Header Ads

Header ADS

ଓଡ଼ିଶାରେ ପହଞ୍ଚିଲା ଟିକା, ଆସିଲା ‘କୋଭିସିଲ୍ଡ’ର ୪୦ହଜାର ୮ଶହ ଭାଏଲ୍‌


ଭୁବନେଶ୍ବର: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶାରେ ପହଞ୍ଚିଛି କରୋନା ଟିକା। ପୁନେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍‌ରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ‘କୋଭିସିଲ୍ଡ’ ଟିକାର ୪୦ହଜାର ୮ଶହ ଭାଏଲ ଅର୍ଥାତ୍ ୪ଲକ୍ଷ ୮ହଜାର‌ ଡୋଜ୍‌ ଓଡ଼ିଶା ଆସିଛି। ଆଜି ଅପରାହ୍‌ଣରେ ସ୍ପାଇସ୍ ଜେଟ୍‌ର ଏକ ସ୍ବତନ୍ତ୍ର ବିମାନ(ଏସ୍‌ଜି ୭୪୬୬) ୧୨ଶହ କେଜିର ୩୪ଟି ପ୍ୟାକେଟ୍‌ରେ ରହିଥିବା ଟିକାକୁ ନେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା। ସେଠାରୁ କଡ଼ା ସୁରକ୍ଷା ଭିତରେ ଏହି ଟିକା ପ୍ୟାକେଟ୍‌କୁ ରାଜ୍ୟ ଭ୍ୟାକ୍ସିନ୍‌ ଷ୍ଟୋର ବା ଟିକା ଭଣ୍ଡାରକୁ ଅଣାଯାଇଛି। ଆସନ୍ତାକାଲି ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ‘କୋଭାକ୍ସିନ୍‌’ର ୨୦ହଜାର ଡୋଜ୍‌ ଓଡ଼ିଶା ପହଞ୍ଚିବ ବୋଲି ଆଶା କରାଯାଉଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକା ପହଞ୍ଚିବା ପରେ ଏହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାକୁ କରୋନା ଟିକା ପଠାଯିବ। ଆଞ୍ଚଳିକ କେନ୍ଦ୍ରକୁ ନ ଯାଇ ସିଧାସଳଖ ଜିଲ୍ଲା ଟିକାକରଣ କେନ୍ଦ୍ରକୁ ଟିକା ପଠାଯିବ ବୋଲି ଜଣାପଡ଼ିଛି। ଆସନ୍ତା ୧୬ ତାରିଖରେ ଓଡ଼ିଶା ସମେତ ଦେଶବ୍ୟାପୀ କରୋନା ଟିକାକରଣ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଛି।

