Header Ads

Header ADS

ଜମିବାଡ଼ି ବେପାରକୁ ନେଇ ରାଜଧାନୀରେ ବଢ଼ୁଛି ଅପରାଧ : ଗୋଟିଏ ବର୍ଷରେ ୩୮୦ ଅଭିଯୋଗ


ଭୁବନେଶ୍ବର : ଜମିବାଡ଼ି ବେପାରକୁ ନେଇ ରାଜଧାନୀରେ ଅପରାଧ ବଢ଼ିବାରେ ଲାଗିଛି। ଜାଗା କିଣିଲେ କି ଘ‌ର କଲେ ଦେବାକୁ ପଡ଼ୁଛି ଦାଦାବଟି। କେଉଁଠି ଗୋଟିଏ ଜମି ୩ ଥର ବିକ୍ରି ହେଲାଣି ତ’ କେଉଁଠି ଜମିରେ ଘର କରି ବିଲ୍ଡର୍‌ ବିକି ସାରିଥିଲେ ମଧ୍ୟ ମାଲିକ ଟଙ୍କା ପାଇନି। ନକଲି କାଗଜ ଓ ନକଲି ମାଲିକକୁ ଛିଡ଼ା କରି ଆଉ କାହାର ଜମି ମଧ୍ୟ ବିକ୍ରି ହୋଇଯାଉଛି। ସରକାରୀ ଜମି ବି ପ୍ଲଟିଂ ହୋଇ ବିକ୍ରି ହେଉଛି। ଭୁବନେଶ୍ବରରେ ଜମି ପାଇଁ ବଢ଼ୁଥିବା ଚାହିଦା ଅନୁପାତରେ ଅପରାଧ ବଢ଼ି ବଢ଼ି ଚାଲିଛି। ଗତବର୍ଷ ଭୁବନେଶ୍ବରର ବିଭିନ୍ନ ଥାନ‌ାରେ ୪୬୭ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ କେବଳ ଜମିବାଡ଼ି ସମ୍ପର୍କିତ ୩୮୦ ଠକେଇ ମାମଲା ରହିଛି। ଏଭଳି ଅପରାଧ କ୍ରମାଗତ ଭାବରେ ବଢ଼ୁଥିବାରୁ ଜମି କିଣିବାକୁ ଯାଉଥିବା ସାଧାରଣ ଲୋକ ସହ କମିସନରେଟ୍‌ ପୁଲିସ ମଧ୍ୟ ଚିନ୍ତାରେ ପଡ଼ିଛି।

ବିଲ୍ଡର୍‌ଙ୍କ ନାମରେ ଅଭିଯୋଗ ଅଧିକ
ଜମିବାଡ଼ି ଠକେଇଗୁଡ଼ିକ ମଧ୍ୟରୁ ଅଧିକ ଅଭିଯୋଗ ରହିଛି ବିଲ୍ଡରଙ୍କ ନାମରେ। ଜମି ନେଇଯିବା ପରେ ବିଲ୍ଡର ଜମି ମାଲିକକୁ ଟଙ୍କା ଦେଉ ନାହାନ୍ତି। ଅନେକ କ୍ଷେତ୍ରରେ ପାୱାର ଅଫ୍ ଆଟର୍ଣ୍ଣି ତିଆରି କଲା ବେଳେ ବିଲ୍ଡର ଚଞ୍ଚକତା କରୁଛନ୍ତି, ଫଳରେ ଠକାମିର ଶିକାର ହେଉଛନ୍ତି ଜମି ମାଲିକ। ଅଜାଣତରେ ଦସ୍ତଖତ କରି ଦେଉଥିବାରୁ ଫସି ଯାଉଛନ୍ତି। ସେହିଭଳି ଘର ଦେବାକୁ କହି ବିଲ୍ଡର ମୋଟା ଅଙ୍କର ଟଙ୍କା ନେଉଥିଲେ ମଧ୍ୟ ବର୍ଷ ବର୍ଷ ଧରି ଘର ଦେଉ ନାହାନ୍ତି। ଏଭଳି ଅଭିଯୋଗ ସବୁ ଖଣ୍ଡଗିରି ଥାନାରେ ସର୍ବାଧିକ ରହିଥିବା ବେ‌ଳେ ତମାଣ୍ଡୋ, ସହିଦନଗର, ମଞ୍ଚେଶ୍ବର, ବଡ଼ଗଡ଼ ଥାନାରେ ମଧ୍ୟ ଏଭଳି ଅନେକ ମାମଲା ରହିଛି।

ବେପାରରେ ଦାଦାବଟି ବଢ଼ୁଛି
ଏହି ବେପାରକୁ ନେଇ ଦାଦାବଟି ବଢ଼ିବାରେ ଲାଗିଛି। ଜମି କିଣିଲେ, ବିକିଲେ, ଘର କଲେ, ଜମି ପର୍ଯ୍ୟନ୍ତ ରାସ୍ତା କରିବାକୁ ହେଲେ ଦାଦାବଟି ଦେବାକୁ ପଡ଼ୁଛି। ନଦେଲେ ଅତ୍ୟାଚାରିତ ହେବାକୁ ପଡ଼ୁଛି। କେବଳ ବିଶୃଙ୍ଖଳିତ ଯୁବକ ନୁହନ୍ତି, ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ମହିଳା ଗୋଷ୍ଠୀଙ୍କ ବିରୋଧରେ ଏଭଳି ଏକାଧିକ ଅଭିଯୋଗ ରହିଛି। ଏଭଳି ଅଭିଯୋଗ ବଢ଼ିବାରୁ କମିସନରେଟ୍‌ ପୁଲିସ୍‌ ‘ଦାଦାବଟିକୁ ନା’ ମିସନ ଆରମ୍ଭ କରିଛି। ଏହି ମିସନ୍‌ରେ ବର୍ତ୍ତମାନ ସୁଦ୍ଧା ୧୬୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ଜମିବାଡ଼ି ବେପାରରେ ଦାଦାଗିରିକୁ ନେଇ ୯୭ ଜଣ ବନ୍ଧା ହୋଇଛନ୍ତି।

