Header Ads

Header ADS

ସଙ୍ଗରୋଧରେ ଲୋକସେବା ଭବନ : ସବୁ ଖୋଲିଲାଣି, ଲୋକସେବା ଭବନ ଖୋଲୁନି


ଭୁବନେଶ୍ବର : ସବୁ ସରକାରୀ ଅଫିସ୍‌କୁ ଲୋକଙ୍କ ଅବାଧ ଆତଯାତ ଚାଲିଛି। ମନ୍ଦିର, ମସ୍‌ଜିଦ୍ ଆଦି ଧର୍ମାନୁଷ୍ଠାନ ଖୋଲିଛି। ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ରାଜନୈତିକ ସଭାସମିତି ଜାରି ରହିଛି। ହାଟ, ବଜାରରେ ଗହଳି ଆରମ୍ଭ ହୋଇଯାଇଛି। କିନ୍ତୁ ଲୋକସେବା ଭବନର ଫାଟକ ଖୋଲୁନି। ‌ସଙ୍ଗରୋଧରୁ ମୁକୁଳି ପାରୁନି ରାଜ୍ୟ ପ୍ରଶାସନର ଏହି ସର୍ବୋଚ୍ଚ ସୌଧ। କରୋନା ଆଳରେ ଲୋକସେବା ଭବନକୁ ସାଧାରଣ ଲୋକ ଓ ଗଣମାଧ୍ୟମ ଠାରୁ ଦୂରରେ ରଖି ମନ୍ତ୍ରୀ, ସଚିବମାନେ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ତାହା ବୁଝାପଡ଼ୁନି।

ମାର୍ଚ୍ଚ ମାସରେ କରୋନା ଲକ୍‌ଡାଉନ୍ ଆରମ୍ଭ ହେଲା ପରେ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଜାରି କରାଗଲା। ସାଧାରଣତଃ କୌଣସି ‌ବ୍ୟକ୍ତିଙ୍କର ଲୋକସେବା ଭବନରେ କାମ ପଡ଼ିଲେ ସେମାନେ ଅଭ୍ୟର୍ଥନା ପ୍ରକୋଷ୍ଠରୁ ପାସ୍ ନେଇ ଭିତରକୁ ଯାଆନ୍ତି। କିନ୍ତୁ କରୋନା ଯୋଗୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହେଲା। ଅଭ୍ୟର୍ଥନା ପ୍ରକୋଷ୍ଠକୁ ବନ୍ଦ କରିଦିଆଗଲା। ଏପରିକି ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ଥିବା ଆର୍‌ଟିଆଇ ସେଲ୍‌କୁ ମଧ୍ୟ ବନ୍ଦ କରିଦିଆଗଲା। ଗଣମାଧ୍ୟମ ପ୍ରତିନିଧିମାନେ ବାର୍ଷିକ ପାସ୍‌ ନେଇ ଖବର ସଂଗ୍ରହ କରିବାକୁ ଲୋକସେବା ଭବନ ଭିତରକୁ ଯାଆନ୍ତି। ତାହା ଉପରେ ମଧ୍ୟ ରୋକ୍ ଲାଗିଲା। କରୋନା ଯୋଗୁ ଏହି ପାସ୍‌ଗୁଡ଼ିକ କାମ ଦେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହେଲା। ଏହା ପରେ ୯ ମାସରୁ ଅଧିକ ସମୟ ହେଲାଣି ଏହି କଟକଣା ବଳବତ୍ତର ରହିଛି। କେବଳ ଲୋକସେବା ଭବନ ନୁହେଁ, ଖାରବେଳ ଭବନ ଓ ରାଜୀବ ଭବନ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯାଇଛି।

