ସାଇବର ହେଲ୍ପ ଡେସ୍କର ପ୍ରଥମ ସଫଳତା : ୫୩ ହଜାରରୁ ଫେରିଲା ୯ ହଜାର
ଭୁବନେଶ୍ବର : କିଛି ଦିନ ପୂର୍ବେ ସ୍ଥାପିତ ହୋଇଥିବା କମିସନରେଟ୍ ପୁଲିସର ସାଇବର ହେଲ୍ପ ଡେସ୍କକୁ ପ୍ରଥମ ସଫଳତା ମିଳିଛି। ହେଲ୍ପ ଡେସ୍କର ହସ୍ତକ୍ଷେପ ଯୋଗୁଁ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ କଟି ଯାଇଥିବା ୫୩ ହଜାର ଟଙ୍କାରୁ ୯ ହଜାର ଟଙ୍କା ମିଳିଛି। ହେଲେ ବାକି ୪୪ ହଜାର ଟଙ୍କା ଠକ ଆକାଉଣ୍ଟରୁ ଫେରିବା ସମ୍ଭବ ହୋଇନାହିଁ। ଅଭିଯୋଗ କରିବାରେ କିଛିଟା ବିଳମ୍ବ ହୋଇଥିବାରୁ ୪୪ ହଜାର ଟଙ୍କା ଫେରି ପାରିନାହିଁ; କିନ୍ତୁ ସବୁ ଟଙ୍କାକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ହେଲ୍ପ ଡେସ୍କ ପକ୍ଷରୁ ସୂଚନା ମିଳିଛି। ସାଇବର ସେଲ୍ ଖୋଲା ହେବାର ମାତ୍ର ଦିନ କେଇଟା ମଧ୍ୟରେ ଏଭଳି ଏକ ସଫଳତା କିଛିଟା ଆଶ୍ବସ୍ତି ଆଣି ଦେଇଛି।
ସୂଚନାନୁସାରେ ସହିଦନଗର ବାସିନ୍ଦା ଶ୍ରେତଶତ ପ୍ରସାଦ ସିଂହଦେଓଙ୍କ ପାଖକୁ ଗତ ଶନିବାର ଦିନ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ବ୍ୟାଙ୍କ୍ ଅଧିକାରୀ ବୋଲି କହିଥିଲେ। ସିପିପି (ପେ’ଚେକ୍ ପ୍ରୋଟେକ୍ସନ ପ୍ରୋଗ୍ରାମ୍) ରିସେଟ୍ କରିବା ପାଇଁ ତାଙ୍କୁ ତାଙ୍କ ଏଟିଏମ୍ କାର୍ଡ ନମ୍ବର ଓ ସିଭିଭି ନମ୍ବର ମାଗିଥିଲେ। ଫୋନ୍ କରିଥିବା ବ୍ୟକ୍ତି ଜଣକ ସାଇବର ଠକ ବୋଲି ଶ୍ରୀ ସିଂହଦେଓ ଜାଣିପାରିନଥିଲେ। ତେଣୁ ସେ ତାଙ୍କ କାର୍ଡ ନମ୍ବର କହି ଦେଇଥିଲେ। ଏହା ପରେ ତାଙ୍କ ମୋବାଇଲ୍ ଫୋନ୍କୁ ଏକ ଓଟିପି ନମ୍ବର ଆସିଥିଲା। ସେ ଉକ୍ତ ଓଟିପିକୁ ମଧ୍ୟ ସେହି ନକଲି ବ୍ୟାଙ୍କ ଅଧିକାରୀଙ୍କୁ କହି ଦେଇଥିଲେ। ଏହାର କିଛି କ୍ଷଣ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୪୪ ହଜାର ଟଙ୍କା କଟି ଯାଇଥିଲା। ସେତେବେଳେ ଯାଇ ଶ୍ରୀ ସିଂହଦେଓ ବୁଝିଲେ ଯେ ସେ ସାଇବର ଠକର ଶିକାର ହୋଇଗଲେ। ତେଣୁ ସେ ତୁରନ୍ତ କମିସନରେଟ୍ ପୁଲିସର ସାଇବର କ୍ରାଇମ୍ ହେଲ୍ପ ଲାଇନ୍ ନମ୍ବର(୭୪୪୦୦୬୭୦୯)ରେ ଯୋଗାଯୋଗ କରିଥଲେ। ତେବେ ଏହା ଭିତରେ ତାଙ୍କ ଆକାଉଣ୍ଟରୁ ପୁଣି ଥରେ ୯ ହଜାର ଟଙ୍କା କଟି ଯାଇଥିଲା। କିନ୍ତୁ ଅଭିଯୋଗ ପାଇବା ମାତ୍ରେ ସାଇବର ହେଲ୍ପ ଡେସ୍କର ବିଶେଷଜ୍ଞ ଠକ ଦେଇଥିବା ଆକାଉଣ୍ଟ ନମ୍ବରକୁ ଫ୍ରିଜ୍ କରି ଦେଇଥିଲେ। ଫଳରେ ଦ୍ବିତୀୟ କିସ୍ତିରେ କଟିଥିବା ୯ ହଜାର ଟଙ୍କା ପୁଣି ଶ୍ରୀସିଂହଦେଓଙ୍କ ଆକାଉଣ୍ଟକୁ ଫେରି ଆସିଥିଲା। କିନ୍ତୁ କିଛି ସମୟ ବିଳମ୍ବ ହୋଇଯାଇଥିବାରୁ ପ୍ରଥମ କିସ୍ତିରେ କଟିଥିବା ୪୪ ହଜାର ଟଙ୍କା ଫେରିନଥିଲା। ସାଇବର ସେଲ୍ର ବିଶେଷଜ୍ଞଙ୍କ କହିବା କଥା ଆଉ ଟିକିଏ ବିଳମ୍ବ ହୋଇଥିଲେ ଏହି ୯ ହଜାର ଟଙ୍କା ବି ଫେରିନଥାନ୍ତା। ସେହିଭଳି ପ୍ରଥମେ କଟିଥିବା ଟଙ୍କା ବାବଦରେ ଆଉ ଟିକିଏ ପୂର୍ବରୁ ଖବର ମିଳିଥିଲେ, ଠକର ଆକାଉଣ୍ଟକୁ ଫ୍ରିଜ୍ କରି ହୋଇଥାନ୍ତା ଓ ୪୪ ହଜାର ଟଙ୍କା ଫେରିପାରିଥାନ୍ତା। ତେବେ ଯେତିକି ବି ଟଙ୍କା ଫେରୁ, ଏକ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ହୋଇପାରିଥିବାରୁ ଲୋକଙ୍କ ଭିତରେ ଆଶ୍ବସ୍ତି ଆସିଛି। ତେଣୁ ହେଲ୍ପ ଡେସ୍କ ବ୍ୟବସ୍ଥାକୁ ପ୍ରଶଂସା କରାଯାଉଛି।
ସୂଚନାଯୋଗ୍ୟ, ସାଇବର ଠକେଇ ବଢ଼ି ବଢ଼ି ଚାଲିଥିବାରୁ କମିସନରେଟ୍ ପୁଲିସ କେବଳ ଭୁବନେଶ୍ବର ପାଇଁ ଏକ ହେଲ୍ପ ଡେସ୍କ ଖୋଲିଛି। ଫେକ୍କଲ୍ ଚିହ୍ନଟ ଓ ବ୍ଲକ୍ କରିବା ସହ ସାଇବର ଠକ ବ୍ୟବହାର କରୁଥିବା ବ୍ୟାଙ୍କ୍ ଆକାଉଣ୍ଟ ସିଜ୍ କରିବା ପାଇଁ ଏହି ହେଲ୍ପଡେସ୍କ ସହାୟତା କରୁଛି। ଗୋଟିଏ ଫୋନ୍ କଲ୍(୭୪୪୦୦୦୬୭୦୯)ରେ ଏହି ଡେସ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
ପୁଣି ସାଇବର ଠକେଇ : ମହିଳାଙ୍କ କ୍ରେଡିଟ୍ କାର୍ଡରୁ ୨.୫୮ ଲକ୍ଷ ଉଡ଼ାଇନେଲେ
