Header Ads

Header ADS

ଦୁର୍ଗା ପୂଜା ନେଇ ଚୂଡ଼ାନ୍ତ ହୋଇ ନାହିଁ ନିଷ୍ପତ୍ତି, ପୂଜା କମିଟି ଗୁଡ଼ିକ ଆରମ୍ଭ କଲେଣି ପ୍ରସ୍ତୁତି


ଭଞ୍ଜନଗର: ଆରମ୍ଭ ହୋଇ ଯାଇଛି ପାର୍ବଣର ଋତୁ। ବିଗତ ବର୍ଷ କରୋନା କଟକଣା ପୂଜାକୁ ସଂପୂର୍ଣ୍ଣ ଫିକା କରି ଦେଇଥିଲା। ଚଳିତବର୍ଷ ମଧ୍ୟ ତୃତୀୟ ଲହରକୁ ଆଶଙ୍କା କରି କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସରକାର ପର୍ବପର୍ବାଣୀ ଓ ପାରମ୍ପରିକ ସାମୂହିକ କାର୍ଯ୍ୟକ୍ରମରେ କିଛିଟା କଟକଣା ଜାରି କରିଛନ୍ତି। ଦୁର୍ଗା ପୂଜା ନେଇ ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି  ବର୍ତ୍ତମାନ ସୁଦ୍ଧା ଚଡାନ୍ତ ହୋଇନାହିଁ। ବର୍ତ୍ତମାନ ସମସ୍ତ କଟକଣା କୋହଳ କରାଯାଇଥିବା ବେଳେ ପୂଜା ପାର୍ବଣରେ ମଧ୍ୟ କୋହଳ ନୀତି କିରବା ପାଇଁ ପୂଜା କମିଟି ଗୁଡିକ ଆଶା ପୋଷଣ କରିଛନ୍ତି। ଏଭଳି ପରିସ୍ଥିତି ମଧ୍ୟରେ କିଛି ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ମଧ୍ୟରେ ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ ନୀତି ସମାପନ କରାଯାଇଛି। ଦୁର୍ଗା ପୂଜା ପାଇଁ ଆହୁରି ଦୁଇମାସ ରହିଥିଲେ ମଧ୍ୟ ଗଣେଶ ପୂଜା ପରଠାରୁ ହିଁ ଅୟୋଜକ ମାନେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି।

ଚଳିତବର୍ଷ ଦଶହରାରେ ମୃଣ୍ମୟୀ ମୃର୍ତ୍ତି ପୂଜା ଅନୁଷ୍ଠିତ ହେବା ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ଗଂଜାମ ଜିଲ୍ଲା ଭଞ୍ଜନଗରରେ ହେଉଥିବା ୪ଟି ପୂଜା କମିଟି ପକ୍ଷରୁ ମାଟି ପୂଜା ସମାପନ ହୋଇ ସାରିଛି। କିନ୍ତୁ ମୂର୍ତ୍ତି ଉଚ୍ଚତା ଠାରୁ ଆରମ୍ଭ କରି ଆନୁସଙ୍ଗିକ ବ୍ୟବସ୍ଥା ନେଇ ପ୍ରଶାସନର କୌଣସି ସ୍ପଷ୍ଟ ନିର୍ଦ୍ଦେଶ ନାମା ଆସିନଥିବାରୁ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ନେଇ ଦ୍ବନ୍ଦରେ ପଡିଛନ୍ତି ଆୟୋଜକ।

