Header Ads

Header ADS

ଜିଏସ୍‌ଟି ଆୟରେ ରେକର୍ଡ ବୃଦ୍ଧି: ସୁଧାର ପଥରେ ଓଡ଼ିଶା ଅର୍ଥନୀତି


ଭୁବନେଶ୍ବର: କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ଅର୍ଥନୀତି ଦ୍ରୁତ ଗତିରେ ସୁଧାର ପଥକୁ ‌ଫେରୁଛି। ଓଡ଼ିଶା ଜିଏସ୍‌ଟି (ଓଜିଏସ୍‌ଟି) ଆଦାୟରୁ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ୨୦୨୦ ଡିସେମ୍ବରରେ ୭୬୫.୨୬ କୋଟି ଟଙ୍କାର ଓଜିଏସ୍‌ଟି ଆଦାୟ ହୋଇଛି ଯାହା ୨୦୧୯ ଡି‌ସେମ୍ବରରେ ହୋଇଥିବା ଆୟ ତୁଳନାରେ ପ୍ରାୟ ୩୫ କୋଟି ଟଙ୍କା ଅଧିକ। କରୋନା ସଂକ୍ରମଣକୁ ରୋକିବା ଲାଗି ୨୦୨୦ ମାର୍ଚ୍ଚ ୨୫ରେ କେନ୍ଦ୍ର ସରକାର କଠୋର ଲକ୍‌ଡାଉନ୍ ଘୋଷଣା କରିବା ପରେ ଓଡ଼ିଶା ସମେତ ସାରା ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ଏକପ୍ରକାର ଠପ୍ ହୋଇଯାଇଥିଲା। ସେଥିପାଇଁ ୨୦୨୦ ଏପ୍ରିଲ୍‌ରେ ରାଜ୍ୟରେ ମାତ୍ର ୩୧୬.୨୯ କୋଟି ଟଙ୍କାର ଓଜିଏସ୍‌ଟି ଆଦାୟ ହୋଇଥିଲା ଯାହା ପୂର୍ବବର୍ଷର ସେହି ମାସରେ ହୋଇଥିବା ୮୭୫.୪୨ କୋଟି ଟଙ୍କା ତୁଳନାରେ ଯଥେଷ୍ଟ କମ୍ ଥିଲା। ମେ’ ମାସରୁ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହେବା ସହ ରାଜ୍ୟ ଜିଏସ୍‌ଟି ଆୟରେ ଦ୍ରୁତ ସୁଧାର ଘଟିଥିଲା।

