Header Ads

Header ADS

ଅନିଶ୍ଚିତତା ଭିତରେ ଛାତ୍ରୀଙ୍କ ଭବିଷ୍ୟତ : ଦଶମ ଶ୍ରେଣୀ ସାର୍ଟିଫିକେଟରେ ତ୍ରୁଟି


ରାୟଗଡ଼ : ମାଟ୍ରିକ୍‌ ସାର୍ଟିଫିକେଟରେ ତ୍ରୁଟି ଯୋଗୁଁ ଏବେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଜଣେ ଛାତ୍ରୀ। ବର୍ତ୍ତମାନ କଲେଜରେ ନାମ ଲେଖାଇ ପାରି ନଥିବାରୁ ଛାତ୍ରୀ ଜଣକ ମାନସିକ ଚାପରେ ରହିଥିବା ବାପା ଅନେଶି କାର୍ଯୀ ପ୍ରକାଶ କରିଛନ୍ତି।

ସୂଚନା ପ୍ରକାରେ ରାୟଗଡ଼ ବ୍ଳକ୍‌ ମାର୍ଲବା ପଞ୍ଚାୟତ ଅନ୍ତର୍ଗତ ତାରାବସିଂ ଗ୍ରାମର ଦଶମ ଶ୍ରେଣୀ ଛାତ୍ରୀ ସସ୍ମିତା କାର୍ଯୀ କରଡ଼ାସିଂ ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରୀ ନିବାସରେ ରହି ପାଠ ପଢୁଥିଲେ। ଦଶମ ଶ୍ରେଣୀ ପରୀକ୍ଷା ମଧ୍ୟ ଦେଇଥିଲେ। ସେ ରାୟଗଡ଼ ସ୍ଥିତ ସରକାରୀ ବିଦ୍ୟାଳୟ କେନ୍ଦ୍ରରେ ଦଶମ ବୋର୍ଡ଼ ପରୀକ୍ଷା ଦେଇଥିଲେ। ସେତେବେଳେ ତାଙ୍କୁ ମିଳିଥିବା ପରୀକ୍ଷା ପରିଚୟପତ୍ରରେ ତ୍ରୁଟି ଯୋଗୁଁ ସେ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ଭୁଲ ହୋଇଥିବା ଜାଣି ପରିଚୟପତ୍ରରେ ତାଙ୍କ ଫଟୋ, ବାପାଙ୍କ ନାମ, ମାଆଙ୍କ ନାମ ଓ ଜନ୍ମ ତାରିଖକୁ ବଦଳାଇ ପରୀକ୍ଷା କେନ୍ଦ୍ରକୁ ଜଣାଇଥିଲେ। ସସ୍ମିତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆ ଯାଇଥିଲା। କିନ୍ତୁ ପରୀକ୍ଷା ଫଳ ବାହାରିବା ବେଳେ ତାଙ୍କ ସାର୍ଟିଫିକେଟରେ ପୁଣି ଭୁଲ ହୋଇଥିଲା। ଏହାଦେଖି ସସ୍ମିତା ପ୍ରଧାନଶିକ୍ଷକଙ୍କୁ ଜଣାଇବାରୁ ସାର୍ଟିଫିକେଟରେ ଭୁଲ ଥିବା ଓ ତାକୁ ସଂଶୋଧନ କରିବା ପାଇଁ କଟକସ୍ଥିତ ବୋର୍ଡ଼ କାର୍ଯ୍ୟାଳୟକୁ ପଠାଇବାକୁ କହି ସସ୍ମିତାଙ୍କୁ ମିଳିଥିବା ପରିଚୟପତ୍ର ନେଇଥିଲେ। ଏହାପରେ ସସ୍ମିତା ଥରେ ଦୁଇ ଥର ପ୍ରଧାନଶିକ୍ଷକ ବେଣୁମାଧବ ପଟ୍ଟନାୟକଙ୍କୁ ପଚାରିବାରୁ ସେ ସାର୍ଟିଫିକେଟରେ ଥିବା ଭୁଲକୁ ସଂଶୋଧନ କରିବା ପାଇଁ ପଠାଯାଇଛି ବୋଲି କହିଥିଲେ। ତାହା ଆସିଲେ ତୁମକୁ ଦିଆଯିବ। ଏହାପରେ ସସ୍ମିତା ଭାଗ୍ୟକୁ ଆଦରି ଗାଁରେ ପଡ଼ି ରହିଥିଲେ। କଲେଜରେ ପଢ଼ିବା ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ।

