Header Ads

Header ADS

ୱିକିପିଡିଆରେ ବିରୋଧୀ ଦଳ ନେତାଙ୍କ ନାଁରେ ଆପତ୍ତିଜନକ ଶବ୍ଦ


ଭୁବନେଶ୍ବର : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନାଁରେ ୱିକିପିଡିଆରେ ଆଜି ଅତ୍ୟନ୍ତ ଅଶ୍ଳୀଳ ଭାଷା ବ୍ୟବହାର କରାଯାଇଛି। ୱିକିପିଡିଆରେ ଶ୍ରୀ ନା‌ଏକଙ୍କ ପ୍ରୋଫାଇଲ୍‌ ପେଜ୍‌ରେ କ୍ଲିକ୍‌ କଲେ ପ୍ରଥମ ଧାଡ଼ିରେ ତାଙ୍କର ପରିଚୟ ରହିଛି। କିନ୍ତୁ ଆଜି ସକାଳୁ ତାଙ୍କ ନାମ ଜାଗାରେ କିଛି ଅଶ୍ଳୀଳ ଶବ୍ଦ ଲେଖାଯାଇଥିଲା। ତାହା ପରେ ତାଙ୍କର ସମସ୍ତ ପରିଚୟ ରହିଥିଲା। ଏହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଦୀର୍ଘ ସମୟ ଧରି ୱିକିପିଡିଆରେ ଏହା ଦେଖିବାକୁ ମିଳିଥିଲା। ପରେ ଏହି ଶବ୍ଦଗୁଡ଼ିକ କଟାଯାଇଥିଲା। କିନ୍ତୁ ରାତି ସୁଦ୍ଧା ତାଙ୍କ ନାମ ସେଥିରେ ଠିକ୍ ଭାବେ ଲେଖାଯାଇ ନ ଥିଲା। ବିରୋଧୀ ଦଳ ନେତାଙ୍କ ନାମରେ କିଏ ଏପରି ଶବ୍ଦ ସେଠାରେ ବ୍ୟବହାର କଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଧାରଣତଃ ଯେ କୌଣସି ବ୍ୟକ୍ତି ଓ ଅନୁଷ୍ଠାନ ସମ୍ପର୍କରେ ସୂଚନା ପାଇଁ ୱିକିପିଡିଆର ବହୁଳ ବ୍ୟବହାର ହୁଏ। ଏହା ମଧ୍ୟ ଏକ ବିଶ୍ବାସଯୋଗ୍ୟ ସଂସ୍ଥା। କିନ୍ତୁ ଏଠାରେ କିପରି ଏତେ ବେପରୱା ଭାବେ ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆପତ୍ତିଜନକ ଶବ୍ଦ ପୋଷ୍ଟ୍‌ ହେଲା, ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଏହା ମଧ୍ୟ ୱିକିପିଡିଆର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛି।

ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ଶ୍ରୀ ନାଏକ। ସେ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ପୁଲିସ୍‌ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିବି। ସାଇବର୍‌ ସେଲ୍‌ରେ ବିଧିବଦ୍ଧ ଭାବେ ଏତଲା ଦିଆଯିବ। ଯିଏ ଏପରି ହୀନ କାର୍ଯ୍ୟ କରି ମୋ ଭାବମୂର୍ତ୍ତିରେ ଆଞ୍ଚ୍‌ ଆଣିବାକୁ ଚେଷ୍ଟା କରିଛି ସେ ନିଶ୍ଚିତ ଭାବେ ଜଣେ ଅସଭ୍ୟ ବ୍ୟକ୍ତି। ଭବିଷ୍ୟତରେ ଏପରି କାର୍ଯ୍ୟକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ଜରୁରି।

The post ୱିକିପିଡିଆରେ ବିରୋଧୀ ଦଳ ନେତାଙ୍କ ନାଁରେ ଆପତ୍ତିଜନକ ଶବ୍ଦ first appeared on Sambad.


No comments

Powered by Blogger.