ଲଳିତ ଦା’ ଆଉ ନାହାନ୍ତି
ବଲାଙ୍ଗୀର : ବିଶିଷ୍ଟ ସମାଜସେବୀ, ଶ୍ରମିକ ନେତା, ରକ୍ତଦାନ ଅଭିଯାନର ଅଗ୍ରଣୀ ପ୍ରବର୍ତ୍ତକ ତଥା ଗରିବ ନିଃସହାୟଙ୍କ ଦରଦୀ ସାଥୀ ଲଳିତ ନାୟକ ଆଉ ନାହାନ୍ତି। ଦୀର୍ଘ ସାତ ମାସ କାଳ ପର୍ଯ୍ୟାୟ କ୍ରମେ ଭୁବନେଶ୍ବର ଓ କଟକର ଚାରିଗୋଟି ହସପିଟାଲରେ ସଂଘର୍ଷ କରିବା ପରେ ଶେଷରେ ସୋମବାର ସକାଳ ସାଢ଼େ ୫ଟାରେ ଆଖି ବୁଜିଛନ୍ତି। ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗ ଖବର ସାରା ଓଡ଼ିଶାରେ ଶୋକର ଲହରି ଖେଳାଇ ଦେଇଛି। ସକାଳଠାରୁ ହିଁ ସାମାଜିକ ଗଣମାଧ୍ୟମରେ ତାଙ୍କ ପାଇଁ ଶୋକ ଓ ଶ୍ରଦ୍ଧାଞ୍ଜଳିର ବାର୍ତ୍ତା ଛାଇ ହୋଇ ଯାଇଛି। ବହୁ ବିଶିଷ୍ଟ ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ, ସଂଗଠକଙ୍କଠାରୁ ଆରମ୍ଭ କରି ଶ୍ରମିକ, କର୍ମଚାରୀ ଓ ସାଧାରଣ ବ୍ୟକ୍ତିବିଶେଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଶ୍ରୁଳ ପରିବେଶ ମଧ୍ୟରେ ବଲାଙ୍ଗୀରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।
ପୂର୍ବରୁ ୨୫ ବର୍ଷ ତଳେ ଦୁଇଥର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭଲ ହୋଇଥିବା ଏହି ଜଣାଶୁଣା ସାମାଜିକ କର୍ମୀ ଗତ ୧୫ ଜୁନ୍ରେ ବଲାଙ୍ଗୀରରେ ଏକ ଘରନିହ ଖାଲରେ ପଡ଼ିଯିବାରୁ ତାଙ୍କ ଗୋଡ଼ ଜଂଘହାଡ଼ ପୁଣିଥରେ ଭାଙ୍ଗିଯାଇଥିଲା। ଭୁବନେଶ୍ବର ଏପୋଲୋରେ ଚିକତ୍ସିତ ହୋଇ ପୁରୁଣା ଭୁବନେଶ୍ବରସ୍ଥିତ ନିଜ ବାସଭବନରେ ବିଶ୍ରାମ ନେବାବେଳେ ସେ ଅସ୍ଥିମଜ୍ଜା କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କଟକର ଏକ ଘରୋଇ ଡାକ୍ତରଖାନାରେ କେମୋ କୋର୍ସ ସାରି ତାଙ୍କୁ ବିଏମ୍ଟି ପାଇଁ ଚେନ୍ନାଇର ଏପୋଲୋକୁ ନିଆଯାଇଥାନ୍ତା। ତେବେ କଟକରୁ ଚିକିତ୍ସିତ ହୋଇ ଫେରୁଫେରୁ ସେ ଅକ୍ଟୋବର ୧୫ରୁ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଭୁବନେଶ୍ବରର କେୟାର ହସପିଟାଲରେ ଡିସେମ୍ବର ୧୦ ଯାଏ ଚିକିତ୍ସିତ ହେବା ପରେ ଏମ୍ସକୁ ସ୍ଥାନାନ୍ତରିତ ହୋଇଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହି ୬୧ ବର୍ଷ ବୟସ୍କ ଜନନାୟକ ଶିଘ୍ର ସୁସ୍ଥ ହୋଇ ବଲାଙ୍ଗୀର ଫେରିଆସନ୍ତୁ ବୋଲି ତାଙ୍କର ଅଗଣିତ ଶୁଭେଚ୍ଛୁ ଚାହିଁବସିଥିଲେ। ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚା ଓ ଦୀପଦାନ ହୋଇଥିଲ। ହେଲେ ତାଙ୍କ ପ୍ରିୟ ମଣିଷ ଲଳିତ ନାୟକଙ୍କୁ ସେମାନେ ଆଉ ସଶରୀରରେ ଦେଖିପାରିଲେ ନାହିଁ। ସୋମବାର ସକାଳ ସାଢ଼େ ୫ଟାରେ ଲଳିତ ଦା ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
ପରେ ତାଙ୍କ ମରଶରୀରକୁ ଏକ ଆମ୍ବୁଲାନ୍ସରେ ଭୁବନେଶ୍ବରରୁ ବଲାଙ୍ଗୀର ନିଆଯାଇଥିଲା। ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ସୀମାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ତାଙ୍କ ଶବାଧାରକୁ ସହରର ରୁଗୁଡ଼ିପଡ଼ାସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ରୁଗୁଡ଼ିପଡ଼ାରେ ହଜାର ହଜାର ସଂଖ୍ୟାରେ ଲୋକେ ତାଙ୍କ ଶେଷଦର୍ଶନ କରିଥିଲେ। ଏହାପରେ ବିଭୂତିପଡ଼ା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପୁତୁରା ଜ୍ୟୋତିରଞ୍ଜନ ନାୟକ (ବୁବୁନ୍) ମୁଖାଗ୍ନି ଦେଇଥିଲେ। ତାଙ୍କ ପରଲୋକରେ ପଶ୍ଚିମ ଓଡ଼ିଶା ଜଣେ ପ୍ରିୟ ଓ ଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ‘ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ନିଜ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି। ଶ୍ରୀ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ କାର୍ଯ୍ୟାଳୟରେ ମଧ୍ୟ ଶୋକସଭା ଅନୁଷ୍ଠିତ ହୋଇଛି।
ଅଶୀ ଓ ନବେ ଦଶକର ଉଦୀୟମାନ ଯୁବନେତା
ସ୍ମରଣଯୋଗ୍ୟ, ୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ୟାରେ ଜିଲ୍ଲାବାସୀ ସେତେବେେଳ ଲଳିତଙ୍କ ରୂପରେ ଜଣେ ଦେବଦୂତଙ୍କୁ ଦେଖିବାକୁ ପାଇଥିଲେ। ବନ୍ୟା ଦୁର୍ଗତଙ୍କ ନିଃସ୍ବାର୍ଥପର ସେବା ତାଙ୍କୁ ଲୋକପ୍ରିୟତା ଓ ପ୍ରସିଦ୍ଧି ଆଣିଦେଇଥିଲା। ସାଉଁତପୁର ଓ ଆଖପାଖ ଗ୍ରାମରେ ତାଙ୍କୁ ଲୋକେ ଅବିଶ୍ବସନୀୟ ସମ୍ମାନ ଅଜାଡ଼ି ଦେଉଥିଲେ। ୧୯୮୨-୮୩ ବର୍ଷ ପ୍ରଥମ ଥର ରାଜେନ୍ଦ୍ର କଲେଜ ୟୁନିୟନ ସଭାପତି ପଦରେ ଲଢ଼ି ହାରିବା ପରେ ୧୯୮୫-୮୬ ବର୍ଷ ଉକ୍ତ ପଦବିରେ ନିର୍ବାଚିତ ହୋଇଥିଲେ। ସେବର୍ଷ ନେହେରୁ ଯୁବା କେନ୍ଦ୍ର ସହଯୋଗରେ ପଶ୍ଚିମ ଓଡ଼ିଶାର ପ୍ରଥମ ଯୁବ ମହୋତ୍ସବ ରାଜେନ୍ଦ୍ର କଲେଜ ପଡ଼ିଆରେ ଆୟୋଜନ କରିଥିଲେ। ପରବର୍ତ୍ତୀ ସାଢ଼େ ତିନି ଦଶନ୍ଧିର ଜୀବନଯାତ୍ରାରେ ସେ ବଲାଙ୍ଗୀରର ପ୍ରାୟ ପ୍ରତିଟି ପ୍ରମୁଖ ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋଡ଼ା ପଡୁଥିଲେ। ଅଶୀ ଓ ନବେ ଦଶକରେ ଜିଲ୍ଲାର ବିଶେଷ କରି ସହରର ଯୁବବର୍ଗ ଭିତରେ ତାଙ୍କର ଅସମ୍ଭବ ଗ୍ରହଣୀୟତା ଥିଲା। ‘ସହରର୍ ସବୁ ଘରର୍ ରନ୍ଧାଶାଲ୍ ତକ୍ ତଁାକର୍ ପ୍ରବେଶ ବୋଲି ମଧ୍ୟ ତାଙ୍କ ବିଷୟରେ ସେତେବେଳେ କୁହାଯାଉଥିଲା।
ସମାଜସେବୀ ଓ ଶ୍ରମିକ ନେତା
ପ୍ରତିବର୍ଷ ବଲାଙ୍ଗୀର ଲୋକ ଉତ୍ସବର ବହୁ କଷ୍ଟସାଧ୍ୟ କାର୍ଯ୍ୟଗୁଡ଼ିକ ତାଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସଂପୃକ୍ତି ବଳରେ ସୁରୁଖୁରୁରେ ସଂପାଦିତ ହୋଇଆସୁଥିଲା। ପଶ୍ଚିମ ଓଡ଼ିଶାରେ ରକ୍ତଦାନକୁ ଯୁବବର୍ଗ ମଧ୍ୟରେ ଲୋକପ୍ରିୟ କରାଇବାରେ ତାଙ୍କ ଭୂମିକାକୁ ତାଙ୍କ ବିରୋଧୀମାନେ ମଧ୍ୟ ସ୍ବୀକାର କରନ୍ତି। ବହୁ ବର୍ଷ ଧରି ପଶ୍ଚିମ ଓଡ଼ିଶାର ଅନ୍ୟତମ ବିଦ୍ୟୁତ କର୍ମଚାରୀ ସଂଘ ହୀରା ଜିଟିଡି ୟୁନିୟନ୍, ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ, ରିକ୍ସାଚାଳକ ସଂଘ ସମେତ ବହୁ ଶ୍ରମିକ ସଂଗଠନର ସଭାପତି ଭାବେ ସେ ମଙ୍ଗ ଧରିବା ସହ ଜଣେ ଆଗ ଧାଡ଼ିର ଶ୍ରମିକ ନେତା ଭାବେ ଗଣାହୁଅନ୍ତି। ବିଜେଡିର ଶ୍ରମିକ ସାମ୍ମୁଖ୍ୟର ସେ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଥିଲେ। ଲୋକଙ୍କ ପାଇଁ ଦିନରାତି କାମ କରୁକରୁ ସେ ଆଜୀବନ ଅବିବାହିତ ରହିଯାଇଥିଲେ। ଅସ୍ଥିମଜ୍ଜା କର୍କଟରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହେଉଥିବା ବେଳେ ସଂକ୍ରମଣକୁ ନେଇ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯିବା ଜରୁରୀ ଥିଲା। ହେଲେ ଲୋକଙ୍କ ପାଇଁ ପାଗଳ ହେଉଥିବା ଶ୍ରୀ ନାୟକ ଲୋକଙ୍କଠାରୁ ଦୂରେଇ ରହିବା ସମ୍ଭବ ନଥିଲା। ଶେଷରେ ସେଇ କରୋନା ହିଁ ତାଙ୍କର ଜୀବନ ନେଲା। ତାଙ୍କ ସମାଜସେବା ଦ୍ବାରା ଅନୁପ୍ରାଣିତ ହୋଇ ‘ବିଙ୍ଗ୍ ହ୍ୟୁମାନ୍’ ଭଳି ବହୁ ସଙ୍ଗଠନର କର୍ମକର୍ତ୍ତାମାନେ ଏହି ବ୍ରତକୁ ଆପଣେଇଛନ୍ତି।
The post ଲଳିତ ଦା’ ଆଉ ନାହାନ୍ତି first appeared on Sambad.
No comments