Header Ads

Header ADS

ଭରସା ଦେଇପାରୁନି ଖଣି ଶିଳ୍ପ!


କେନ୍ଦୁଝର, (ସୁବ୍ରତ ସ୍ବାଇଁ): କେନ୍ଦୁଝର ଜିଲ୍ଲାର ଖଣିଜ କାରବାର ପାଇଁ ରାଜ୍ୟ ରାଜକୋଷକୁ ମିଳୁଛି ମୋଟ ରାଜସ୍ବର ଏକ ବଡ଼ଅଂଶ। ଜିଲ୍ଲାର ଏକ ଚତୁର୍ଥାଂଶ ଖଣି ଏବେ କାର୍ଯ୍ୟକ୍ଷମ ଥିବାବେଳେ ପରିବହନ, ଶ୍ରମିକ ସମସ୍ୟା ଏବଂ ସ୍ଥାନୀୟ ନିଯୁକ୍ତିକୁ ନେଇ ବିବାଦ ପାଇଁ ଅଧିକାଂଶ ସମୟରେ ଖଣିଜ ଉତ୍ତୋଳନ ଏବଂ ପରିବହନ ବନ୍ଦ ରହୁଛି। ଏହି କାରଣରୁ ଅର୍ଥନୈତିକ ସ୍ଥିତି ଭୁଶୁଡିଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଖଣି ଶିଳ୍ପ ବିଶ୍ବାସର ବାତାବରଣ ସୃଷ୍ଟି କରିପାରୁ ନାହିଁ। କେନ୍ଦୁଝର ଜିଲ୍ଲାରେ ମୋଟ ୧୦୩ଟି ଖଣି ଥିବାବେଳେ ଏବେ ମାତ୍ର ୨୭ଟି ଖଣି ଚାଲିଛି। ସେ ମଧ୍ୟରୁ ଗତ ଫେବ୍ରୁଆରି ମାସରେ ୧୦ଟି ଖଣି ଲିଜ୍‌ ଦିଆଯାଇଥିଲା। ଏହି ଖଣିଗୁଡିକୁ ଅଧିକ ପ୍ରିମିୟମ ଦେଇ ବିଭିନ୍ନ ଖଣି କମ୍ପାନି ହାତେଇଥିଲେ। ନୂତନ ଭାବେ ଲିଜ୍‌ ଦିଆଯାଇଥିବା ୨ଟି ଖଣି ଜିଲିଙ୍ଗ ଲଙ୍ଗାଲୋଟା ଲୁହାପଥର ଖଣି ଏବଂ ଗୁଆଲି ଲୁହାପଥର ଖଣି କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଫଳରେ ଆଜି ରାଜ୍ୟ ସରକାର ଏହି ଦୁଇଟି ଖଣିକୁ ଓଡ଼ିଶା ଖଣି ନିଗମକୁ ହସ୍ତାନ୍ତର କରିଛନ୍ତି।

କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ୨୭ଟି ଖଣି କାର୍ଯ୍ୟକ୍ଷମ ଥିଲେ ବି କୌଣସି ଖଣି ପୂର୍ଣ୍ଣ କ୍ଷମତାରେ ଚାଲି ପାରୁନାହିଁ। ଯାହା ଫଳରେ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଏହାର ଗୁରୁତର ପ୍ରଭାବ ପଡ଼ିବା ସହିତ ଜିଲ୍ଲା ତଥା ରାଜ୍ୟ ଅର୍ଥନୀତି ଉପରେ ଏହାର ପ୍ରଭାବ ଅନୁଭୂତ ହେଉଛି। ତେବେ ଏହି ଖଣି ନ ଚାଲିବା କାରଣ ମଧ୍ୟରୁ ପ୍ରମୁଖ କାରଣ ହେଉଛି ଆନ୍ଦୋଳନ। ଏଠାରେ ସିରାଜୁଦ୍ଦିନ କମ୍ପାନି ଅଧୀନରେ ଥିବା ବଲଦା ଖଣିର ଉଦାହରଣ ଦିଆଯାଉ। ଏହି ଖଣିରେ ଡିସେମ୍ବର ୧୫ ତାରିଖରୁ ଆନ୍ଦୋଳନ ଚାଲିଛି। ଫଳରେ ହଜାର ହଜାର ସ୍ଥାନୀୟ ବାସିନ୍ଦା ପ୍ରତ୍ୟକ୍ଷ ଭାବେ କ୍ଷତ୍ରିଗସ୍ତ ହୋଇ ଚାଲିଛନ୍ତି। ଏହି ଆନ୍ଦୋଳନ ଯୋଗୁଁ ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଶହ ଶହ କୋଟି ଟଙ୍କାର ରାଜସ୍ବ ହରାଇଥିବା ବେଳେ ପ୍ରତ୍ୟକ୍ଷ ଭାବେ ୨୦୦୦ ଗାଡି ମାଲିକ ପ୍ରଭାବିତ। ଏଠାରେ ‌ପ୍ରାୟ ତିନି ସପ୍ତାହ ଧରି ଲୁହାପଥର ପରିବହନ ବନ୍ଦ ହୋଇଯିବା କାରଣରୁ ଗାଡିମାଲିକମାନେ କିସ୍ତି ଦେବାକୁ ବି ଅକ୍ଷମ ହେଲେଣି।

