Header Ads

Header ADS

୬୪୦୦ କୋଟିର ନିବେଶ ମଞ୍ଜୁର


ଭୁବନେଶ୍ବର : ରାଜ୍ୟ ସରକାର ୬୪୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତା ସମ୍ପନ୍ନ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ୨୫ତମ ବୈଠକରେ ୫୩୦୦ କୋଟି ଟଙ୍କା ମୂଲ୍ୟର ତିନିଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେହିପରି ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥାରେ ୧୦୦୦ କୋଟି ଟଙ୍କା ମୂଲ୍ୟର ୫ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୪୬୩୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଉଚ୍ଚ କ୍ଷମତା ସମ୍ପନ୍ନ ମଞ୍ଜୁରି କର୍ତ୍ତୃପକ୍ଷ ଆଜି ୟାଜଦାନି ଷ୍ଟିଲ୍ ଆଣ୍ଡ୍‌ ପାୱାର ଲିମିଟେଡ୍, ଶିବା ସିମେଣ୍ଟ୍‌ ଏବଂ ନୁମାଲିଗଡ଼ ରିଫାଇନାରିର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ୟାଜଦାନି ଷ୍ଟିଲ୍ ଆଣ୍ଡ୍ ପାୱାର ୨୪୧୫ କୋଟି ଟଙ୍କା ବିନିଯୋଗରେ ଯାଜପୁରର କଳିଙ୍ଗନଗରରେ ଏହାର ଇସ୍ପାତ କାରଖାନାର କ୍ଷମତାକୁ ୧.୧୯ ନିୟୁତ ଟନ୍ ପର୍ଯ୍ୟନ୍ତ ବଢ଼ାଇବ। ଏହି ପ୍ରକଳ୍ପରେ ୨୮୬୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ସୁନ୍ଦରାଗଡ଼ର ତେଲିଘଣା କୁତ୍ରାରେ ଶିବା ସିମେଣ୍ଟ୍‌ ପକ୍ଷରୁ ୧୫୨୩.୨୪ କୋଟି ଟଙ୍କା ପୁଞ୍ଜିନିବେଶ କରି କ୍ଲିଙ୍କର୍‌ ଉତ୍ପାଦନ କ୍ଷମତାରେ ୧.୩୨ ନିୟୁତ ଟନ୍ ଏବଂ ସିମେଣ୍ଟ୍‌ କ୍ଷମତାକୁ ୧.୦୫ ନିୟୁତ ଟନ୍‌ ବୃଦ୍ଧି କରାଯିବ। ଏହି ପ୍ରକଳ୍ପରେ ୬୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଜଗତସିଂହପୁରର ପାରାଦୀପରେ ନୁମାଲିଗଡ଼ ରିଫାଇନାରି ଲିମିଟେଡ୍‌ ୧୪୨୦ କୋଟି ଟଙ୍କା ବିନିଯୋଗରେ ଏକ ଅଶୋଧିତ ତୈଳ ଟର୍ମିନାଲ୍ ନିର୍ମାଣ କରିବ। ଏଥିରେ ୨୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ।

ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ଆଜି ଇଫ୍‌କୋ, ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍‌, ପ୍ରିମିୟର୍‌ ଆଲ୍‌କୋବେଭ୍ ପ୍ରାଇଭେଟ୍ ଲିମିଟେଡ୍‌, କଟକ ଆଗ୍ରିଭେଟ୍‌ ଲିମିଟେଡ୍ ଓ ଏସ୍‌ଜେ ଡେଭେଲପର୍ସ ଆଣ୍ଡ୍‌ ହାଉସିଂ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଇଫ୍‌କୋ ତରଫରୁ ପାରାଦୀପରେ ୪୦୦ କୋଟି ଟଙ୍କା ବିନିଯୋଗ କରି ସଲ୍‌ଫରିକ୍ ଏସିଡ୍‌ ପ୍ରକଳ୍ପର ସମ୍ପ୍ରସାରଣ କରାଯିବ। ପଟ୍ଟନାୟକ ମିନେରାଲସ୍‌ ପ୍ରାଇଭେଟ୍ ଲିମିଟେଡ୍‌ ତରଫରୁ ୨୪୩ କୋଟି ଟଙ୍କା ବିନିଯୋଗରେ ସୁନ୍ଦରଗଡ଼ରେ ୦.୦୪ ନିୟୁତ ଟନ୍‌ କ୍ଷମତାର ଫେରୋ ମାଙ୍ଗାନିଜ ପ୍ଲାଣ୍ଟ୍‌, ୦.୦୩ ନିୟୁତ ଟନ୍‌ର ସିଲିକୋ ମାଙ୍ଗାନିଜ୍, ୦.୧୨ ନିୟୁତ ଟନ୍‌ର ମାଙ୍ଗାନିଜ୍ ବିନିଫିକେସନ, ୧ ନିୟୁତ ଟନ୍‌ର ଲୁହାପଥର ‌ବିନିଫିକେସନଳ ଓ ୧୮ ମେଗାୱାଟ୍‌ କ୍ୟାପ୍ଟିଭ୍‌ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ଏହି ପ୍ରକଳ୍ପରେ ୧୫୬ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରିମିୟର୍‌ ଆଲ୍‌କୋବେଭ୍ ତରଫରୁ ସମ୍ବଲପୁରର ବାମ୍‌ରାରେ ୨୭୫ କୋଟି ଟଙ୍କା ଏବଂ କଟକ ଏଗ୍ରିଭେଟ୍ ପକ୍ଷରୁ କଟକର ମୁଣ୍ଡଳୀରେ ୧୧୨.୫୦ କୋଟି ଟଙ୍କା ନିବେଶ କରାଯିବ। ଏସ୍‌ ଜେ ଡେଭେଲପର୍ସ ପକ୍ଷରୁ ୫୪.୫୮ କୋଟି ଟଙ୍କା ବିନିଯୋଗରେ ପିପିଲିର ଜସୁଆପୁରରେ ଏକ ୪ ତାରକା ହୋଟେଲ୍‌ ତଥା ରିସୋର୍ଟ ବିକଶିତ କରାଯିବ।

ଉଲ୍ଲେଖଯୋଗ୍ୟ, ୨୦୨୦ ଫେବ୍ରୁଆରି ପରଠାରୁ ରାଜ୍ୟକୁ ୧,୧୯,୨୧୪.୭୨ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ଆସିଛି।

The post ୬୪୦୦ କୋଟିର ନିବେଶ ମଞ୍ଜୁର first appeared on Sambad.


No comments

Powered by Blogger.