Header Ads

Header ADS

ଆଜି ‌ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ


ଖୋଲିଲା ହଷ୍ଟେଲ, ଅନ୍ତେବାସୀଙ୍କ ଉପସ୍ଥାନ କମ୍‌
ରବିବାର ହାଇସ୍କୁଲରେ ହେଲା ପାଠପଢ଼ା, ତଦାରଖ କଲେ ଅଧିକାରୀ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକ ସୋମବାରଠାରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଅନୁଷ୍ଠିତ ହେବ। ସେମିଷ୍ଟର୍‌ ପରୀକ୍ଷା ବ୍ୟବସ୍ଥାରେ ୟୁଜିର ୫ମ ଓ ପିଜିର ୩ୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ ଓ ପ୍ରଫେସନାଲ କଲେଜ, ଡିପ୍ଲୋମା/ପୋଷ୍ଟ ଡିପ୍ଲୋମା ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ। ପିଜି, ୟୁଜି, ଡିପ୍ଲୋମା, ପୋଷ୍ଟ ଡିପ୍ଲୋମା ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବା ନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନି‌ର୍ଦେଶାବଳୀ ଜାରି ହୋଇଛି। ଓୟୁଏଟି ସମେତ ଏହା ଅଧୀନ ୯ଟି ମହାବିଦ୍ୟାଳୟରେ ମଧ୍ୟ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୟୁଜି ଶେଷବର୍ଷ, ପିଜି ପ୍ରଥମ ଓ ଦ୍ବିତୀୟ ବର୍ଷ, ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ସମେତ ଏହା ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍ନାତକ କଲେଜଗୁଡ଼ିକ ଖୋଲିବ। ୟୁଜି ୭ମ ଓ ପିଜି ୩ୟ ସେମିଷ୍ଟର୍‌ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଜାନୁଆରି ୧୧ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୧୬ରୁ ୩୧ ମଧ୍ୟରେ ପରୀକ୍ଷା ହେବା ସହ ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ୟୁଜି ୮ମ ଓ ପିଜି ୪ର୍ଥ ‌ସେମିଷ୍ଟର୍‌ ପାଠପଢ଼ା ଏପ୍ରିଲ ୨ରୁ ଆରମ୍ଭ ହୋଇ ଜୁନ୍‌ ୧୫ ପର୍ଯ୍ୟନ୍ତ ଚାଲିବ। ଜୁନ୍‌ ୧୬ରୁ ୩୦ ତାରିଖ ମଧ୍ୟରେ ପରୀକ୍ଷା ହେବ ଏବଂ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ।

ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ, ନିୟମିତ ଭାବେ ପାଠପଢ଼ା ଅନୁଷ୍ଠିତ ହେବ। ଯେତେଦୂର ସମ୍ଭବ, କ୍ଲାସରୁମ୍‌ ପାଠପଢ଼ାର ରେକର୍ଡିଂ କରାଯାଇ ତାହାକୁ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ଶ୍ରେଣୀଗୃହରେ ସାମାଜିକ ଦୂରତା ରକ୍ଷା ସହ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ କ୍ୟାମ୍ପସ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି। କ୍ଲାସରୁମ୍‌, ଲାଇବ୍ରେରି, ଲାବ‌ରୋଟାରି ଆଦି ସ୍ଥାନରେ ୬ ଫୁଟ୍‌ ସାମାଜିକ ଦୂରତା ରକ୍ଷା, ଯଦି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ରୁହନ୍ତି, ତେବେ ବ୍ୟାଚ୍‌ ଅନୁଯାୟୀ ବିଭକ୍ତ କରିବାକୁ କୁହାଯାଇଛି। କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି। କାଶ-ଛିଙ୍କ ସମୟରେ ପାଟି ଓ ନାକ ଯେପରି ରୁମାଲ ଦ୍ବାରା ଆବଦ୍ଧ ରୁ‌ହେ, ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। ସ୍ବାସ୍ଥ୍ୟ ଖରାପ ଥିଲେ କିମ୍ବା ଅସୁସ୍ଥ ଅନୁଭବ କରୁଥିଲେ, ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଆଜିଠାରୁ କେତେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଜିଠାରୁ ହଷ୍ଟେଲ ଖୋଲିଛି। ତେବେ ଉପସ୍ଥାନ ସେତେଟା ଆଶାନୁରୂପକ ହୋଇପାରିନାହିଁ।

ଅନ୍ୟପକ୍ଷରେ ଓଡ଼ିଶା ଇତିହାସରେ ପ୍ରଥମଥର ଲାଗି ରବିବାର ଦିନ ବିଧିବଦ୍ଧ ଭାବେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇଛି। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାନୁରୂପ ‌ହୋଇ ନଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ପିଲାଙ୍କୁ ପଢ଼ାଇଛନ୍ତି। ପାଠପଢ଼ା ଯାଞ୍ଚ ଲାଗି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ସମେତ ଏହା ଅଧୀନ ବିଭିନ୍ନ ନିର୍ଦେଶାଳୟର ୩୦ଜଣ ଅଧିକାରୀ ଆଜି ଦିନତମାମ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ। ଟିଇ ଆଣ୍ଡ ଏସ୍‌ସିଇଆରଟି ନିର୍ଦ୍ଦେଶକ ଗଙ୍ଗାଧର ସାହୁଙ୍କୁ ଅନୁଗୁଳ ଦାୟିତ୍ବ ଦିଆଯାଇଥିବା ବେଳେ ବିଭାଗର ଯୁଗ୍ମ ସଚିବ ନିବେଦିତା ମିଶ୍ରଙ୍କୁ କଟକ, ଅତିରିକ୍ତ ସଚିବ ରଘୁନାଥ ଆର୍‌. ଆୟାରଙ୍କୁ ଗଞ୍ଜାମ, ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦଙ୍କୁ ପୁରୀ, ମାଧ୍ୟମିକ ଶିକ୍ଷା ପରିଷଦର ଶ୍ରୀକାନ୍ତ ତରାଇଙ୍କୁ ଯାଜପୁର, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏସ୍‌ପିଡି ଲିଙ୍ଗରାଜ ପଣ୍ଡାଙ୍କୁ ଜଗତ୍‌ସିଂହପୁର, ଓସେପା ଏସ୍‌ପିଡି ଭୂପିନ୍ଦର ସିଂ ପୁନିଆଙ୍କୁ ଖୋର୍ଧା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରାଙ୍କୁ କେନ୍ଦୁଝର ଜିଲ୍ଲା ଦାୟିତ୍ବ ଦିଆଯାଇଥିଲା। ଏମାନେ ଜିଲ୍ଲା ଗସ୍ତ ରକି ସ୍ଥିତି ଅନୁଧ୍ୟାନ କରି ବିଭାଗକୁ ରିପୋର୍ଟ ପ୍ରଦାନ କରିବେ।

The post ଆଜି ‌ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ first appeared on Sambad.


No comments

Powered by Blogger.