କରୋନା ଲକ୍‌ଡାଉନ୍ ଉଠିଲା ପରେ ବିଭିନ୍ନ ପର୍ଯ୍ୟାୟରେ ସରକାର କଟକଣା ସବୁ କୋହଳ କରୁଛନ୍ତି। ବିଶେଷ କରି ଜାନୁଆରି ମାସରେ ସରକାର କାଁ ଭାଁ କଟକଣା ରଖି ପ୍ରାୟ ସବୁ କୋହଳ କରିଦେଇଛନ୍ତି। ସାରା ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା କମିବାରେ ଲାଗିଛି। କୋଭିଡ୍‌ ହସ୍ପିଟାଲ୍‌ ସବୁ ବନ୍ଦ ହୋଇଗଲାଣି। ବିଶେଷ କରି ଭୁବନେଶ୍ବରରେ ଦୈନିକ କରୋନା ପଜିଟିଭ୍ ସଂଖ୍ୟା ଏକ ଅଙ୍କକୁ ଖସିଆସିଲାଣି। ରାଜଧାନୀରେ ସବୁ ସରକାରୀ ଅଫିସ୍‌କୁ ଲୋକମାନେ ନିଜ କାମ ପାଇଁ ବିନା ବାଧାରେ ଯା’ଆସ କରିପାରୁଛନ୍ତି। ସିଧାସଳଖ ଅଧିକାରୀ, କର୍ମଚାରୀମାନଙ୍କୁ ଭେଟିପାରୁଛନ୍ତି। କିନ୍ତୁ ଲୋକସେବା ଭବନ‌େର ସରକାରୀ ଅଧିକାରୀମାନଙ୍କୁ ଭେଟିବା ସମ୍ଭବ ନୁହେଁ। ସାଧାରଣ ସମୟରେ ମଧ୍ୟ ଲୋକସେବା ଭବନକୁ ଲୋକମାନଙ୍କର ଅବାଧ ପ୍ରବେଶ ନ ଥାଏ। କେବଳ ପାସ୍‌ଧାରୀମାନଙ୍କୁ ହିଁ ଅନୁମତି ମିଳେ। କାମ ପଡ଼ିଲେ ଲୋକମାନେ ପାସ୍‌ ସଂଗ୍ରହ କରି ଭିତରକୁ ଯାଆନ୍ତି। କିନ୍ତୁ ସେତିକି ବି ଏବେ ବନ୍ଦ କରିଦିଆଯାଇଛି। କୌଣସି ଗୁରୁତ୍ବପୂର୍ଣ୍ଣ କାମ ପଡ଼ିଲେ ଲୋକମାନେ ଆଉ ଭିତରକୁ ଯାଇ ପାରୁ ନାହାନ୍ତି। ଲୋକଙ୍କ ଠାରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖି ବାବୁମାନେ କି ଖୁସି ପାଉଛନ୍ତି, ତାହା ବୁଝାପଡ଼ୁନି।

ଲୋକଙ୍କ ପାଇଁ ଏହି ସୌଧ ଯେ ନିର୍ମାଣ ହୋଇଛି, ତାହା ମନ୍ତ୍ରୀ, ସଚିବମାନେ ସମ୍ଭବତଃ ବୁଝିପାରୁ ନାହାନ୍ତି। କରୋନା ଆଳରେ କଟକଣାକୁ ଲମ୍ବେଇ ଲମ୍ବେଇ ଚାଲିଛନ୍ତି। ସେମାନଙ୍କର ଏପରି ମାନସିକତା ଅଯଥାରେ ପ୍ରଶାସନକୁ ସନ୍ଦେହ ବଳୟରେ ରଖୁଛି ବୋଲି ଗୋଟିଏ ମହଲ ମତ ରଖୁଛନ୍ତି।

କରୋନାର ପ୍ରଭାବ କମିଛି ବୋଲି ସରକାର କଟକଣାକୁ କୋହଳ କରୁଛନ୍ତି। ପ୍ରଶ୍ନ ଉଠୁଛି ସେହି କୋହଳ ନିୟମ ଲୋକସେବା ଭବନ କ୍ଷେତ୍ରରେ କାହିଁକି ଲାଗୁ ହେବ ନାହିଁ? ଅନ୍ୟ ସରକାରୀ ଅଫିସ୍‌ରୁ କରୋନା ଭୟ ଚାଲିଯାଇଥିଲା ବେଳେ କେବଳ ଲୋକସେବା ଭବନକୁ କାହିଁକି କରୋନା ଭୟ ଗ୍ରାସୁଛି ? ଯଦି କରୋନା ଭୟ ଯାଇନି, ତେବେ ସବୁ ଅଫିସ୍‌ରେ କାହିଁକି କଟକଣା ଜାରି କରାଯାଉ ନାହିଁ?

The post ସଙ୍ଗରୋଧରେ ଲୋକସେବା ଭବନ : ସବୁ ଖୋଲିଲାଣି, ଲୋକସେବା ଭବନ ଖୋଲୁନି first appeared on Sambad.


No comments

Powered by Blogger.