Header Ads

Header ADS

ଅଧାରେ ଲଟକିଛି ଇଟିପୁର ବ୍ରିଜ ନିର୍ମାଣ କାର୍ଯ୍ୟ


ଧଉଳି: ସ୍ଥାନୀୟ ଇଟିପୁରସ୍ଥିତ ଦୟାନଦୀ ଉପରେ ବ୍ରିଜ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ଦାୟିତ୍ବରେ ଥିବା ଠିକାଦାର କାର୍ଯ୍ୟ ସଂପାଦନରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହୋଇଛି। ବ୍ରିଜ ନିର୍ମାଣ କାର୍ଯ୍ୟ ଅବଧି ଗତ ଡିସେମ୍ବରରୁ ଶେଷ ହୋଇଥିବା ବେଳେ ଉପରପାର୍ଶ୍ବ ବ୍ରିଜ ଛାତ କାମ ୫୦ ପ୍ରତିଶତ ସଂପୂର୍ଣ୍ଣ ହୋଇ ନାହିଁ। ଏନେଇ ଆଖପାଖ ୪ଟି ପଞ୍ଚାୟତର ପ୍ରାୟ ୨୦ ହଜାର ଜନ ସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବ୍ରିଜ ନିର୍ମାଣ କାର୍ଯ୍ୟରେ ଠିକାଦାରୀ ସଂସ୍ଥାର ଅବହେଳା ସଂପର୍କରେ ଲୋକେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅବଗତ କରାଇଥିଲେ। ଅଭିଯୋଗ ପାଇ ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ପଣ୍ଡା ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ ସେଠାରେ ପହଞ୍ଚି ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସହ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଇଟିପୁର ସରପଞ୍ଚ ନର୍ମଦା ଚନ୍ଦ୍ରମା ସାହୁ ଉପସ୍ଥିତ ଥିଲେ। ତୁରନ୍ତ ବ୍ରିଜ କାମ ଶେ‌ଷ କରିବାକୁ ମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୭/୧୮ ଆର୍ଥିକ ବର୍ଷରେ ୪ଟି ପଞ୍ଚାୟତ ଜନସାଧାରଣଙ୍କ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ aନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୦ ଡିସେମ୍ବର ଶେଷ ସୁଦ୍ଧା କାମ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଇତିମଧ୍ୟରେ ଦୁଇବର୍ଷ ବିତିଯାଇଥିବା ବେଳେ ୫ଟି ପିଲାର ମଧ୍ୟରୁ ଗୋଟିଏ ପିଲାର ଉପରେ ଛାତ ପଡ଼ିଛି। ସେହିପରି ଜମି ଅଧିଗ୍ରହଣ ଆଉ ଗୋଟିଏ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ବ୍ରିଜର ଉଭୟ ପାର୍ଶ୍ବ ଗୋବର୍ଦ୍ଧନପୁର ମୌଜା ଓ ଉତ୍ତରାଶାସନ ମୌଜା ଅଞ୍ଚଳର ଜମି ଅଧିଗ୍ରହଣ ହୋଇ ପାରିନଥିବାରୁ ଆପ୍ରୋଚ ରାସ୍ତା ନିର୍ମାଣରେ ବାଧକ ସାଜିଛି। ଏନେଇ ମନ୍ତ୍ରୀ ଜମି ମାଲିକଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ।

The post ଅଧାରେ ଲଟକିଛି ଇଟିପୁର ବ୍ରିଜ ନିର୍ମାଣ କାର୍ଯ୍ୟ first appeared on Sambad.


No comments

Powered by Blogger.