ତଦନ୍ତରେ ପୁଲିସର ଅବହେଳା
ଅନେକ କ୍ଷେତ୍ରରେ ସରକାରୀ ବିଧିବ୍ୟବସ୍ଥା ମୁତାବକ ବିଲ୍ଡର ଓ ଗ୍ରାହକଙ୍କ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲେ ମଧ୍ୟ ବିଲ୍ଡର ଏହାକୁ ଏଡ଼ାଇ ଯାଉଛନ୍ତି। ଥାନାରେ ଅଭିଯୋଗ ହେଲେ ମଧ୍ୟ ପୁଲିସ ହାଲୁକା ଭାବରେ ନେଉଛି। ବିଲ୍ଡର ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଗ୍ରାହକ ଥାନା ଦଉଡ଼ି ହତାଶ ହେଉଛନ୍ତି। ଅନେକ ଜାଗାରେ ମୋଟା ଅଙ୍କର ଅର୍ଥ କାରବାର ଫଳରେ ପୁଲିସ ନିରବ ରହୁଥିବା ଅଭିଯୋଗ ହେଉଛି। କୋର୍ଟଙ୍କ ଆଦେଶ ପରେ ପୁଲିସ ମାମଲା ରୁଜୁ କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ଥାନାଗୁଡ଼ିକରେ ରୁଜୁ ହୋଇଥିବା ମାମଲାର ୬୦ ପ୍ରତିଶତ ୧-ସିସି କେସ୍‌ ବୋଲି ଅନୁସନ୍ଧାନ ବେଳେ ଜଣାପଡ଼ିଛି।

ଗତବର୍ଷର କିଛି ପ୍ରମୁଖ ଘଟଣା
ଗତବର୍ଷ ସେପ୍ଟେମ୍ବରରେ ୧୮ ଗ୍ରାହକଙ୍କଠାରୁ ୫ କୋଟି ୧୬ ଲକ୍ଷ ୬୭ ହଜାର ଟଙ୍କା ଠକେଇ ଅଭିଯୋଗରେ କେଶରୀ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଅକ୍ଷୟ ଚୌଧୁରୀ ଗିରଫ ହୋଇଥିଲେ।

ଫେବ୍ରୁଆରିରେ ଏକ ସଂସ୍ଥାର କାଗଜପତ୍ର ଓ ଦସ୍ତଖତ ଜାଲିଆତି କରି ୧କୋଟି ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଚନ୍ଦ୍ରଶେଖରପୁରର ବିଲ୍ଡର ଉଦୟଶଙ୍କର ସାହୁ ଗିରଫ ହୋଇଥି‌ଲେ। ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ଅଭିଯୋଗ ରହିଛି।
ଗତ ଜୁନ୍‌ରେ ଜମି ଦେବାକୁ କହି ୧୬ ଲକ୍ଷ ୮୦ ହଜାର ଠକେଇ ଅଭିଯୋଗରେ ସାଇନାଥ ଇନ୍‌ଫ୍ରାଟେକ୍‌ ମୁଖ୍ୟ ଉପେନ୍ଦ୍ର ସେନାପତିକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଥିଲା।

ଜମି ଦେବାକୁ କହି ତିନି କୋଟି ଟଙ୍କା ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ମନୋଜ ଲେଙ୍କାକୁ ପୁଲିସ ଗିରଫ କରିଥିଲା। ୧୫ ଜଣଙ୍କୁ ସେ ୩ କୋଟି ଠକିଥିବା ଅଭିଯୋଗ ହୋଇଛି।

ସବୁଠାରୁ ବଡ଼ କଥା ହେଉଛି ଥରେ ବିଲ୍ଡର କିମ୍ବା ଜମି ବେପାରୀ ଗିରଫ ହୋଇଯିବା ପରେ ଅଭିଯୋଗକାରୀକୁ ଆଉ ଟଙ୍କାଟିଏ ଫେରସ୍ତ ମିଳୁ ନାହିଁ। ଫଳରେ ଅନେକ ମାମଲା ଆପୋସ ସମାଧାନ ହେଉଛି। ଜମି ବା ଘର ପାଇବାକୁ ଆବେଦନ କରିଥିବା ହିତାଧିକାରୀ କ୍ଷତିଗ୍ରସ୍ତ ହେଲେ ମଧ୍ୟ ନିରବ ରହିବାକୁ ବାଧ୍ୟ ହେଉଛନ୍ତି।

The post ଜମିବାଡ଼ି ବେପାରକୁ ନେଇ ରାଜଧାନୀରେ ବଢ଼ୁଛି ଅପରାଧ : ଗୋଟିଏ ବର୍ଷରେ ୩୮୦ ଅଭିଯୋଗ first appeared on Sambad.


No comments

Powered by Blogger.