ତେବେ ଏ ନେଇ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି, ନବମ ଶ୍ରେଣୀରେ ଗୋଟିଏ ନାମରେ ଦୁଇଜଣ ଛାତ୍ରୀ ପାଠ ପଢୁଥିଲେ ଓ ଦଶମ ବୋର୍ଡ଼ ପରୀକ୍ଷା ସକାଶେ ନବମ ଶ୍ରେଣୀରୁ ହିଁ ଏନ୍‌ରୋଲ୍‌ମେଣ୍ଟ ହୋଇଥାଏ। ଦୁଇଜଣ ଛାତ୍ରୀଙ୍କ ନବମ ଶ୍ରେଣୀରେ ଏନ୍‌ରୋଲମେଣ୍ଟ ହୋଇଥିଲା। ସେଥିରୁ ଜଣେ ଛାତ୍ରୀ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ନଦେଇ ରହି ଯାଇଥିଲେ। ଦଶମ ଶ୍ରେଣୀରେ ଜଏନ୍ ମଧ୍ୟ କରି ନଥିଲେ। କିନ୍ତୁ ଏହି ଛାତ୍ରୀ ସସ୍ମିତା କାର୍ଯୀ ଦଶମ ଶ୍ରେଣୀ ପଢୁଥିଲେ ଓ ଦଶମ ଶ୍ରେଣୀରେ ବୋର୍ଡ଼ ପରୀକ୍ଷା ସକାଶେ ଫର୍ମପୂରଣ କରିଥିଲେ। ମାତ୍ର ବୋର୍ଡ଼ ପରୀକ୍ଷା ସକାଶେ ଆସିଥିବା ପରିଚୟପତ୍ରଟି ଭୁଲଥିବା ଯୋଗୁଁ ପରୀକ୍ଷାକେନ୍ଦ୍ର ସୁପରଟେଣ୍ଡଣ୍ଟଙ୍କୁ ପରିଚୟପତ୍ର ଭୁଲ ଥିବା ଜଣାଇ ସସ୍ମିତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ପ୍ରଦାନ ପାଇଁ ଅନୁରୋଧ କରା ଯାଇଥିଲା। ସେ ପରୀକ୍ଷା ଦେଇଥିଲେ। କିନ୍ତୁ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ସାର୍ଟିଫିକେଟରେ ପୁଣି ଭୁଲ ଥିବା ଯୋଗୁଁ ବୋର୍ଡ଼ ଅଫିସକୁ ସଂଶୋଧନ କରିବାକୁ ପଠାଇ ଦେଇଛନ୍ତି। ତାହା ଏ‌ ପର୍ଯ୍ୟନ୍ତ ଆସିନାହିଁ। ଯଦି ସେ ଉଚ୍ଚ ଶିକ୍ଷା ନିମନ୍ତେ ନାମ ଲେଖାଇବାକୁ ଚାହିଁବେ ତା’ହେଲେ ଟିସି ଦେଇହେବ। ମାତ୍ର ସେ ଟିସି ନେବା ସକାଶେ ଆସିନାହାନ୍ତି ବୋଲି ପ୍ରଧାନଶିକ୍ଷକ କହିଛନ୍ତି।

The post ଅନିଶ୍ଚିତତା ଭିତରେ ଛାତ୍ରୀଙ୍କ ଭବିଷ୍ୟତ : ଦଶମ ଶ୍ରେଣୀ ସାର୍ଟିଫିକେଟରେ ତ୍ରୁଟି first appeared on Sambad.


No comments

Powered by Blogger.