Header Ads

Header ADS

ନୂଆ ଟ୍ରେଣ୍ଡ୍‌: ପତଳା ଗହଣା ଓ ବ୍ରାଣ୍ଡେଡ୍ ଘଣ୍ଟା, ପାଶ୍ଚାତ୍ୟ ଦେଶ ଓ ବଲିଉଡ୍‌ର ପ୍ରଭାବ


ଭୁବନେଶ୍ବର: ପୋଷାକ ହେଉ କିମ୍ବା ଗହଣା ପିନ୍ଧିବା-ଆଧୁନିକ ଯୁବବର୍ଗଙ୍କ ସ୍ବାଦରେ ଏବେ ବ୍ୟାପକ ପରିବର୍ତ୍ତନ ଆସିଥିବା ପରିଲକ୍ଷିତ ହେଉଛି। ଅଧିକାଂଶ ମହିଳା ଶାଢ଼ି ପରିବର୍ତ୍ତେ ଡ୍ରେସ ପିନ୍ଧିବାକୁ ଆଗ୍ରହ ଦେଉଛନ୍ତି। ସେହିଭଳି ପୁଅମାନେ ଫର୍ମାଲ ସାର୍ଟ ପରିବର୍ତ୍ତେ ଟି-ସାର୍ଟ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଉଭୟ ଯୁବକ ଏବଂ ଯୁବତୀଙ୍କଠାରେ ଏହି ପରିବର୍ତ୍ତନ ସମାଜରେ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିଛି। ରାସ୍ତାଘାଟରେ ଆଉ ପୁଳାପୁଳା ଗହଣା ପିନ୍ଧି ବୁଲୁଥିବା ମହିଳା କିମ୍ବା ଓଜନିଆ ଓ ମୋଟା ଚେନ୍ ପକାଉଥିବା ଯୁବକଙ୍କୁ ସେତେଟା ଦେଖିବାକୁ ମିଳୁନାହିଁ। ବେକରେ ଚେନ୍‌, ନାକରେ ନାକଫୁଲ, କାନ‌ରେ କାନରିଙ୍ଗ୍, ହାତରେ କାଚ ଆଦି ଏକାଧିକ ଗହଣା ପିନ୍ଧିବା ଆଜିର ଉଚ୍ଚଶିକ୍ଷିତ ଓ କର୍ମଜୀବୀ ଯୁବତୀ ଓ ମହିଳାଙ୍କ ପାଇଁ ସେତେଟା ଆରାମଦାୟକ ହେଉନାହିଁ। ଅଧିକାଂଶ ଯୁବତୀ ହାତରେ କୌଣସି ନାମୀଦାମୀ କମ୍ପାନି ବା ବ୍ରାଣ୍ଡ୍‌ର ଘଣ୍ଟା ଓ ଅନ୍ୟ ହାତରେ ପଟେ କାଚ କିମ୍ବା ବ୍ରେସଲେଟ୍, ଗୋଡ଼ରେ ପତଳା ପାଉଁଜି କିମ୍ବା ଆଙ୍କଲେଟ୍ ପିନ୍ଧି ସେମାନଙ୍କର ଏକ ନିଜସ୍ବ ଛାପ ସୃଷ୍ଟି କରୁଛନ୍ତି। ହାଲୁକା ଓ କମ ଗହଣା ଏବଂ ବ୍ରାଣ୍ଡେଡ୍‌ ଘଣ୍ଟା ଏବେ ପାଲଟିଛି ଆମ ସମାଜର ଆଧୁନିକ ମହିଳାଙ୍କ ପାଇଁ ବେଶ ହେବାର ନୂଆ ପରିଭାଷା।

ପାଶ୍ଚାତ୍ୟ ଦେଶ ଓ ବଲିଉଡ୍‌ର ପ୍ରଭାବ
ଓଡ଼ିଶାରେ, ବିଶେଷକରି ରାଜଧାନୀ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର, ପୁରୀ ଭଳି ବଡ଼ ବଡ଼ ସହରରେ ବସବାସ କରୁଥିବା ଯୁବତୀମାନଙ୍କ ମଧ୍ୟରେ ଏହି ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି। ଏହାକୁ କେହି ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ କହୁଥିବା ବେଳେ ଆଉ କେହି ବଲିଉଡ଼ର ପ୍ରଭାବ କହୁଛନ୍ତି। ତେବେ ବେଶ ରୁଚିରେ ଆସିଥିବା ଏହି ପରିବର୍ତ୍ତନ ପାଇଁ ମହିଳାଙ୍କ ମାନସିକ ପରିପକ୍ବତା ହିଁ ଅଧିକ ମାତ୍ରାରେ ଦାୟୀ ବୋଲି କୁହାଯାଉଛି। ଜଗତୀକରଣ ଫଳରେ ଆଜି ଯାହା ପାଶ୍ଚାତ୍ୟ ଦେଶର ଆଧୁନିକ ମହିଳାମାନେ ପିନ୍ଧୁଛନ୍ତି ତାହା ଆମର ଲୋକମାନେ ତୁରନ୍ତ ଜାଣିବାକୁ ପାଉଛନ୍ତି। ତେଣୁ ‌ଧନୀ ଦେଶର ମହିଳା ହୁଅନ୍ତି କିମ୍ବା ଆମ ଦେଶର ବମ୍ବେ ଓ ଦିଲ୍ଲୀ ଭଳି ମହାନଗରୀର ମହିଳାମାନେ କି ପ୍ରକାର ବେଶ ହେଉଛନ୍ତି ତାହାକୁ ଅନୁକରଣ କରିବା ଲାଗି ଆମ ରାଜ୍ୟର ମହିଳାଙ୍କୁ ଆଉ ଅଧିକ ସମୟ ଲାଗୁନାହିଁ।

