Header Ads

Header ADS

ଘରୋଇ ହସ୍ପିଟାଲ ପାଇଁ ୧୦୮ ଆମ୍ବୁଲାନ୍ସ ପ୍ରସଂଗରେ ଜନସ୍ବାର୍ଥ ମାମଲା


କଟକ: କେବଳ ସରକାରୀ ନୁହେଁ ଘରୋଇ ଡାକ୍ତରଖାନାକୁ ମଧ୍ୟ ରୋଗୀଙ୍କୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ହାଇକୋର୍ଟର ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି ଯେ ରାଜ୍ୟରେ ସମସ୍ତଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ସରକାର ଗୁରୁତ୍ବାରୋପ କରୁଛନ୍ତି। ଗୁରୁତର ରୋଗୀଙ୍କୁ ସରକାରୀ ହସ୍ପିଟାଲକୁ ମାଗଣାରେ ନେବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା କରାଯାଇଛି। କିନ୍ତୁ ଅନେକ କ୍ଷେତ୍ରରେ ଘରୋଇ ହସ୍ପିଟାଲକୁ ଭର୍ତ୍ତି ହେବା ପାଇଁ ଯାଉଥିବା ରୋଗୀଙ୍କ ନିକଟରୁ ମନ ଇଚ୍ଛା ଆମ୍ବୁଲାନ୍ସ ଭଡ଼ା ନିଆଯାଉଛି। ସରକାରୀ ଡାକ୍ତରଖାନାରୁ ଅନେକ ସମୟରେ ନିରାଶ ହେବା ପରେ ରୋଗୀ ଘରୋଇ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ଭାବେ କେତେକ ସରକାରୀ ଡାକ୍ତରଖାନା ଗୁଡିକରେ ଅବ୍ୟବସ୍ଥା ଓ ବିଳମ୍ବ ଅଭିଯୋଗ କରି ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଛନ୍ତି। ଦୁର୍ଘଟଣା ଓ ଜରୁରୀ ପରିସ୍ଥିତିରେ ରୋଗୀ ମଧ୍ୟ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଏପରି କ୍ଷେତ୍ରରେ ୧୦୮ ଆମ୍ବୁଲାନ୍ସ ସେବା ମିଳି ପାରୁନାହିଁ।

ଉଚ୍ଚ ଦରରେ ରୋଗୀଙ୍କୁ ଆମ୍ବୁଲାନ୍ସ ଭଡ଼ା କରି ଡାକ୍ତରଖାନା ପର୍ଯ୍ୟନ୍ତ ଯିବାକୁ ପଡୁଛି। ଏଭଳି ସ୍ଥିତିରେ ଘରୋଇ ହସ୍ପିଟାଲକୁ ରୋଗୀଙ୍କୁ ନେବା ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରନ୍ତୁ। ରୋଗୀ ସରକାରଙ୍କ ଦ୍ବାରା ଧାର୍ଯ୍ୟ ଦେୟ ଦେଇ ଘରୋଇ ହସ୍ପିଟାଲ ପାଇଁ ମଧ୍ୟ ୧୦୮ ଆମ୍ବୁଲାନ୍ସ ସେବା ପାଇ ପାରିବେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସେହିଭଳି ଭାବେ ଶବ ନେଉଥିବା ଗାଡି ଗୁଡିକ ମଧ୍ୟ ମୃତକଙ୍କ ପରିବାର ନିକଟରୁ ମନ ଇଚ୍ଛା ଟଙ୍କା ନେଉଛନ୍ତି। ସରକାରଙ୍କ ଏପରି ଗାଡିର ଭଡା ଉପରେ କିଛି ନିୟନ୍ତ୍ରଣ ନାହିଁ। ଫଳରେ ସାଧାରଣ ଲୋକ ଶୋଷଣର ଶିକାର ହେଉଛନ୍ତି। ଶବ ପରିବହନ କରୁଥିବା ଗାଡି ଗୁଡିକର ଦର ସରକାର ଧାର୍ଯ୍ୟ କରି ଏଥି ପାଇଁ ନିର୍ଦ୍ଦେଶନାମା ଜାରି କରନ୍ତୁ। ‌କିଲୋମିଟର ପିଛା କେତେ ଟଙ୍କା ମୃତକଙ୍କ ପରିବାର ଦେବେ ସେ ନେଇ ସରକାର ନିୟମ ଜାରି କରନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଓ ଜାତୀୟ ସ୍ବାସ୍ଥ୍ୟ ମିସନକୁ ପକ୍ଷଭୁକ୍ତ କରାଯାଇଛି।

The post ଘରୋଇ ହସ୍ପିଟାଲ ପାଇଁ ୧୦୮ ଆମ୍ବୁଲାନ୍ସ ପ୍ରସଂଗରେ ଜନସ୍ବାର୍ଥ ମାମଲା first appeared on Sambad.


No comments

Powered by Blogger.