ଗଞ୍ଜାମରେ ରାଜନୈତିକ ହତ୍ୟାକାଣ୍ଡର ଚିତ୍ର ଏମିତି! ୩ ବର୍ଷରେ ଗଡ଼ିଲାଣି ୧୦ ମୁଣ୍ଡ
ବ୍ରହ୍ମପୁର : ରାଜନୈତିକ ଶତ୍ରୁତା, ବେଆଇନ ମଦ ଓ ବାଲି କାରବାର ଆଦିକୁ ନେଇ ଛୋଟ ଛୋଟ କଥାରେ ଗଞ୍ଜାମ ଜିଲ୍ଲାରେ ଘଟୁଛି ବୀଭତ୍ସ ହତ୍ୟାକାଣ୍ଡ। ଆଜି କୋଦଳା ଥାନା ଅର୍ନ୍ତଗତ ବେଗୁନିଆପଡ଼ା ବ୍ଲକ ସମୁଣ୍ଡଳ ବଜାରରେ ଏକ ଚା ଦୋକାନରେ ବସିଥିବାବେଳେ ବେଗୁନିଆପଡ଼ା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ଜିଲ୍ଲାରେ ଏଭଳି ହତ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ସମର୍ଥକ, ଠିକାଦାର, ସାଧାରଣ ଜନତା ଅପରାଧୀଙ୍କ ଶିକାର ହେଉଛନ୍ତି। ଗତ ୩ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାରଣ ଲାଗି ରାଜନୀତି ସହ ସମ୍ପୃକ୍ତ ୧୦ ଜଣ ନେତା ଓ କର୍ମୀଙ୍କ ମୁଣ୍ଡ ଗଡ଼ିଲାଣି।
୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଜିଲ୍ଲା ଅଶାନ୍ତ ହୋଇପଡ଼ିଥିଲା। ସେହିବର୍ଷ ଫେବ୍ରୁଆରି ୭ରେ ବୁଗୁଡ଼ା ବ୍ଲକ୍ ଗୋଲିଆ ପଞ୍ଚାୟତରେ ବିଜେଡ଼ି-କ˚ଗ୍ରେସ ସମର୍ଥକଙ୍କ ମଧୢରେ ଗୋଷ୍ଠୀ ସ˚ଘର୍ଷ ଘଟିଥିଲା। ଉଭୟ ପକ୍ଷର ୫୦ରୁ ଅଧିକ ଆହତ ହୋଇଥିଲେ। ତା’ ପରଦିନ ଫେବୃଆରି ୮ରେ ବୁଗୁଡ଼ା ଥାନା ପାଙ୍ଗିଡ଼ି ପଞ୍ଚାୟତରେ ବିଜେଡି ସମର୍ଥକମାନେ କଂଗ୍ରେସ କର୍ମୀ ଶିଶିର ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିଲେ। ସେହିମାସ ୧୭ତାରିଖରେ ବୁଗୁଡା ବ୍ଲକ ଭାମଶିଆଳି ଗ୍ରାମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କର କିଛି କର୍ମୀଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିଲା। ଏଥିସହ ବୁଗୁଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୋକୁଳାନନ୍ଦ ମଲ୍ଲିକଙ୍କ ଘର ଆଗରେ ବୋମାମାଡ଼ ହୋଇଥିଲା। ଏହି ଘଟଣାର ଠିକ୍ ଦୁଇଦିନ ପରେ ଜିଲ୍ଲାରେ ଦୁଇଟି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଥିଲା। ଫେବୃଆରି ୨୦ରେ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ସରପଞ୍ଚ ପ୍ରାର୍ଥୀ ବୁଲୁ କୁମାର ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଯେଉଥିପାଇଁ ଉକ୍ତ ପଞ୍ଚାୟତରେ ନିର୍ବାଚନ ବାତିଲ ହୋଇଥିଲା। ଆଉ ସେହିଦିନ କୋଦଳା ଥାନା ଅର୍ନ୍ତଗତ ବେଗୁନିଆପଡ଼ା ବ୍ଲକ୍ ମର୍ଦ୍ଦକୋଟରେ ଜଣେ ପ୍ରତିଦ୍ବନ୍ଦ୍ବୀଙ୍କ ସମର୍ଥକ ପୀତାମ୍ବର ସ୍ବାଇଁଙ୍କୁ ନିର୍ମମ ଭାବେ ହତ୍ୟା କରା ଯାଇଥିଲା।