ଭୁବନେଶ୍ବର : ରାଜ୍ୟରେ ସାଇବର ଠକେଇକୁ ନେଇ ପୁଲିସ ଯେତେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କଲେ ବି ଦିନକୁ ଦିନ ଠକେଇ ବଢ଼ି ବଢ଼ି ଚାଲିଛି। ପୁଲିସ ଡାଳେଡାଳେ ଗଲା ବେଳକୁ ଠକ ପତ୍ରେପତ୍ରେ ଯାଉଛନ୍ତି। ରାଜଧାନୀରେ ରହୁଥିବା ଶିକ୍ଷିତ ଓ ସଚେତନ ଲୋକେ ହିଁ ଅଧିକ ସଂଖ୍ୟାରେ ଏଭଳି ଠକାମିରେ ପଡ଼ୁଛନ୍ତି। କ୍ରେଡିଟ୍ କାର୍ଡ ଅପ୍ଡେଟ୍ ଆଳରେ କେଶୁରାର ଜଣେ ମହିଳାଙ୍କଠାରୁ ସାଇବର ଠକ ୨ ଲକ୍ଷ ୫୮ ହଜାର ଟଙ୍କା ଉଡ଼ାଇନେଇ ଯାଇଛନ୍ତି। ଏ ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ପ୍ରତିଦିନ ଏଭଳି ସାଇବର ଠକେଇର ଅଭିଯୋଗଫର୍ଦ୍ଦ ଲମ୍ବା ହେବାରେ ଲାଗିଥିବାରୁ ପୁଲିସର ଚିନ୍ତା ବଢ଼ିଯାଇଛି।ଗତକାଲି ସନ୍ଧ୍ୟାରେ ଏହି ମହିଳାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ନିଜକୁ କ୍ରେଡିଟ୍ କାର୍ଡ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇ ଠକ ଜଣକ କ୍ରେଡିଟ୍ କାର୍ଡ ଅପ୍ଡେଟ ନ କଲେ ଆଉ କାରବାର କରି ହେବ ନାହିଁ ବୋଲି କହିଥିଲା। ମହିଳା ଜଣକ ତା’ କଥାକୁ ବିଶ୍ବାସ କରି ଠକ କହିବା ଅନୁସାରେ ସବୁ ତଥ୍ୟ ଯୋଗାଇ ଦେଇଥିଲେ। ଆଉ ଅପ୍ଡେଟ୍ ଆଳରେ ଏସ୍ବିଆଇ କ୍ରେଡିଟ୍ କାର୍ଡରୁ ୪୦ ହଜାର ଓ ୯୯ ହଜାର ଟଙ୍କା ଏବଂ ଆରବିଏଲ୍ କ୍ରେଡିଟ୍ କାର୍ଡ଼ରୁ ଦୁଇ ଦଫାରେ ୨୯ ହଜାର ୯୯୯ ଓ ୯୦ ହଜାର ଟଙ୍କା କଟି ଯାଇଥିଲା। ଏହା ଦେଖିବା ପରେ ତାଙ୍କ ମୁଣ୍ଡ ଘୂରେଇ ଯାଇଥିଲା। ସେ ଠକାମିର ଶିକାର ହୋଇଛନ୍ତି ବୋଲି ଜାଣିବା ପରେ ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ସାଇବର ହେଲ୍ପ ଡେସ୍କ ଏହି ମାମଲାର ଅନୁସନ୍ଧାନ କରୁଛି।
The post ସାଇବର ହେଲ୍ପ ଡେସ୍କର ପ୍ରଥମ ସଫଳତା : ୫୩ ହଜାରରୁ ଫେରିଲା ୯ ହଜାର first appeared on Sambad.
No comments