Header Ads

Header ADS

‘ବ୍ୟାଡ୍‌ ବ୍ୟାଙ୍କ’ ଉପରେ ଶକ୍ତିକାନ୍ତଙ୍କ ମତ: ପ୍ରସ୍ତାବ ଆସିଲେ ଅନୁଧ୍ୟାନ କରାଯିବ


ମୁମ୍ବାଇ: ଦେଶରେ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ ଆଦାୟ ଓ ତାହାର ପରିଚାଳନା ପାଇଁ ଗତ କିଛି ବର୍ଷ ହେଲା ‘ବ୍ୟାଡ୍‌ ବ୍ୟାଙ୍କ’ ଖୋଲିବା ଉପରେ ଚର୍ଚ୍ଚା ହେଉଛି। ଏହି ପ୍ରସଙ୍ଗ ଉପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ତାଙ୍କର ମତ ରଖିଛନ୍ତି। ସେ କହିଛନ୍ତି ସରକାରଙ୍କ ପକ୍ଷରୁ ଏପ୍ରକାର ପ୍ରସ୍ତାବ ଆସିଲେ ତାହାକୁ ଆମେ ଅନୁଧ୍ୟାନ କରିବୁ। ୩୯ତମ ପଲକିୱାଲା ସ୍ମାରକୀ ବକ୍ତୃତାରେ ଉଦ୍‌‌ବୋଧନ ଦେବାବେଳେ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିକାନ୍ତ ଏହା କହିଛନ୍ତି। ସେ କହିଛନ୍ତି, ସମ୍ପତ୍ତି ପୁନର୍ଗଠନ କମ୍ପାନି ପାଇଁ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ରହିଛି। ତେଣୁ ବ୍ୟାଡ୍‌ ବ୍ୟାଙ୍କ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁଧ୍ୟାନ କରିବା ଆମେ ପ୍ରସ୍ତୁତ ଅଛୁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ତେବେ ସରକାର ଏବଂ ଘରୋଇ କ୍ଷେତ୍ର ହିଁ ଏହି ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଯୋଜନା କରିପାରିବେ।

ଏଥିସହିତ ଶକ୍ତିକାନ୍ତ କହିଛନ୍ତି ରିଜର୍ଭ ବ୍ୟାଙ୍କ ଆଗରେ ଯେଉଁ ସ୍ପଷ୍ଟ ଲକ୍ଷ୍ୟ ରହିଛି ତାହା ହେଉଛି ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆଣିବା। ଏବଂ ଏହି ଲକ୍ଷ୍ୟରେ କୌଣସି ଦ୍ବନ୍ଦ୍ବ ନାହିଁ। କରୋନା ମହାମାରୀ ପରେ ଅର୍ଥନୈତିକ ଅଭିବୃଦ୍ଧି କିଭଳି ଆହୁରି ଦୃଢ଼ ହେବ ଆମେ ସେହି ଲକ୍ଷ୍ୟରେ କାର୍ଯ୍ୟ କରୁଛୁ। ଆର୍ଥିକ ସ୍ଥିରତା ନିୟାମକ ସଂସ୍ଥାର ରାଡାରରେ ରହିଥିଲେ ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧିକୁ ଉଚ୍ଚକୁ ନେବା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଛନ୍ତି। କରୋନା ସମୟରେ ମଧ୍ୟ ଆମର ମୌଳିକ ଲକ୍ଷ୍ୟ ଥିଲା ଅର୍ଥନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବା। ତେଣୁ ପଛକୁ ଦେଖିଲେ ଅର୍ଥନୀତି ଉପରେ କରୋନା ମହାମାରୀର ପ୍ରଭାବକୁ କମ୍‌ କରିବାରେ ଆମ ନୀତି ସହାୟକ ହୋଇଛି ବୋଲି ଶକ୍ତିକାନ୍ତ କହିଛନ୍ତି।

ବ୍ୟାଡ୍‌ ବ୍ୟାଙ୍କ କ’ଣ
ବ୍ୟାଡ୍‌ ବ୍ୟାଙ୍କ କହିଲେ ଏଭଳି ବ୍ୟାଙ୍କକୁ ବୁଝାଇଥାଏ ଯାହା କି ବ୍ୟାଙ୍କଗୁଡ଼ିକର ଖରାପ ସମ୍ପତ୍ତିକୁ ବା ଅନାଦାୟ ଋଣକୁ କମ୍‌ ମୂଲ୍ୟରେ କିଣିଥାଏ। ତାହାପରେ ସେହି ସଂପତ୍ତିକୁ ଏଭଳି ସଂସ୍ଥାକୁ ବିକ୍ରି କରିଥାଏ ଯିଏ କି ତାହାକୁ ନେଇ ଲାଭ କରିପାରିବ। ତେବେ ସଂପତ୍ତି ପୁନର୍ଗଠନ କମ୍ପାନି ବା ଏଆର୍‌ସି ଯୋଜନା ତୁଳନାରେ ବ୍ୟାଡ୍‌ ବ୍ୟାଙ୍କ ପ୍ରତିଷ୍ଠାର ଉଦ୍ଦେଶ୍ୟ ସେମିତି କିଛି ଭିନ୍ନ ନୁହେଁ। ୨୦୨୦ ମେ ମାସରେ ଆଇବିଏ ପକ୍ଷରୁ ଏଭଳି ବ୍ୟାଙ୍କ ଖୋଲିବାରା ପ୍ରସ୍ତାବ ଦିଆଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାର ଏହି ବ୍ୟାଙ୍କରେ ନିବେଶ କରିବେ। ପରେ ବ୍ୟାଙ୍କ ଓ ଅନ୍ୟ ନିବେଶକଙ୍କ ପାଇଁ ଏଥିରେ ନିବେଶ ସୁଯୋଗ ସୃଷ୍ଟି କରାଯିବ।

The post ‘ବ୍ୟାଡ୍‌ ବ୍ୟାଙ୍କ’ ଉପରେ ଶକ୍ତିକାନ୍ତଙ୍କ ମତ: ପ୍ରସ୍ତାବ ଆସିଲେ ଅନୁଧ୍ୟାନ କରାଯିବ first appeared on Sambad.


No comments

Powered by Blogger.