ମାର୍ଚ୍ଚ ମାସ ୧୨ତାରିଖରେ ବ୍ରାହ୍ମଣଛାଇ ରାଜନୈତିକ ହି˚ସାରେ ଗୁରୁତର ଦଣ୍ତପାଣି ପ୍ରଧାନଙ୍କ ମାର୍ଚ୍ଚ ମାସ ୧୨ତାରିଖରେ ମୃତ୍ୟୁ ଘଟିଥିଲା। ସେହିମାସ ୧୭ତାରିଖରେ କୁକୁଡ଼ାଖଣ୍ତି ବ୍ଲକ୍ ବିଜେଡି ନେତା ସନ୍ନ୍ୟାସୀ ଜେନାଙ୍କ ସାନଭାଇ ଅଶୋକଙ୍କୁ ହତ୍ୟା କରା ଯାଇଥିଲା। ସେହିବର୍ଷ ସେପ୍ଟେମ୍ବର ମାସ ୧୬ତାରିଖରେ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ଏନ୍ଏସିର କାଉନ୍ସିଲର ବିଜେଡି ଯୁବନେତା ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ୍ ବଚ୍ଚନ୍ଙ୍କୁ ତାଙ୍କ ଘର ସମ୍ମୁଖରେ ଦୁର୍ବୃତ୍ତମାନେ ହାଣି ହତ୍ୟା କରିଥିଲେ। ପରବର୍ତ୍ତୀ ସମୟରେ ଏହି ହତ୍ୟାକାଣ୍ଡ ସିସିଟିଭି ଫୁଟେଜ ଭାଇରାଲ ହେବା ସହ ସମଗ୍ର ରାଜ୍ୟରେ ଚହଳ ପଡ଼ିଥିଲା। ଏହି ଘଟଣାରେ ବିଜେପିର ଜଣେ ନେତା, ଜଣେ ସମିତି ସଭ୍ୟଙ୍କ ସମେତ ୨୧ଜଣଙ୍କୁ ପୁଲିସ ଗିରଫ କରିଥିଲା। ୨୦୧୭ ନଭେମ୍ବର ୭ରେ ଆସିକାର ବିଜେଡି ନେତା ତଥା ଆସିକା ଏନ୍ଏସିର ଜଣେ କାଉନ୍ସିଲରଙ୍କ ସ୍ବାମୀ ପ୍ରତାପ ପଲେଇଙ୍କୁ ଚଳନ୍ତା ବସ୍ରେ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିଲେ। ଖଡ଼ଭାଗ ଛକ ନିକଟରେ ଦୁର୍ବୃତ୍ତମାନେ ଚଢି କରେଞ୍ଜଇ ଛକ ନିକଟରେ ଚଳନ୍ତା ବସ୍ରେ ପ୍ରତାପଙ୍କୁ ଗୁଳିକରି ବସ୍ ଅଟକାଇ ଫେରାର ହୋଇ ଯାଇଥିଲେ। ମଦ ବ୍ୟବସାୟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା।
୨୦୧୮ ଡିସେମ୍ବର ୩୧ ରାତିରେ ଆସିକା ବ୍ଲକ ଖାରିଆ ସରପଞ୍ଚଙ୍କ ଭାଇ ତଥା ବିଜେଡି ନେତା ବାହାନ ଲେଙ୍କା ବାଇକ୍ ଯୋଗେ ଘରକୁ ଫେରୁଥିବାବେଳେ ଆସିକା ଡିପଲ୍ ସ୍କୁଲ୍ ନିକଟରେ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିଲା। ଗତ ସାଧାରଣ ନିର୍ବାଚନରେ ଆସିକା ବିଧାନସଭା କ୍ଷେତ୍ରରୁ ମନୋଜ ଜେନା କଂଗ୍ରସରୁ ପ୍ରାର୍ଥୀ ହୋଇଥିଲା। ମେ ୨୩ ତାରିଖରେ ଭୋଟଗଣତି ଥିଲା। ତାର ପୂର୍ବରାତିରେ ଅର୍ଥାତ ମେ ୨୨ତାରିଖରେ ମନୋଜ ତାଙ୍କ କାର୍ ଯୋଗେ ଭୁବନେଶ୍ବରରୁ ଫେରୁଥିବାବେଳେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଦୁର୍ବୃତ୍ତମାନେ ତାଙ୍କ ତଣ୍ଟି କାଟି ଏବଂ ଗୁଳି କରି ହତ୍ୟା କରିଥିଲେ। ଅନ୍ୟପକ୍ଷରେ ଗତ ସାଧାରଣ ନିର୍ବାଚନ ବେଳେ ମତଦାନ ପୂର୍ବ ରାତିରେ ସୋରଡ଼ା ବ୍ଲକ୍ ଲାଠିପଡ଼ା ନିକଟସ୍ଥ କଦଳୀଝୋଳ ଗ୍ରାମର ଜଣେ ବିଜେପି କର୍ମୀଙ୍କୁ ପିଟି ପିଟି ହତ୍ୟା କରା ଯାଇଥିଲା।
The post ଗଞ୍ଜାମରେ ରାଜନୈତିକ ହତ୍ୟାକାଣ୍ଡର ଚିତ୍ର ଏମିତି! ୩ ବର୍ଷରେ ଗଡ଼ିଲାଣି ୧୦ ମୁଣ୍ଡ first appeared on Sambad.
No comments