Header Ads

Header ADS

ମହାମାରୀ ପାଇଁ ମହାକବଚ : ରାଜ୍ୟର ୧୬୧ କେନ୍ଦ୍ରରେ ଟିକା ନେଲେ ୧୬,୪୦୫ ସ୍ବାସ୍ଥ୍ୟକର୍ମୀ


କ୍ୟାପିଟାଲ ହସ୍ପିଟାଲ କର୍ମଚାରୀ ବିରଞ୍ଚିଙ୍କୁ ରାଜ୍ୟର ପ୍ରଥମ ଟିକା
ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
୩ଜଣଙ୍କର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ କରୋନା ଟିକାକରଣର ଆଜି ରାଜ୍ୟବ୍ୟାପୀ ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ସକାଳ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଟିକାକରଣର ଶୁଭାରମ୍ଭ ପରେ କ୍ୟାପିଟାଲ ହସ୍ପିଟାଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ନାୟକ(୫୧) ରାଜ୍ୟ‌ରେ ପ୍ରଥମ ଟିକା ନେଇଥିଲେ। ଦିନ ୧୧ଟା ୦୫ ମିନିଟ୍‌ରେ ତାଙ୍କୁ ଟିକା ଦିଆଯାଇଥିଲା। ଆଜି ୧ ଘଣ୍ଟା ବିଳମ୍ବରେ ଟିକାକରଣ ଆରମ୍ଭ ହୋଇଥିବାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଟିକାକରଣ ଜାରି ରହିଥିଲା।

ରାଜ୍ୟର ୧୬୧ଟି ଟିକାଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୪୦୫ ସ୍ବାସ୍ଥ୍ୟକର୍ମୀ/ଆଇସିଡିଏସ୍‌ କର୍ମଚାରୀଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ୮୫ ପ୍ରତିଶତ ଟିକାଦାନ ହୋଇଥିବା ସୂଚନା ମିଳିଛି। ସମୁଦାୟ ୧୩,୯୮୦ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଅନୁଗୁଳ, ବାଲେଶ୍ବର, କନ୍ଧମାଳ, ବୌଦ୍ଧ, ସୋନପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଆଦି ୭ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ହୋଇଛି। ବାକି ଜିଲ୍ଲାଗୁଡ଼ିକରେ ୫୦ ପ୍ରତିଶତରୁ ଅଧିକ ଟିକାକରଣ ହୋଇଥିବା ଜଣାଯାଇଛି। ଟିକା ନେବା ପରେ ଲୋକଙ୍କଠାରେ କୌଣସି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖା ଯାଇନାହିଁ। ଢେଙ୍କାନାଳ, ଗଜପତି ଓ କଟକ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କଠାରେ ସାମାନ୍ୟ ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ତେବେ ଆସନ୍ତାକାଲି ଟିକାଦାନ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାକୁ ସେରମ ଇନଷ୍ଟିଚ୍ୟୁଟ୍‌ର ‘କୋଭିସିଲ୍ଡ’ର ୪ଲକ୍ଷ ୮ହଜାର ଡୋଜ୍ ଓ ଭାରତ ବାଇଓଟେକ୍‌ର ‘କୋଭାକ୍ସିନ୍’ର ୨୦ହଜାର ଡୋଜ୍ ଆସିଛି। ଏଥିରେ ୧ଲକ୍ଷ ୯୨ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ବର ପୌରାଞ୍ଚଳରେ ୬ଟି ଟିକାଦାନ କେନ୍ଦ୍ରରେ ୬ଶହ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଠାରେ କେବଳ ‘କୋଭାକ୍ସିନ୍‌’ ଟିକା ଦିଆଯାଇଥିଲା।

ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ କ୍ୟାପିଟାଲ ହସ୍ପିଟାଲର ପ୍ରଥମ ଟିକା ନେଇଥିବା ସଫେଇ କର୍ମଚାରୀ ବିରଞ୍ଚି ନାୟକ, ସୁନ୍ଦରଗଡ଼ର ଜଣେ ଷ୍ଟାଫନର୍ସ ଓ ଗଞ୍ଜାମର ଜଣେ ଡାକ୍ତରଙ୍କ ସହ କଥା ହୋଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।

ଟିକାକୁ ନେଇ ଲୋକମାନଙ୍କ ମନରେ ଥିବା ଭୟକୁ ଦୂର କରିବା ଲାଗି ଆଜି ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ କରୋନା ଟିକା ନେଇଛନ୍ତି। ଡିଏମ୍‌ଇଟି ପ୍ରଫେସର୍‌ ଡା. ସିବିକେ ମହାନ୍ତି, ଏମ୍‌ସର ନିର୍ଦେଶିକା ଡା. ଗୀତାଞ୍ଜଳି ବି., କିମ୍‌ସର ନିର୍ଦେଶକ ଡା. ପ୍ରଦୀପ କୁମାର ପଟ୍ଟନାୟକ, ଏସ୍‌ସିବି ମେଡିକାଲ କଲେଜର ଭେଷଜ ବିଭାଗର ମୁଖ୍ୟ ଡା. ଜୟନ୍ତ ପଣ୍ଡା, ଯକ୍ଷ୍ମା ଓ ଛାତିରୋଗ ବିଭାଗର ପ୍ରଫେସର ଡା. ମନୋରଂଜନ ପଟ୍ଟନାୟକ, କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ, ସୋଆର କୁଳପତି ଡାକ୍ତର ଅଶୋକ ମହାପାତ୍ର ଓ ଅନ୍ୟମାନେ ଟିକା ନେଇଛନ୍ତି।