ତେବେ ଆଗାମୀ ଦିନରେ ପୂଜା କରିବା ପାଇଁ ପ୍ରଶାସନ କଣ ନିର୍ଦ୍ଦେଶନାମା ଦେଉଛି ତାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଭଞ୍ଜନଗର ସହରରେ ଅନୁଷ୍ଠିତ ହେଉଥିବା ୪ଟି ଦୁର୍ଗା ପୂଜା ମଣ୍ଡପ ମଧ୍ୟରୁ ଖାଲାସି ସାହିରେ ହେଉଥିବା ବିଶ୍ବ ଜନନୀ କଳା ପରିଷଦ, ଓଏସ୍ଆର୍ଟିସି ଏବଂ ଜଳ ସମ୍ପଦ ବିଭାଗର ‘ବିଡେକା’ ଅନୁଷ୍ଠାନ ପକ୍ଷରୁ ଏଥିନେଇ ମାଟି ଅନୁକୂଳ ପୂଜା କାର୍ଯ୍ୟ ରାଧା ଅଷ୍ଟମୀ ଅବସରରେ ସମାପନ କରାଯାଇଛି। ଆଜି ସହରର ଅନ୍ୟତମ ପୁରାତନ ଅନୁଷ୍ଠାନ ଭଞ୍ଜ ସାହିତ୍ୟ ପରିଷଦରେ ‘ସାର୍ବଜନୀନ ଦୁର୍ଗା ପୂଜା’ ନିମନ୍ତେ ମାଟି ପୂଜା ସମାପନ ହୋଇଛି। ଏହି ଅନୁଷ୍ଠାନ ନିରବଚ୍ଛିନ ଭାବେ ଦୀର୍ଘ ୭୫ ବର୍ଷ ଧରି ପୂଜା କରି ଆସୁଥିବା ବେଳେ ଚଳିତବର୍ଷ ସରକାରଙ୍କ ସମସ୍ତ କୋଭିଡ ନିୟମ ପାଳନ କରି ପୂଜା କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ଏହି ପୂଜାର ମୁଖ୍ୟ ପୁରୋଧା ରାଜେନ୍ଦ୍ର କୁମାର ବିଶୋୟୀ ଏବଂ ସଭାପତି ସୁଶାନ୍ତ ମହାପାତ୍ର କହିଛନ୍ତି ଯେ ଦୁର୍ଗା ପୂଜା ନେଇ ସରକାର ନୀତି ସ୍ପଷ୍ଟ କରିବା ପରେ ଅନୁଷ୍ଠାନ ପକ୍ଷରୁ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ବିଶ୍ବ ଜନନୀ କଳା ପରିଷଦରେ ଦୀର୍ଘ ୪୨ ବର୍ଷ ଧରି ପୂଜା କରାଯାଉଛି। ଅନୁଷ୍ଠାନର ସଭାପତି ଶାନ୍ତୁନ କୁମାର ଦାଶଙ୍କ ପୌରହିତ୍ୟରେ ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ ପୂଜାର ସମାପନ ହୋଇଥିଲା।

କୋଭିଡ ନିୟମ ପାଳନ କରି ମାଟି ପୂଜା ହୋଇଥିଲେ ମଧ୍ୟ ପ୍ରଶାସନର ନିଷ୍ପତି ଅନୁଯାୟୀ ମୂର୍ତ୍ତି ପୂଜା କରାଯିବ ବୋଲି ସମ୍ପାଦକ ଜଗଦୀଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସେହିପରି ୫୩ ବର୍ଷରେ ପଦାର୍ପଣ କରିଥିବା ବିଡେକାର ଦୁର୍ଗା ପୂଜା ପାଇଁ ମଧ୍ୟ ମାଟି ଅନୁକୂଳ ହୋଇଯାଇଛି। ପ୍ରଶାସନ ଯେଉଁ ଭଳି ନିର୍ଦ୍ଦେଶ ଜାରି କରିବ ସେଭଳି ପୂଜା ଆୟୋଜନ କରାଯିବ ବୋଲି ‘ବିଡ଼େକା’ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯଦି କଟକଣା ଜାରି କରାଯାଏ ତେବେ ପୂଜା ମଣ୍ଡପ ଦ୍ବାରା ସଂପୂର୍ଣ୍ଣ  ବନ୍ଦ କରି ମଣ୍ଡପ ମଧ୍ୟରେ ନିରାଡମ୍ବର ଭାବେ ଦୁର୍ଗା ପୂଜାର ସମସ୍ତ ନୀତିକାନ୍ତି କରାଯିବା ବୋଲି ବିଡେକାର ସମ୍ପାଦକ ଇଂ. ସନ୍ତୋଷ କୁମାର ଗୌଡ ପ୍ରକାଶ କରିଛନ୍ତି। ସେହିପରି ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପୂଜା କରିଆସୁଥିବା ଓଏସ୍ଆର୍ଟିସି ପକ୍ଷରୁ ମଧ୍ୟ ପୂଜାକୁ ନେଇ କମିଟି ମଧ୍ୟରେ ଦ୍ବନ୍ଦରେ ରହିଥିବା ବେଳେ ମାଟି ପୂଜା ସମ୍ପନ୍ନ ହୋଇଥିବା ଜଣାପଡିଛି।

The post ଦୁର୍ଗା ପୂଜା ନେଇ ଚୂଡ଼ାନ୍ତ ହୋଇ ନାହିଁ ନିଷ୍ପତ୍ତି, ପୂଜା କମିଟି ଗୁଡ଼ିକ ଆରମ୍ଭ କଲେଣି ପ୍ରସ୍ତୁତି first appeared on Sambad.

No comments

Powered by Blogger.