Header Ads

Header ADS

ସୁନ୍ଦରଗଡ଼ରେ ଏମ୍‌ସ ହସ୍ପିଟାଲ ରାଜନୀତି : କୁସୁମଙ୍କ ହଁ, ଜୁଏଲଙ୍କ ନା


ସୁନ୍ଦରଗଡ଼ : ସୁନ୍ଦରଗଡ଼ ଏନ୍‌ଟିପିସି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ଓଡ଼ିଶାର ଦ୍ବିତୀୟ ଏମ୍ସ (ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ) ଖୋଲିବାକୁ କେନ୍ଦ୍ରକୁ ରାଜ୍ୟ ସରକାର ପ୍ରସ୍ତାବ ପଠାଇବା ପରେ ସୁନ୍ଦରଗଡ଼ରେ ଉତ୍ସାହ ପ୍ରକାଶ ପାଇଛି। ସବୁ ମହଲରେ ଏହାକୁ ସ୍ବାଗତ କରାଯାଇଛି। କିନ୍ତୁ ଏହା ମଧ୍ୟରେ ଏମ୍ସ ସ୍ଥାପନ ପାଇଁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ସ୍ବର ଉଠାଇଥିବାବେଳେ ସାଂସଦ ଜୁଏଲ ଓରାମ ନା କହି ପ୍ରସ୍ତାବକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ଗୋଟିଏ ଦଳର ଦୁଇ ଲୋକପ୍ରତିନିଧିଙ୍କ ଏହି ହଁ, ନା’ର ରାଜନୀତି ଜିଲ୍ଲା ବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି।

ଦ୍ବିତୀୟ ଏମ୍ସ ପ୍ରସ୍ତାବ ଆସିବା ପରେ ପରେ ଗତ ଜାନୁଆରି ୫ ତାରିଖରେ ବିଧାୟିକା କୁସୁମ ସବୁ ରାଜନୈତିକ ଦଳ ଓ ସବୁ ବର୍ଗର ପ୍ରତିନିଧିଙ୍କୁ ଏକାଠି କରି ସୁନ୍ଦରଗଡ଼ର ଅନ୍ୟ ବିକାଶ ସହ ଏ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ଉଠାଇଥିଲେ। ଏଥିପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରି ସୁନ୍ଦରଗଡ଼ର ସ୍ବରକୁ ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ତା’ପରଦିନ ଅର୍ଥାତ ୬ ତାରିଖରେ ବିକାଶଭବନରେ ଅନୁଷ୍ଠିତ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ସାଂସଦ ଶ୍ରୀ ଓରାମ ସୁନ୍ଦରଗଡ଼ର ଉତ୍ସାହରେ ପାଣି ପକାଇ ଦେଲା ଭଳି ମନ୍ତବ୍ୟ ଦେଇଥିଲେ। ‘ ଓଡ଼ିଶ‌ାରେ ଦ୍ବିତୀୟ ଏମ୍ସ ଖୋଲିବା ଆଦୌ ସମ୍ଭବ ନୁହେଁ ଓ ସୁନ୍ଦରଗଡ଼ରେ ଏମ୍ସର ଆବଶ୍ୟକତା ନାହିଁ’ କହିବା ସହ ସେ ଏହାକୁ ବିରୋଧ କରିଥିଲେ।

ଜୁଏଲଙ୍କ ଏ ମନ୍ତବ୍ୟକୁ ସୁନ୍ଦରଗଡ଼ର ଲୋକେ ନାପସନ୍ଦ କରିଛନ୍ତି। ସ୍ଥାନୀୟ ବିଜେଡି ବିଧିବଦ୍ଧ ଭାବେ ଏ ମନ୍ତବ୍ୟର ପ୍ରତିବାଦ କରି ନଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏହାର ତୀବ୍ର ସମାଲୋଚନା କରିଛି। ଜୁଏଲ କେବଳ ବିଜେଡିକୁ ବିରୋଧ କରିବାକୁ ଯାଇ ସୁନ୍ଦରଗଡ଼ର ସ୍ବାର୍ଥକୁ ଅଣଦେଖା କରିବା ଦୁର୍ଭାଗ୍ୟଜନକ ବୋଲି ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

The post ସୁନ୍ଦରଗଡ଼ରେ ଏମ୍‌ସ ହସ୍ପିଟାଲ ରାଜନୀତି : କୁସୁମଙ୍କ ହଁ, ଜୁଏଲଙ୍କ ନା first appeared on Sambad.


No comments

Powered by Blogger.