ପ୍ରଥମ ଟିକା ନେଇଥିବା ବିରଞ୍ଚି କହିଛନ୍ତି, ଟିକା ନେଇ ଆଜି ମୁଁ ବହୁତ ଖୁସି ଅଛି। ଏଯାଏ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନାହିଁ। ତେଣୁ ସମସ୍ତେ ଟିକା ନେବା ପାଇଁ ଆଗେଇ ଆସନ୍ତୁ ବୋଲି ସେ କହିଛନ୍ତି। ସେହିପରି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ଡାକ୍ତର ଭାବେ ପ୍ରଥମ ଟିକା ଗ୍ରହଣ କରିଥିଲେ। ଡା. ସାହୁ କହିଛନ୍ତି, ଲୋକମାନେ ଗୁଜବରେ ବିଶ୍ବାସ ନ କରି ଟିକା ନେବା ପାଇଁ ଆଗେଇ ଆସନ୍ତୁ। ଇଞ୍ଜେକସନ୍‌ ନେଲେ ଯେପରି ଦେହ ଦରଜ ଲାଗ‌େ, ସେଭଳି ଅନୁଭବ ହୋଇଥିଲା। କରୋନା ଭୂତାଣରୁ ନିର୍ଦ୍ଦିଷ୍ଟ ଔଷଧ ନ ଥିବାରୁ ସମସ୍ତେ ଟିକା ନେବା ଦରକାର ବୋଲି ଡା. ସାହୁ କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ଆଜି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଟିକାକରଣ ମୁଖ୍ୟ ଡା. ବିଜୟ ପାଣିଗ୍ରାହୀ ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଟିକାକରଣର ତଦାରଖ କରିଥିଲେ। ଶ୍ରୀ ମହାପାତ୍ର କହିଛନ୍ତି, କୋଭିଡ ବିରୋଧରେ ଚାଲିଥିବା ସଂଗ୍ରାମର ଅନ୍ତିମ ଲଢ଼େଇ ଆରମ୍ଭ ହୋଇଛି। ଆସନ୍ତାକାଲି ଟିକାଦାନ ବନ୍ଦ ରହିବ। ଗୋଟିଏ ଦିନ ପାଇଁ ଅବଜରଭେସନ୍‌ରେ ରଖାଯିବ। ସୋମବାରଠାରୁ ନିୟମିତ ଟିକାଦାନ ଚାଲିବ। ୨୫ ତାରିଖ ସୁଦ୍ଧା ସମସ୍ତଙ୍କୁ ଟିକା ପ୍ରଦାନ କରିବା ଲାଗି ଯୋଜନା ରହିଛି। ଏହାର ୨୮ଦିନ ପରେ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ। ଏହାର ୧୪ଦିନ ପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଏହାସହ ଦ୍ବିତୀୟ ପର୍ଯ୍ୟାୟ ଟିକା ପହଞ୍ଚିବ ବୋଲି ଆଶା କରାଯାଉଛି। ସ୍ବାସ୍ଥ୍ୟକର୍ମୀଙ୍କ ବାଦ୍ ପୁଲିସ, ଅଗ୍ନିଶମ ବିଭାଗର କର୍ମଚାରୀ, ରାଜସ୍ବ ଓ ମ୍ୟୁନିସିପାଲ କର୍ମଚାରୀଙ୍କୁ ଆସନ୍ତା ୨୫ ତାରିଖ ସୁଦ୍ଧା ପଞ୍ଜୀକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ଓ ଜଟିଳ ରୋଗ ଥିବା ୫୦ ବର୍ଷରୁ କମ୍ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

୨ ମହିଳା, ଜଣେ ପୁରୁଷଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା
ଶନିବାର ରାଜ୍ୟରେ ୧୩ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ମାତ୍ର ୩ଜଣଙ୍କ କ୍ଷେତ୍ରରେ ସାମାନ୍ୟ ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଛି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୧ ବର୍ଷର ଯୁବକ ପ୍ରମୋଦ ସେଠୀ ନିରୀକ୍ଷଣ ଗୃହରୁ ଯିବା ପରେ ତାଙ୍କ ମୁଣ୍ଡ ବୁଲାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ସେହିପରି କଟକସ୍ଥିତ ସାଲେପୁର ସିଏଚ୍‌ସିରେ ୩୮ବର୍ଷୀୟ ଆଶାକର୍ମୀ ଟିକା ନେବା ପରେ ଅଣନିଶ୍ବାସୀ ଅନୁଭବ କରିଥିଲେ। ପରବର୍ତୀ ସମୟରେ ଆପେଆପେ ସୁସ୍ଥ ହୋଇଯାଇଥିଲେ। ଏହାସହ ଗଜପତି ରାୟଗଡ଼ା ସିଏଚ୍‌ସିରେ ୩୫ ବର୍ଷର ଅଶାକର୍ମୀଙ୍କ ଟିକା ନେବା ପରେ ମୁଣ୍ଡବିନ୍ଧା ହେବା ସହ ଦେହରୁ ଝାଳ ବୋହିଥିଲା। ତାଙ୍କୁ ୧ମିଲିର ଡେକ୍ସୋନା ଦିଆଯିବା ପରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ।

The post ମହାମାରୀ ପାଇଁ ମହାକବଚ : ରାଜ୍ୟର ୧୬୧ କେନ୍ଦ୍ରରେ ଟିକା ନେଲେ ୧୬,୪୦୫ ସ୍ବାସ୍ଥ୍ୟକର୍ମୀ first appeared on Sambad.


No comments

Powered by Blogger.