Header Ads

Header ADS

ବନ୍ଧା ହେଲା ରସିକିଆ ଲୁଟେରା : ଚୋରି ମୋବାଇଲ ଦେଇ ଝିଅଙ୍କୁ ଫସାଉଥିଲା


ଭୁବନେଶ୍ବର : ଲଜ୍‌ରେ ରହୁଥିଲା। ଦାମୀ ମୋବାଇଲ ଦେଇ ଝିଅଙ୍କୁ ପଟାଉଥିଲା। ତେବେ ବଜାରରୁ କିଣିକି ନୁହେଁ, ବରଂ ବଡ଼ିଭୋର୍‌ରୁ ‌ଲୋକଙ୍କ ଘରେ ପଶି ମୋବାଇଲ ଚୋରି କରୁଥିଲା। ନହେଲେ ରାସ୍ତାରେ ଏକୁଟିଆ ଯାଉଥିବା ମହିଳାଙ୍କଠାରୁ ଝାମ୍ପି ନେଉଥିଲା। ଖାଲି ମୋବାଇଲ ନୁହେଁ; ଘରେ ପଶିବା ବେଳେ ଯାହା ଦାମୀ ଜିନିଷ ନଜରରେ ପଡ଼ୁଥିଲା, ଧରି ଚମ୍ପଟ ମାରୁଥିଲା। ଗୋଟିଏ ଝିଅ ଉପରୁ ମନ ଛାଡ଼ିଗଲେ ଆଉ ଗୋଟିଏ ଝିଅ ଖୋଜୁଥିଲା। ଏଭଳି ଜଣେ ରସିକିଆ ଲୁଟେରାକୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ସେ ହେଉଛି ଜଗତସିଂହପୁର ନୂଆଗାଁ ଜାମୁ ଗାଁର ସଞ୍ଜିତ କୁମାର ରାୟ। ତା’ ନିକଟରୁ ୨୩ଟି ମୋବାଇଲ ଫୋନ୍‌, ୩ଟି ଲ୍ୟାପଟପ୍‌ ଓ ଦୁଇଟି ଚୋରା ବାଇକ୍‌ ଜବତ କରାଯାଇଛି। ଏବେ ପୁଲିସ ସେଇସବୁ ଝିଅମାନଙ୍କୁ ଖୋଜୁଛି ଯେଉଁମାନେ ଏହି ରସିକିଆ ଲୁଟେରାଠାରୁ ଉପହାରରେ ମୋବାଇଲ ନେଇଛନ୍ତି। ସଞ୍ଜିତ ନାମରେ ଶ୍ରୀଲିଙ୍ଗରାଜ ଥାନାରେ ୨ଟି, ବଡ଼ଗଡ଼ ଥାନାରେ ଗୋଟିଏ, ନୂଆପଲ୍ଲୀରେ ଗୋଟିଏ, ଚନ୍ଦ୍ରଶେଖରପୁର ଥାନାରେ ୪ଟି, ସହିଦନଗର ଥାନାରେ ୪ଟି, ମଞ୍ଚେଶ୍ବର ୨ଟି, ଖଣ୍ଡଗିରିରେ ଗୋଟିଏ, ଖାରବେଳ ନଗର ଥାନାରେ ୪ଟି, ଲକ୍ଷ୍ମୀସାଗର ଥାନାରେ ୨ଟି, ମହିଳା ଥାନାରେ ଗୋଟିଏ, ଏଭଳି ମୋଟ ୨୨ଟି ମାମଲା ରହିଛି। ଏହିସବୁ ମାମଲା ପାଇଁ ସେ ପୂର୍ବରୁ ୪ ଥର ଗିରଫ ହୋଇଛି। ତେବେ ଜାମିନ୍‌ରେ ଆସିବା ପରେ ପୁଣି ଲଟୁଥିଲା ବୋଲି ପୁଲିସ କହିଛି।

