Header Ads

Header ADS

କଲେଜ ଅଧ୍ୟକ୍ଷଙ୍କୁ ରମାଦେବୀ ବିଶ୍ବବିଦ୍ୟାଳୟ କୁଳପତିଙ୍କ ପରାମର୍ଶ, ନାକ୍‌ ମାନ୍ୟତା ପାଇଁ ଲାଗିପଡ଼ନ୍ତୁ


ଭୁବନେଶ୍ବର: ରମା‌ଦେବୀ ମହିଳା ବିଶ୍ବବିଦ୍ୟାଳୟ ଅଧୀନ ୪୮ଟି ଡିଗ୍ରି କଲେଜ ମଧ୍ୟରୁ ୩୫ଟିର ନାକ୍‌ ମାନ୍ୟତା‌ ନାହିଁ। ଭିତ୍ତିଭୂମି ଅଭାବ ରହିଛି। କାହାର ଲାଇବ୍ରେରି ଠିକ୍‌ ନାହିଁ ତ ଆଉ କାହାର ଲାବରୋଟାରି ଅଚଳ। ଅଧିକାଂଶ କଲେଜର ଖେଳ ପଡ଼ିଆ ନାହିଁ। କଲେଜ ଦୂରର କଥା, ଖୋଦ୍‌ ବିଶ୍ବବିଦ୍ୟାଳୟର ଖେଳ ପଡ଼ିଆ ନାହିଁ। ବାହାର ଶିକ୍ଷାନୁଷ୍ଠାନର ଖେଳ ପଡ଼ିଆ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆବଶ୍ୟକତା ଅନୁଯାୟୀ ଅର୍ଥ ମିଳୁ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି। ତେଣୁ କଲେଜଗୁଡ଼ିକ ଯେତେଶୀଘ୍ର ସମ୍ଭବ ନାକ୍‌ ମାନ୍ୟତା ହାସଲ କରି କେନ୍ଦ୍ରୀୟ ଅର୍ଥ ପାଇବାକୁ ଯୋଗ୍ୟତା ଅର୍ଜନ କରନ୍ତୁ। ବିଶେଷକରି ନାକ୍‌ ମାନ୍ୟତା ଲାଗି ‌ଯେଉଁ ସବୁ ଆବଶ୍ୟକତା ରହିଛି, ତାହାକୁ ପୂରଣ କରି ନାକ୍‌ ଟିମ୍‌ ଗସ୍ତ କରିବାକୁ ଆବେଦନ କରନ୍ତୁ। ବର୍ଷେ ପରେ ନାକ୍‌ ଟିମ୍‌ ଆସିବା ବେଳକୁ ଯେମିତି ଭଲ ରୢାଙ୍କ ମିଳିପାରିବ ସେ ଦିଗରେ କଲେଜ ଅଧ୍ୟକ୍ଷଅଧ୍ୟକ୍ଷାମାନଙ୍କୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି କୁଳପତି ପ୍ରଫେସର୍‌ ଅପରାଜିତା ଚୌଧୁରୀ।

