Header Ads

Header ADS

କୋଟି କୋଟି ଟଙ୍କା ବର୍‌ବାଦ୍‌: ଫେଲ୍‌ ମାରିଛି ଜଗନ୍ନାଥ ବନ ପ୍ରକଳ୍ପ


ଦଶପଲ୍ଲା: ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ କାଠ ଦଶପଲ୍ଲା ବନାଞ୍ଚଳରୁ ଯୋଗାଇ ଦିଆଯାଉଛି। ଏହା ମଧ୍ୟରେ ଆଜକୁ ଗତ ପ୍ରାୟ ୪ ବର୍ଷ ହେଲା ଦଶପଲ୍ଲା ବନାଞ୍ଚଳରେ ଆବଶ୍ୟକ କାଠର ଘୋର ସଂକଟ ଦେଖାଦେଇଛି। ଏହାର ଭରଣା ପାଇଁ ବୌଦ୍ଧ ଏବଂ ଘୁମୁସର (ଉତ୍ତର) ବନଖଣ୍ତରୁ ଅର୍ଦ୍ଧାଧିକ କାଠ ଯୋଗାଇ ଦିଆଯାଉଛି। ହେଲେ ଦଶପଲ୍ଲା ବନାଞ୍ଚଳରୁ ପ୍ରାୟ ୩ ଶହ ବର୍ଷ ଧରି ଯୋଗାଇ ଦିଆଯାଉଥିବା କାଠକୁ ନେଇ ଯେଉଁ ପରମ୍ପରା ଲାଗି ଆସିଛି, ସେଥିରେ ଏବେ ଧୀରେ ଧୀରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଦଶପଲ୍ଲା ବନାଞ୍ଚଳରେ ଏବେ ଧଉରା, ଅସନ ଏବଂ ଫାଶି କାଠର କାହିଁକି ଅଭାବ ପରିଲକ୍ଷିତ ହେଲା ତାହାକୁ‌ ନେଇ ପ୍ରଶ୍ନ ଉଠିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଉପରେ ଅନୁଧ୍ୟାନ କଲେ ୨୦୦୩–୦୪ ଆର୍ଥୀକ ବର୍ଷରେ ଦଶପଲ୍ଲା ବନାଞ୍ଚଳର ବାଣିଗୋଛା, ସାକେଣୀ ଏବଂ ସଦର ସେକ୍ସନରେ ୩ ଗୋଟି ‘ଜଗନ୍ନାଥ ବନ ପ୍ରକଳ୍ପ’ ହାତକୁ ନିଆଯାଇଥିଲା।

ବାଣିଗୋଛା ସେକ୍ସନର ତୁମୁଡିବିଡାଠାରେ ୩୫ ହେକ୍ଟର ପରିମିତ ସ୍ଥାନରେ ୫୬ ହଜାର ଚାରା ରୋପଣ କରାଯାଇଥିଲା। ଯାହାକି ରଥ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଅସନ, ଧଉରା, ଫାଶି ଏବଂ ମଇ ଚାରାରୋପଣ କରାଯାଇଥିଲା। ସେହିଭଳି ସଦର ସେକ୍ସନର ରାଇସର ଗ୍ରାମ ନିକଟସ୍ଥ ଛଦେଶ ସଂରକ୍ଷିତ ଜଙ୍ଗଲରେ ୧୦ ହେକ୍ଟର ଜାଗାରେ ୧୬ ହଜାର ଫାଶି ଏବଂ ସାକେଣୀ ସେକ୍ସନର ବେବେରୀସ୍ଥିତ ପୋଖରୀଗୋଛା ସଂରକ୍ଷଣ ଜଙ୍ଗଲର କମ୍ପାର୍ଟମେଣ୍ଟ-୪ରେ ୧୬ ହଜାର ଫାଶି ଚାରାରୋପଣ କରାଯାଇଥିଲା। ଯାହାର ଉଦ୍ଦେଶ୍ୟ ଥିଲା ଭବିଷ୍ୟତରେ ରଥକାଠର ଚାହିଦା ପୂରଣ କରିବ। ଏହି ଚାରା ରୋପଣ ଏବଂ ରକ୍ଷଣାବେକ୍ଷଣ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ବିଡ଼ମ୍ବନାର ବିଷୟ, ଏସବୁ ସ୍ଥାନରେ ଯେତିକି ସଂଖ୍ୟକ ଚାରାରୋପଣ କରାଯାଇଥିଲା। ଦୀର୍ଘ ପ୍ରାୟ ୧୭ ବର୍ଷ ପରେ ତାହା ଆଉ ଦେଖିବାକୁ ମିଳୁନାହିଁ। କେବଳ ବେବେରୀ ଜଙ୍ଗଲରେ ୪୦ ପ୍ରତିଶତ ଗଛ ବଞ୍ଚି ରହିଥିବା ବେଳେ ଅନ୍ୟ ଦୁଇ ଜଙ୍ଗଲରେ ଆଉ କୌଣସି ଗଛ ଦେଖିବାକୁ ମିଳୁନାହିଁ।

The post କୋଟି କୋଟି ଟଙ୍କା ବର୍‌ବାଦ୍‌: ଫେଲ୍‌ ମାରିଛି ଜଗନ୍ନାଥ ବନ ପ୍ରକଳ୍ପ first appeared on Sambad.


No comments

Powered by Blogger.