ଜଗତସିଂହପୁରର ସଞ୍ଜିତ ବିଏ ପଢ଼ିସାରିବା ପରେ ପ୍ରଥମେ ମେଡିସିନ୍‌ ରିପ୍ରେଜେଣ୍ଡଟଟିଭ୍‌ ଭାବରେ ଚାକିରି ପାଇଥିଲା। ଆଉ ସେଠାରେ ଭଡ଼ାରେ ରହୁଥିବା ବେଳେ ଜଣେ ନାବାଳିକା ସହ ସମ୍ପର୍କ ରଖିଥିଲା। ଏହାକୁ ନେଇ ସେଠାରେ ବିବାଦ ହେବା ପରେ ସେ ଭୁବନେଶ୍ବର ଚାଲି ଆସିଥିଲା। ଏଠାରେ ଚାକିରି ଖୋଜିବା ନାମରେ ପ୍ରଥମେ ମଞ୍ଚେଶ୍ବର ଅଞ୍ଚଳରେ ଭଡ଼ାଘରେ ରହୁଥିଲା। ୨୦୧୨ ମସିହାରେ ବଳାତ୍କାର ଅଭିଯୋଗରେ ସେ ପ୍ରଥମେ ଜେଲ୍‌ ଯାଇଥିଲା। ଏହାପରେ ୨୦୧୩ରେ ମୋବାଇଲ ଚୋରି ଅଭିଯୋଗରେ ତାକୁ ସହିଦନଗର ଥାନା ପୁଲିସ ଗିରଫ କରିଥିଲା। ଏହି ମାମଲାରେ ବେଶ୍‌ କିଛି ଦିନ ଜେଲ୍‌ରେ ରହିବା ପରେ ସେ ଜ‌ାମିନରେ ମୁକୁଳିଥିଲା। କିନ୍ତୁ ଚୋରିବିଦ୍ୟାରେ ପାରଙ୍ଗମ ହୋଇ ସାରିଥିବା ସଞ୍ଜିତ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘର ଭଡ଼ା ନେଇ ପୁଣି ଚୋରିରେ ମାତି ଯାଇଥିଲା। ସେଠାରେ ପୁଣିଥରେ ଗିରଫ ହୋଇ ଜେଲ୍‌ରୁ ଫେରିବା ପରେ ଗତ ୨୬ ତାରିଖରୁ ସେ ଅଶୋକ ନଗରରେ ଥିବା ସନ୍ତୋଷ ଲଜ୍‌ରେ ରହୁଥିଲା। ଭୋର୍‌ରୁ ଯାଇ ୭ଟା ବେଳକୁ ଲଜ୍‌କୁ ଫେରି ଆସୁଥିଲା। ଏହି ସମୟରେ ସେ ଲୋକଙ୍କ ଘରେ ପଶି ମୁଖ୍ୟତଃ ମୋବାଇଲ ଓ ଲାପଟପ୍ ଆଦି ଚୋରି କରୁଥିଲା।

ଗତ ଡିସେମ୍ବର ୧ ତାରିଖ ଦିନ ୟୁନିଟ୍‌-୩ ଅଞ୍ଚଳରେ ରହୁଥିବା ମିଥୁନ ସାହୁଙ୍କ ଘରୁ ଏକ ଦାମୀ ମୋବାଇଲ ଚୋରି ହୋଇଥିଲା। ମିଥୁନ ଫୁଲ ତୋଳୁ ଥିବାବେଳେ ତାଙ୍କ ଘରେ ପଶି ସଞ୍ଜିତ ମୋବାଇଲ ନେଇ ଯାଇଥିଲା। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମୋବାଇଲକୁ ଟ୍ରାକ୍‌ କରି ସନ୍ତୋଷ ଲଜ୍‌ରେ ପହଞ୍ଚିଥିଲା। ସେଠାରୁ ସଞ୍ଜିତକୁ ଗିରଫ କରିବା ସହ ଏହି ସବୁ ଚୋରା ଜିନିଷ ଉଦ୍ଧାର କରିଥିଲା। ପଚରାଉଚରା ବେଳ‌େ ପୁଲିସ ଏହି ରସିକିଆ ଲୁଟେରା ବିଷୟରେ ଜାଣିବାକୁ ପାଇଥିଲା।

The post ବନ୍ଧା ହେଲା ରସିକିଆ ଲୁଟେରା : ଚୋରି ମୋବାଇଲ ଦେଇ ଝିଅଙ୍କୁ ଫସାଉଥିଲା first appeared on Sambad.


No comments

Powered by Blogger.