ନାକ୍‌ ବ୍ୟତୀତ ଆଇଡିପି, ୟୁଜିସି, ଏନଏସ୍ଏସ୍‍, କ୍ରୀଡ଼ା ପରିଷଦ, ଇ-ଶିକ୍ଷାଦାନ, ପରୀକ୍ଷା ପରିଚାଳନା ଆଦି ବ୍ୟବସ୍ଥାକୁ ଠିକ୍‌ ଭାବେ ପାଳନ କରିବାକୁ କୁହାଯାଇଛି। କରୋନା ସମୟରେ କ୍ଲାସରୁମ୍‌ ପାଠପଢ଼ା ହୋଇପାରୁ ନାହିଁ। କେବଳ ଅନ୍‌ଲାଇନ୍‌ ଶିକ୍ଷାଦାନ ଭରସା ପାଲଟିଛି। ତେଣୁ ଅଧ୍ୟାପକ ଅଧ୍ୟାପିକା ଅନ୍‌ଲାଇନ୍‌ ଶିକ୍ଷାକୁ ପ୍ରାଥମିକତା ଦିଅନ୍ତୁ। ସ୍ବତନ୍ତ୍ର କର୍ମଶାଳା ଆୟୋଜନ କରି ଅଧ୍ୟାପକଙ୍କୁ ତାଲିମ ଦିଅନ୍ତୁ। ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ୪୮ଟି କଲେଜ ମଧ୍ୟରୁ ଏବେ ବି ୧୦ଟି କଲେଜ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ରହିଛନ୍ତି। ଆଜି ପର୍ଯ୍ୟନ୍ତ ଡି-ଆଫିଲେସନ୍‌ ହୋଇନାହାନ୍ତି। ସେମାନେ ଯେମିତି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବେ, ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଫେସର ଅପରାଜିତା ଚୌଧୁରୀ ଗତକାଲି ଅନୁବନ୍ଧିତ ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ବୈଠକ ନେଇଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର ଗୁଣାତ୍ମକମାନ ଅଭିବୃଦ୍ଧି କରିବା ପାଇଁ ଅନୁବନ୍ଧିତ ମହାବିଦ୍ୟାଳୟର ଯୋଗଦାନ ଓ ସହଯୋଗ ଅପରିହାର୍ଯ୍ୟ ବୋଲି କହିଥିଲେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମ ଅନୁଯାୟୀ ୧୨(ବି) ଓ ୨(ଏଫ୍‍) ସ୍ୱୀକୃତି ପାଇଁ ବିଶ୍ୱବିଦ୍ୟାଳୟ ସମସ୍ତ ପ୍ରସ୍ତୁତି କରୁଛି। ଏହାପରେ ନାକ୍‍ ମାନ୍ୟତା ପାଇଁ ମଧ୍ୟ ଆବେଦନ କରିବ। ତେଣୁ କଲେଜଗୁଡ଼ିକ ବି ନାକ୍‌ ମାନ୍ୟତା ଦିଗରେ ପଦ‌କ୍ଷେପ ନେବାକୁ ପ୍ରଫେସର୍‌ ଚୌଧୁରୀ ଆହ୍ବାନ ଦେଇଥିଲେ। ମହାବିଦ୍ୟାଳୟ ବିକାଶ ପରିଷଦ ଅଧ୍ୟକ୍ଷ ପ୍ରଫେସର୍‍ ଚଣ୍ଡିଚରଣ ରଥ ସ୍ୱାଗତ ଭାଷଣ, କୁଳସଚିବ ଶ୍ୟାମଳୀ ମହାପାତ୍ର, ସ୍ନାତୋକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର୍‍ ସସ୍ମିତା ମହାନ୍ତି ନିଜସ୍ୱ ବକ୍ତବ୍ୟରେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ମଧୁସ୍ମିତା ପତି ଧନ୍ୟବାଦ ଦେଇଥିଲେ। ପ୍ରଫେସର୍‍ ଜ୍ୟୋତିର୍ମୟୀ ଆଚାର୍ଯ୍ୟ, ଦେବବାଳା ସ୍ୱାଇଁ, ଅଲିଭା ମହାନ୍ତି, ବିଭୁଦେନ୍ଦୁ ପତି, ମାନସ ବେହେରା, ଶଙ୍କର ପ୍ରସାଦ ମହାନ୍ତି, ଛବିରାଣୀ ପାଣିଗ୍ରାହୀ ପ୍ରମୁଖ ୪୮ଟି ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କରିଥିଲେ।

The post କଲେଜ ଅଧ୍ୟକ୍ଷଙ୍କୁ ରମାଦେବୀ ବିଶ୍ବବିଦ୍ୟାଳୟ କୁଳପତିଙ୍କ ପରାମର୍ଶ, ନାକ୍‌ ମାନ୍ୟତା ପାଇଁ ଲାଗିପଡ଼ନ୍ତୁ first appeared on Sambad.


No comments

Powered by Blogger.