Header Ads

Header ADS

ରାଜଧାନୀରେ ରବିବାରିଆ ପାଠପଢ଼ା


ଭୁବନେଶ୍ବର: ରବିବାର ସକାଳ ୯ଟା ୩୦। ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ପହଞ୍ଚିଲେ। ଆଉ ଅଧ ଘଣ୍ଟା ପରେ ଛାତ୍ରଛାତ୍ରୀ କ୍ୟାମ୍ପସକୁ ପ୍ରବେଶ କଲେ। ଗତ ୩ ଦିନ ପରି ଆଜି ବି କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ପ୍ରାର୍ଥନା। ଏହାପରେ ଚାଲିଲା ପାଠପଢ଼ା। ଗୋଟିଏ ପରେ ଗୋଟିଏ କ୍ଲାସ ହେଲା। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କ୍ଲାସରୁମ୍‌ରେ ରହି ପଢ଼ିଲେ। ଶିକ୍ଷକ ଶିକ୍ଷୟିତ୍ରୀ ବି ପଢ଼ାଇଲେ। ପ୍ରଥମ ଥର ଲାଗି ରବିବାର ଛୁଟି ଦିନରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇଛି। ପୂର୍ବରୁ କେବେ ବି ଏଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପିଲାଙ୍କ କ୍ଲାସରୁମ୍‌ ଶିକ୍ଷାଦାନ ହୋଇ ନ ଥିଲା। ଯାହାକି ଆଜି ଦେଖିବାକୁ ମିଳିଛି।

କରୋନା କଟକଣା ମଧ୍ୟରେ ସ୍କୁଲ ଖୋଲିବା ପରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ୧୦୦ ଦିନର ପାଠପଢ଼ା ସୁନିଶ୍ଚିତ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଭିନବ ପ୍ରୟାସ କରିଛି। ରବିବାର ଛୁଟିଦିନ ହୋଇଥିଲେ ମଧ୍ୟ କ୍ଲାସରୁମ୍‌ ଶିକ୍ଷାଦାନ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେବାକୁ ନିର୍ଦେଶ ଦିଆଯାଇଥିଲା। ଯାହାକୁ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ପାଳନ କରିଛନ୍ତି। ପ୍ରତିଦିନ ପରି ଆଜି ବି ସେମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ କ୍ୟାମ୍ପସରେ ପହଞ୍ଚିବା ସହ କାର୍ଯ୍ୟ କରିଛନ୍ତି। ତେବେ ରବିବାର ‌ହୋଇଥିବାରୁ ରାଜଧାନୀର ବିଭିନ୍ନ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସାମାନ୍ୟ କମ୍‌ ରହିଥିବା ଦେଖିବାକୁ ମିଳିଥିଲା। ବିଏମ୍‌ସିର ୬୦ଟି ଓ ଭୁବନେଶ୍ବର ବ୍ଲକ ଅଞ୍ଚଳ‌ରେ ଥିବା ୨୨ଟି ହାଇସ୍କୁଲ ଆଜି ଖୋଲିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଘରୋଇ ସ୍କୁଲଗୁଡ଼ିକ ଆଜି ବନ୍ଦ ରହିଥିବା ‌ଦେଖିବାକୁ ମିଳିଛି। ସ୍କୁଲ କର୍ତୃପକ୍ଷଙ୍କ କହିବାନୁଯାୟୀ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷା ଦିଆଯାଉଥିବାରୁ ରବିବାର ପାଠପଢ଼ାଇବାର କୌଣସି ଆବଶ୍ୟକତା ନାହିଁ। ଅନ୍‌ଲାଇନ୍‌ରେ ୨୦୨୦-୨୧ ଶିକ୍ଷାବର୍ଷର ଅଧା ପାଠପଢ଼ା ଶେଷ ହୋଇଗଲାଣି। ଆଉ ଯାହା କିଛି ବାକି ରହିଛି ତାହାକୁ କ୍ଲାସରୁମ୍‌ରେ ପଢ଼ାଯାଉଛି। ଛାତ୍ରଛାତ୍ରୀଙ୍କ ଦ୍ବନ୍ଦ୍ବ ଦୂର ହେଉଛି। ସେମାନେ ଆଗକୁ କିଭଳି ଭଲ କରିପାରିବେ ସେଥିପ୍ରତି ପ୍ରାଥମିକତା ଦିଆଯାଉଛି।

The post ରାଜଧାନୀରେ ରବିବାରିଆ ପାଠପଢ଼ା first appeared on Sambad.


No comments

Powered by Blogger.