜଳ ନିର୍ଗତ ହେବା ସମ୍ଭାବନା କମ୍‍ ରହିଛି। ଫଳରେ ଏଥିଯୋଗୁଁ ସମ୍ଭାବ୍ୟ ବନ୍ୟା ବିପଦ ନଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ତେବେ ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧ ଉପରେ ୨୪ ଘଣ୍ଟିଆ ସତର୍କ ଦୃଷ୍ଟି ରଖାଯାଇଥିବା ସଂପର୍କରେ ପିପିଲି ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ଜୟପ୍ରକାଶ ସୂଚନା ଦେଇଛନ୍ତି। ଆଗକୁ ପୂର୍ଣ୍ଣମୀ ଆସୁଥିବାରୁ ସମୁଦ୍ର ଏବେ ଜୁଆରିଆ ରହିଛି। ଫଳରେ ନଦୀରୁ ସମୁଦ୍ରକୁ ବନ୍ୟାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବା ଯୋଗୁଁ ନଦୀରେ ବନ୍ୟାଜଳ ପ୍ରବାହର ବେଗ ପୂର୍ବାପେକ୍ଷା ଧିମେଇ ଯାଇଥିବା ସୂଚନା ମିଳିଛି।



No comments

Powered by Blogger.