ଖାଲି ବଲଦା ଲୁହାପଥର ଖଣି ନୁହେଁ, ଓଡ଼ିଶା ଖଣି ନିଗମ ଦ୍ବାରା ପରିଚାଳିତ ଗନ୍ଧମାର୍ଦ୍ଦନ ଖଣିରେ ବି ସମାନ ଅବସ୍ଥା। ଓଏମ୍‌ସିର ଏହି ଗନ୍ଧମାର୍ଦ୍ଧନ ଖଣି ହେଉଛି ଏକ ମେସିନ ଚାଳିତ ଖଣି‌। ଏଠାରେ ଶ୍ରମିକ ନିଯୁକ୍ତି ପ୍ରାୟତଃ ନାହିଁ। ଏଠାରେ ମଧ୍ୟ ସ୍ଥାନୀୟ ଆନ୍ଦୋଳନ ଯୋଗୁଁ ଉତ୍ପାଦନ ଏବଂ ପରିବହନ ପ୍ରଭାବିତ। ଏହି ଖଣିଉପରେ ନିର୍ଭର କରୁଥିବା ୧୦୦୦ରୁ ଊର୍ଦ୍ଧ୍ବ ଗାଡି ମାଲିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଠାରେ ନିୟମିତ ଭାବେ ୧୭୦୦ରୁ ୧୮୦୦ ଗାଡି ଲୋଡିଂ ହୋଇଥାଏ। ମାତ୍ର ଗତ ଦୁଇ- ତିନିମାସ ଧରି ଏହି ଖଣିର ପାଞ୍ଚ ନମ୍ବର କଣ୍ଟା ପାଖରେ ବାରମ୍ବାର ଆନ୍ଦୋଳନ ଯୋଗୁଁ ପରିବହନ କାର୍ଯ୍ୟ ବ୍ୟାପକ ପ୍ରଭାବିତ ହୋଇଛି। ଆନ୍ଦୋଳନ ଯୋଗୁଁ ଦୈନିକ ଗାଡି ଲୋଡିଂ ପ୍ରାୟ ଅଧା ହୋଇଯାଉଛି। ଏମିତିକି ଗାଡି ମାଲିକ କିସ୍ତି ଦେବାକୁ ବି ଅକ୍ଷମ ‌ହୋଇଥାନ୍ତି। ସେହିପରି ଜେଏସ୍‌ଡବ୍ଲ୍ୟ ଅଧୀନ ଜଜାଙ୍ଗ ଲୁହାପଥର ଖଣିରେ ନିୟମିତ ଭାବେ ଚାଲିଛି ଆନ୍ଦୋଳନ। ପ୍ରାୟତଃ ପ୍ରତିମାସରେ ଏଠାରେ ଆନ୍ଦୋଳନ ଯୋଗୁ ଖଣି କାର୍ଯ୍ୟ ପ୍ରଭାବିତ ହେଉଥିବା ବେଳେ କାସଭି ଖଣି ସମ୍ମୁଖରେ ମଧ୍ୟ ନିୟମିତ ଆନ୍ଦୋଳନ ଯୋଗୁ ଖଣି କାର୍ଯ୍ୟ ବ୍ୟାପକ ପ୍ରଭାବିତ। ଯାହା ଫଳରେ ରାଜ୍ୟର ଅର୍ଥନୀତି ପ୍ରଭାବିତ ହେବା ସହ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହେଉଛି। କହିବାକୁ ଗଲେ ଲୁହାପଥର ଖଣି ଶିଳ୍ପ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଏକ ଭରସାଯୋଗ୍ୟ ପରିବେଶ ସୃଷ୍ଟି କରିପାରୁନାହିଁ। କେତେବେଳେ ଖଣି‌ରେ ଆନ୍ଦୋଳନ ତ କେତେବେଳେ ବେଆଇନ ଖଣି କାରବାର ପାଇଁ ଖଣି ବନ୍ଦ। ଏହାସହ ଅଧିକ ପ୍ରମିୟମ କାରଣରୁ ଖଣି କମ୍ପାନି ଖଣିଜ ଉତ୍ତୋଳନରେ ବିଫଳ ହେଉଛନ୍ତି।

The post ଭରସା ଦେଇପାରୁନି ଖଣି ଶିଳ୍ପ! first appeared on Sambad.


No comments

Powered by Blogger.