Header Ads

Header ADS

କାର୍ଯ୍ୟକାରୀ ହେଲା ଟ୍ରମ୍ପ୍‌ ପ୍ରଶାସନର ଶେଷ ମୃତ୍ୟୁଦଣ୍ଡ


ଓ୍ୱାସିଂଟନ : ଶନିବାର ସକାଳେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପ୍ରଶାସନର ତ୍ରୟୋଦଶତମ ତଥା ଶେଷ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରାଯାଇଛି। ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଶରେ ମୃତ୍ୟୁଦଣ୍ଡର ଅନ୍ତ ଘଟାଇବେ ବୋଲି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତିବଦ୍ଧ ରହିଥିବା ବେଳେ ଟ୍ରମ୍ପ୍‌ ପ୍ରଶାସନ ନିଜ ଆଭିମୁଖ୍ୟରେ ଏପରି କାଏମ୍‌ ରହିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଶେଷ ମୃତ୍ୟୁଦଣ୍ଡର ଶିକାର ହୋଇଛନ୍ତି ଡଷ୍ଟିନ୍‌ ହିଗ୍‌ସ ନାମକ ଜଣେ ୪୮ ବର୍ଷୀୟ ନାଗରିକ।

ସୂଚନାନୁଯାୟୀ, ହିଗ୍‌ସଙ୍କ ବିରୋଧରେ ୧୯୯୬ ମସିହାରେ ମେରିଲ୍ୟାଣ୍ଡ୍‌ ବଣ୍ୟପ୍ରାଣୀ ଅଭୟାରଣ୍ୟରେ ତିନି ଜଣ ମହିଳାଙ୍କୁ ଅପହରଣ ଓ ହତ୍ୟା ଘଟଣାକୁ ଅଣଦେଖା କରିଥିବା ଅଭିଯୋଗ ଉଠିଥିଲା। ଏଥିଲାଗି ୨୦୦୧ ମସିହାରେ ତାଙ୍କୁ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ହୋଇଥିଲା। ଏହି ମହିଳା ତ୍ରୟଙ୍କ ସହ ବାରମ୍ବାର ଡେଟିଂ କରିବାରେ ବିଫଳ ହେବା ପରେ ହିଗ୍‌ସ ଓ ତାଙ୍କ ସହଯୋଗୀ ଵିଲ୍‌ସ ହେନ୍‌ସ ସେମାନଙ୍କୁ ଅପହରଣ କରିନେଇଥିଲେ। ତେବେ ହିଗ୍‌ସଙ୍କ ନିର୍ଦ୍ଦେଶରେ ହେନ୍‌ସ ସେମାନଙ୍କୁ ଗୁଳି କରିଦେଇଥିଲେ। ଏହାକୁ ସ୍ବୀକାର କରିଥିବା ହେନ୍‌ସଙ୍କୁ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ହିଗ୍‌ଙ୍କୁ ଅଦାଲତ ମୃତ୍ୟୁଦଣ୍ଡ ଦେଇଥିଲେ। ତେବେ ସେବେଠାରୁ କୃଷ୍ଣକାୟ ହିଗ୍‌ସ ଦୀର୍ଘ ଦୁଇ ଦଶନ୍ଧି ଧରି ନିଜେ ନିର୍ଦ୍ଦୋଷ ବୋଲି କହି ଆସିବା ସହ ଏକ ନିର୍ଜନ କୋଠରିରେ ରହିଆସୁଥିଲେ। ସୂଚନା ଥାଉ କି, ୧୯୬୩ ମସିହାରୁ ଟ୍ରମ୍ପ୍‌ କ୍ଷମତାକୁ ଆସିବା ଯାଏ ଆମେରିକାରେ ମାତ୍ର ୩ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ସେହିପରି କେବଳ ଗତବର୍ଷ ୧୦ ଜଣ ମୃତ୍ୟୁଦଣ୍ଡର ଶିକାର ହୋଇଥିଲେ।

The post କାର୍ଯ୍ୟକାରୀ ହେଲା ଟ୍ରମ୍ପ୍‌ ପ୍ରଶାସନର ଶେଷ ମୃତ୍ୟୁଦଣ୍ଡ first appeared on Sambad.


No comments

Powered by Blogger.