Header Ads

Header ADS

ସ୍ଥିର ହୋଇପାରୁନି ଟିକା ଦର, ସରକାର-ଟିକାନିର୍ମାତାଙ୍କ ମଧ୍ୟରେ ଅଚଳାବସ୍ଥା ଜାରି


ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ କବଳରୁ ମୁକୁଳିବା ଲାଗି ଆମେରିକା ଓ ଚୀନ୍‌ ଭଳି ବିଶାଳ ରାଷ୍ଟ୍ର ଅନୁମୋଦିତ ଟିକାକୁ ଗ୍ରହଣ କରି ସେମାନଙ୍କ ଦେଶବାସୀଙ୍କର ଟିକାକରଣକୁ ଆଗେଇ ନେଇଛନ୍ତି। ଅପରପକ୍ଷେ, ବିଶ୍ବର ଦ୍ବିତୀୟ ଜନବହୁଳ ରାଷ୍ଟ୍ର ଭାରତରେ ଅନୁମୋଦିତ ଟିକାର କୋଟି କୋଟି ମାତ୍ରା ଶୀତଳଭଣ୍ଡାରରେ ପଡ଼ି ରହିଛି ଏବଂ ସଂପୃକ୍ତ ଟିକା ନିର୍ମାତାଙ୍କ ସହ ସରକାରଙ୍କର ଦର ନିର୍ଦ୍ଧାରଣ ହୋଇପାରୁ ନାହିଁ। ଏଥିଯୋଗୁଁ ବହୁ ପ୍ରତୀକ୍ଷିତ ଟିକାକରଣ ବିଳମ୍ବିତ ହେବାରେ ଲାଗିଛି। ଅନ୍ୟ ଦେଶମାନଙ୍କରେ ଯଥେଷ୍ଟ ଆଗରୁ ଟିକାର ମୂଲ୍ୟ ସ୍ଥିର ହୋଇଥିବାରୁ ଟିକାର ବ୍ୟବହାର ପାଇଁ ଆବଶ୍ୟକ ଅନୁମୋଦନ ମିଳିବା ମାତ୍ରୋ ସେଠାରେ ଟିକାକରଣ ଆରମ୍ଭ ହୋଇଯାଇଛି। ମାତ୍ର ଭାରତରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ କୋଭିସିଲ୍‌ଡ ନାମରେ ପ୍ରସ୍ତୁତ କରୁଥିବା ବିଶ୍ବର ସର୍ବାଧିକ ଟିକା ନିର୍ମାତା ପୁଣେ ସ୍ଥିତ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ସହ ସରକାର ମାସ ମାସ ଧରି ଭିତରେ ଭିତରେ କଥାବାର୍ତ୍ତା ଚଳାଇଥିବା ବେଳେ ଏଯାଏ ଟିକା କିଣାବିକା ସମ୍ପର୍କରେ କୌଣସି ରାଜିନାମା ସ୍ବାକ୍ଷର ହୋଇପାରିନାହିଁ। ଫଳରେ ବିଶ୍ବର ଦ୍ବିତୀୟ ସର୍ବାଧିକ କୋଭିଡ୍‌ ଆକ୍ରାନ୍ତ ଭାରତରେ ଅତ୍ୟନ୍ତ ଜରୁରୀ ଟିକାକରଣ ପାଇଁ ଅପେକ୍ଷା କରି ରହିଥିବା ପ୍ରାୟ ୭ କୋଟି କୋଭିସିଲ୍‌ଡ ମାତ୍ରା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଗୋଦାମରେ ପଡ଼ିରହିଛି।

ଗତ ରବିବାର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମୁଖ୍ୟ ଆଦର ପୁନାଵାଲା କହିଥିଲେ ଯେ ଉକ୍ତ ଟିକାକୁ ବ୍ରିଟେନ୍‌ ସରକାର ୪ରୁ ୫ ଡଲାର ମୂଲ୍ୟରେ କିଣିଥିବା ବେଳେ ଭାରତ ସରକାର କୋଭିସିଲ୍‌ଡର ମାତ୍ରା ପିଛା ୨୦୦ ଟଙ୍କା ବା ୨.୭୪ ଡଲାର ପରି ସ୍ବତନ୍ତ୍ର କମ୍‌ ଦରରେ ପାଇବେ। ତେବେ ଏହାର ୧୦ କୋଟି ମାତ୍ରା କିଣିବାକୁ ସଂପୃକ୍ତ ଅଧିକାରୀମାନେ କଥାରେ କଥାରେ କେବଳ ରାଜି ହୋଇଛନ୍ତି। ଅପରପକ୍ଷେ, ସରକାର ଅନ୍ୟ ଏକ ପ୍ରତିଦ୍ବନ୍ଦ୍ବୀ ଟିକା(କୋଭାକ୍ସିନ୍‌)କୁ ଅନୁମତି ଦେଇ କୋଭିସିଲ୍‌ଡର ମୂଲ୍ୟ ଆହୁରି କମାଇବା ପାଇଁ କମ୍ପାନି ଉପରେ ଚାପ ପକାଉଛନ୍ତି। ସୁତରାଂ ସିରମ୍‌ କମ୍ପାନି ଘରୋଇ ବଜାରରେ ଦୁଇ ତିନି ମାସ ଭିତରେ ଗଚ୍ଛିତ ଟିକାକୁ ହଜାରେ ଟଙ୍କା ଦରରେ ବିକିଦେବ ବୋଲି ଇଚ୍ଛା ପ୍ରକଟ କରିଛି। ଏପରି ଭାବେ ସରକାର ଓ ଟିକାନିର୍ମାତା ମଧ୍ୟରେ ଦେଖାଦେଇଥିବା ଅଚଳାବସ୍ଥା ସବୁଠୁ ମୂଲ୍ୟବାନ ଟିକାକରଣ ପ୍ରକ୍ରିୟାକୁ ବିଳମ୍ବିତ କରି ଚାଲିଛି। ଅପରପକ୍ଷେ, ମୋଦୀ ସରକାରଙ୍କ ପାଇଁ ଟିକାକରଣରେ ବିନିଯୋଗ ପ୍ରତ୍ୟେକଟି ଟଙ୍କାର ମୂଲ୍ୟ ଦେଶର ଅର୍ଥନୀତି ପାଇଁ ମଧ୍ୟ ବେଶ୍‌ ମହତ୍ବପୂର୍ଣ୍ଣ। ଏତେ ଅଧିକ ସଂଖ୍ୟାରେ ଟିକା ଖରିଦ କରାଯିବାକୁ ଥିବାରୁ ଦରରେ ମୂଲଚାଲ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କୋଭିଡ୍‌ ପରିଚାଳନା ଟାସ୍କଫୋର୍ସ ସଦସ୍ୟ ତଥା ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି।

ଶୁକ୍ରବାର ସବୁ ରାଜ୍ୟରେ ଦ୍ବିତୀୟ ଡ୍ରାଏରନ୍‌ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: କୋଭିଡ୍‌ ଟିକାକରଣ ପାଇଁ ଦ୍ବିତୀୟ ଡ୍ରାଏରନ୍‌ କାର୍ଯ୍ୟକ୍ରମ ଆସନ୍ତା ଶୁକ୍ରବାର ଦିନ ସବୁ ରାଜ୍ୟରେ ହେବ। ଗତ ୨ ତାରିଖରେ ଦେଶବ୍ୟାପୀ ପ୍ରଥମ ବିଶାଳ ଡ୍ରାଏରନ୍‌ କାର୍ଯ୍ୟକ୍ରମ ହୋଇଥିଲା। ଭାରବ ବିଶ୍ବର ସବୁଠୁ ବିଶାଳ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ତେଣୁ ଟିକାକରଣରେ କୌଣସି ପ୍ରକାର ତ୍ରୁଟି ନହେବା ପାଇଁ ଏବଂ ସମସ୍ତ କାର୍ଯ୍ୟକୁ ଭଲଭାବେ ପରଖିବା ପାଇଁ ଏହି କାର୍ଯ୍ୟକ୍ରମ ହେଉଛି। ସରକାର କହିଛନ୍ତି, ୧୦ ଦିନ ମଧ୍ୟରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ତେବେ ଡ୍ରାଏରନ୍‌ ହେଉଛି ଏକ ଡମି ଟିକାକରଣ କାର୍ଯ୍ୟକ୍ରମ। ଡ୍ରାଏରନ୍‌ ସମୟରେ ପ୍ରତି କେନ୍ଦ୍ରରେ ୨୦ରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ଡମି ଟିକା ମିଳିବ।

The post ସ୍ଥିର ହୋଇପାରୁନି ଟିକା ଦର, ସରକାର-ଟିକାନିର୍ମାତାଙ୍କ ମଧ୍ୟରେ ଅଚଳାବସ୍ଥା ଜାରି first appeared on Sambad.


No comments

Powered by Blogger.