ଆଖିକୁ ସୁନ୍ଦର, ପିନ୍ଧିବାକୁ ଆରାମ
ହାଲୁକା ଓଜନର ଗୋଟେ ଦୁଇଟି ଗହଣା ପିନ୍ଧିଲେ କର୍ମଜୀବୀ ମହିଳା କିମ୍ବା ବାହାରେ ବୁଲାବୁଲି କରୁଥିବା ମହିଳା ବେଶ ଆରାମ ଅନୁଭବ କରୁଛନ୍ତି। ଏଥିସହିତ ଏହି ଗହଣା ଗୁଡ଼ିକ ନୂଆ ଡିଜାଇନ ଓ ଷ୍ଟାଇଲ୍‌ର ହୋଇଥିବାରୁ ତାହା ଆଖିକୁ ସୁନ୍ଦର ଦିଶୁଛି। ତେଣୁ ବର୍ତ୍ତମାନର ଯୁବତୀ ଓ ମହିଳାମାନେ ଏସବୁ ଗହଣା ପିନ୍ଧିବାକୁ ପସନ୍ଦ କରୁଛନ୍ତି ବୋଲି ଭୁବନେଶ୍ବରର ଜଣେ କର୍ମଜୀବୀ ମହିଳା ଭାରତୀ ଦାସ ମତ ରଖିଛନ୍ତି। କେବଳ ବଲିଉଡ଼ ଅଭିନେତ୍ରୀ ନୁହଁନ୍ତି, ରାଜନେତା ଏବଂ ଉଚ୍ଚ ପଦରେ ଅବସ୍ଥାପିତ ମହିଳା ଅଧିକାରୀ ଓ ଆଇଟି କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କ ମଧ୍ୟରୁ ଅନେକ ମହିଳା ଏଭଳି ଗହଣା ପିନ୍ଧୁଥିବାରୁ ଏହାର ପ୍ରଭାବ ସାଧାରଣ ବର୍ଗର ମହିଳାଙ୍କ ଉପରେ ପଡ଼ୁଛି। ଏଥିସହିତ ରାସ୍ତାଘାଟରେ ବଢ଼ୁଥିବା ଅପରାଧ ମଧ୍ୟ ଆଧୁନିକ ମହିଳାଙ୍କୁ ହାଲୁକା ଗହଣା ପିନ୍ଧିବା ପାଇଁ ଏକ ପ୍ରକାର ବାଧ୍ୟ କରିଛି ବୋଲି ଅନ୍ୟ ଜଣେ କର୍ମଜୀବୀ ମହିଳା ମତ ଦେଇଛନ୍ତି।

ଆର୍ଥିକ ସ୍ବାଧୀନତା ଓ ଇଣ୍ଟରନେଟ୍‌ର ଉପଲବ୍ଧତା
ଏଥିସହିତ ପୂର୍ବାପେକ୍ଷା ବର୍ତ୍ତମାନର ଯୁବତୀମାନେ ଅଧିକ ସଂଖ୍ୟାରେ ପାଠ ପଢ଼ିବା ସହିତ ଚାକିରି ବାକିରି କରୁଛନ୍ତି। ଏଥିପାଇଁ ଯୁବତୀ ଓ କର୍ମଜୀବୀ ମହିଳାମାନେ ହାଲୁକ ‌ଓଜନର ଗୋଟେ ଦୁଇଟି ଗହଣା ପିନ୍ଧିବାକୁ ପସନ୍ଦ କରୁଛନ୍ତି। ସୋ’ରୁମ୍‌ ଗୁଡ଼ିକରେ ମଧ୍ୟ ବ୍ୟାପକ ବର୍ଗର ହାଲୁକା ଗହଣା ମିଳିଯାଉଛି। ଏଥିସହିତ ଇଣ୍ଟରନେଟ୍‌ର ବ୍ୟାପକ ପ୍ରସାର ସହିତ ସ୍ମାର୍ଟଫୋନର ବ୍ୟବହାର ବଢ଼ିବା ଦ୍ବାରା ଯୁବତୀମାନେ ବିଭିନ୍ନ ଇ-କମର୍ସ ସାଇଟ୍‌ରୁ ସହଜରେ ସାମଗ୍ରୀ ଚୟନ କରି କିଣି ପାରୁଛନ୍ତି। ମହିଳାମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାଧୀନ ହେବା କାରଣରୁ ସେମାନେ ଏସବୁ ବେଶ ସାମଗ୍ରୀ ନିଜେ କିଣି ପାରୁଛନ୍ତି। ସେହିଭଳି ବିଜ୍ଞାପନ ମଧ୍ୟ ମହିଳାଙ୍କୁ ଏ କ୍ଷେତ୍ରରେ ଅଧିକ ସୁଯୋଗ ‌ଦେଇଛି।

The post ନୂଆ ଟ୍ରେଣ୍ଡ୍‌: ପତଳା ଗହଣା ଓ ବ୍ରାଣ୍ଡେଡ୍ ଘଣ୍ଟା, ପାଶ୍ଚାତ୍ୟ ଦେଶ ଓ ବଲିଉଡ୍‌ର ପ୍ରଭାବ first appeared on Sambad.


No comments

Powered by Blogger.