ଜିଏସ୍‌ଟି ଓ ବାଣିଜ୍ୟକର କମିସନରେଟ ତଥ୍ୟ ଅନୁଯାୟୀ, ୨୦୨୦ ଜୁନ୍‌ରେ ଜିଏସ୍‌ଟି ଆଦାୟରେ ବଡ଼ ଧରଣର ବୃଦ୍ଧି ଘଟିଥିଲା। ମେ’ ତୁଳନାରେ ଜୁନ୍‌ରେ ପ୍ରାୟ ୩୦୦ କୋଟି ଟଙ୍କାର ଅଧିକ ରାଜ୍ୟ ଜିଏସ୍‌ଟି ଆଦାୟ ‌ହୋଇଥିଲା। ଓଡ଼ିଶା ପାଇଁ ଜୁଲାଇ ସବୁଠୁ ଭଲ ମାସ ସାବ୍ୟସ୍ତ ହୋଇଥିଲା। ସେହି ମାସରେ ୮୦୧.୫୮ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଆଦାୟ ହୋଇଥିଲା ଯାହା ପୂର୍ବବର୍ଷ ମେ’ ତୁଳନାରେ ଯଥେଷ୍ଟ ଅଧିକ ଥିଲା। ଜୁଲାଇରୁ ଡିସେମ୍ବର ଭିତରେ ନଭେମ୍ବରକୁ ବାଦ ଦେଲେ ଅନ୍ୟ ସବୁ ମାସରେ ୨୦୧୯-୨୦ ତୁଳନାରେ ଓଜିଏସ୍‌ଟି ଆୟ ଅଧିକ ହୋଇଛି। ରାଜ୍ୟ ଅର୍ଥନୀତିରେ ସୁଧାରର ଏହା ଏକ ବଡ଼ ସଙ୍କେତ ବୋଲି କୁହାଯାଉଛି। ରାଜ୍ୟରେ ୨୦୨୦ ଅଗଷ୍ଟରେ ୬୮୬.୧୫ କୋଟି ଟଙ୍କା, ସେପ୍ଟେମ୍ବରରେ ୬୩୧.୦୮ କୋଟି ଟଙ୍କା, ଅକ୍ଟୋବର‌େର ୬୬୦.୯ କୋଟି ଟଙ୍କା, ନଭେମ୍ବର‌େର ୬୮୧.୯୬ କୋଟି ଟଙ୍କା‌ ଏବଂ ଡିସେମ୍ବରରେ ୭୬୫.୨୬ କୋଟି ଟଙ୍କାର ଓଜିଏସ୍‌ଟି ଆଦାୟ ହୋଇଛି। ୨୦୧୯-୨୦ର ଏପ୍ରିଲ୍‌-ଡିସେମ୍ବର ଅର୍ଥାତ ନଅ ମାସ ମଧ୍ୟରେ ୬୧୨୨.୮୨ କୋଟି ଟଙ୍କାର ଓଜିଏସ୍‌ଟି ଆୟ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷର ସେହି ନଅ ମାସରେ ଆଦାୟ ୬୦୭୨.୦୫ କୋଟି ଟଙ୍କା ରହିଛି। କରୋନା ମହାମାରୀ ସତ୍ତ୍ବେ ଟିକସ ଆଦାୟ ଏଭଳି ଉତ୍ସାହଜନକ ସ୍ତରରେ ରହିବା ନିଶ୍ଚିତରୂପେ ଉଲ୍ଲେଖନୀୟ ବୋଲି କୁହାଯାଇପାରିବ। ଯେଉଁ ହାରରେ ଟିକସ ଆୟରେ ସୁଧାର ହେଉଛି ସେଥିରୁ ଏହା ସ୍ପଷ୍ଟ ହେଉଛି ଯେ ୨୦୨୧ ମାର୍ଚ୍ଚ ବା ଆର୍ଥିକ ବର୍ଷ ଶେଷ ବେଳକୁ ରାଜ୍ୟରେ ଗତବର୍ଷ ତୁଳନାରେ ଅଧିକ ଜିଏସ୍‌ଟି ଆୟ ହୋଇଥିବ।
କେବଳ ଜିଏସ୍‌ଟି ନୁହେଁ, ଟିକସ ଓ ଅଣ-ଟିକସ ଭଳି ଉଭୟ ଉତ୍ସରୁ ଓଡ଼ିଶାରେ ୨୦୨୦ ନଭେମ୍ବର ଶେଷ ସୁଦ୍ଧା ୨୯,୪୧୧.୨୯ କୋଟି ଟଙ୍କା ଆଦାୟ ହୋଇଛି ଯାହା ପୂର୍ବବର୍ଷର ସେହି ସମୟରେ ହୋଇଥିବା ୨୮,୪୦୨ କୋଟି ଟଙ୍କା ତୁଳନାରେ ପ୍ରାୟ ୪ ପ୍ରତିଶତ ଅଧିକ। ଏହି ସମୟରେ ଅଣ-ଟିକସ ରାଜସ୍ବ ୨୩.୨୯ ପ୍ରତିଶତ ବୃଦ୍ଧି ପାଇ ୧୦,୪୬୨ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୮୪୮୫ କୋଟି ଟଙ୍କା ଥିଲା।

The post ଜିଏସ୍‌ଟି ଆୟରେ ରେକର୍ଡ ବୃଦ୍ଧି: ସୁଧାର ପଥରେ ଓଡ଼ିଶା ଅର୍ଥନୀତି first appeared on Sambad.


No comments

Powered by Blogger.