‘କୋଭିସିଲ୍ଡ’ର ଗୋଟିଏ ଭାଏଲରେ ୧୦ଟି ଡୋଜ୍ ଥିବା ବେଳେ ‘କୋଭାକ୍ସିନ୍‌’ର ଗୋଟିଏ ଭାଏଲ୍‌ରେ ୨୦ଟି ଡୋଜ୍‌ ରହିଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଆସିଥିବା ଟିକାର ୫୦ ପ୍ରତିଶତ ଜିଲ୍ଲାକୁ ପଠାଇ ଦିଆଯିବ। ଏହାସହ ଦ୍ବିତୀୟ ଡୋଜ୍‌ ପାଇଁ ଆବଶ୍ୟକ ୫୦ ପ୍ରତିଶତ ଟିକାକୁ ଠିକ୍ ସମୟରେ ଜିଲ୍ଲାକୁ ଯୋଗାଣ କରାଯିବ। ହିତାଧିକାରୀ ଜଣକ ଯେଉଁ କମ୍ପାନିର ପ୍ରଥମେ ଟିକା ନେଇଥିବା ଦ୍ବିତୀୟ ଡୋଜ୍‌ ମଧ୍ୟ ସେହି କମ୍ପାନିର ନେବାକୁ ହେବ। ଟିକାରେ କୌଣସି ପ୍ରକାର ପରିବର୍ତନ କରାଯିବ ନାହିଁ। ତେବେ ପ୍ରଥମ ପର୍ଯ୍ୟାୟରେ ‘କୋଭାକ୍ସିନ୍‌’ର ଯେତିକି ଡୋଜ୍ ଆସିଛି ଏହାକୁ କେବଳ ଭୁବନେଶ୍ବର ପୌର ଅଞ୍ଚଳରେ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ଜିଲ୍ଲାରେ ଯେତିକି ସଂଖ୍ୟକ ସ୍ବାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଛନ୍ତି ତାହାକୁ ନଜରରେ ରଖି ସେହି ଜିଲ୍ଲାକୁ ଟିକା ପ୍ରଦାନ କରାଯିବ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ ଆଇସିଡିଏସ୍‌ର କର୍ମଚାରୀଙ୍କୁ କରୋନା ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। କିଛିଦିନ ପୂର୍ବରୁ ଏହି ସଂଖ୍ୟା ୩.୨୮ଲକ୍ଷ ଥିବା ବେଳେ ଏବେ ଏଥିରେ ୫ହଜାର ଅଧିକ ସ୍ବାସ୍ଥ୍ୟକର୍ମୀ ସାମିଲ ହୋଇଛନ୍ତି। ଫଳରେ ସମୁଦାୟ ସ୍ବାସ୍ଥ୍ୟକର୍ମୀ ଓ ଆଇସିଡିଏସ୍‌ କର୍ମଚାରୀଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାରକୁ ବୃଦ୍ଧି ପାଇଛି। ପ୍ରଥମ ବ୍ୟାଚ୍‌ରେ ଯେତିକି ସଂଖ୍ୟକ ଟିକା ଆସିଛି ଏଥିପାଇଁ ରାଜ୍ୟର ୧୬୦ଟି ଟିକାଦାନ କେନ୍ଦ୍ରରେ ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଗୋଟିଏ କେନ୍ଦ୍ରରେ ଶହେ ଜଣଙ୍କୁ ଟିକା ପ୍ରଦାନ କରାଯିବ। ତେବେ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଯେଉଁମାନେ ବୟସ୍କ ସେମାନଙ୍କୁ ଅଧିକ ଗୁରୁତ୍ବ ଦିଆଯିବ। ତେବେ ଥରେ ଟିକା ଭାଏଲକୁ ଖୋଲାଯିବା ପରେ ସେଥିରେ ଯଦି କୌଣସି ଟିକା ବଞ୍ଚିଯାଏ ତାହାକୁ ପୁନର୍ବାର ବ୍ୟବହାର କରାଯାଇ ପାରିବ ନାହିଁ। ଏଥିରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଟିକା ନଷ୍ଟ ହେବ ବୋଲି ଆକଳନ କରାଯାଇଛି। ତେଣୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ଯେତିକି ଟିକା ଆସିଛି ଏଥିରେ ୧.୯୧ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ସମ୍ଭବ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାରେ ଟିକା ଆସିବା ପୂର୍ବରୁ ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ରାଜ୍ୟ ଔଷଧ ନିଗମ ପରିସରରେ ଥିବା ରାଜ୍ୟ ଭ୍ୟାକ୍ସିନ୍‌ ଷ୍ଟୋରକୁ ଯାଇ ଏହାର ତଦାରଖ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ପରିବାର କଲ୍ୟାଣ ନିର୍ଦେଶକ ତଥା ଟିକାକରଣର ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ ଟିକା ସଂରକ୍ଷଣ ନେଇ ଷ୍ଟୋରକୁ ବୁଲି ଦେଖିଥିଲେ। ଶ୍ରୀ ମହାପାତ୍ର କହିଛନ୍ତି, ଯେତିକି ଟିକା ଆସିଛି ତାହାର ୧୦ ପ୍ରତିଶତ ନଷ୍ଟ ହେବ। ତେଣୁ ୧.୯୧ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ଏହାସହ ଦ୍ବିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୫ତାରିଖ ସୁଦ୍ଧା ଏହି ତାଲିକା ପ୍ରସ୍ତୁତ କରିବା ଲାଗି କୁହାଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି।

ଗୋଟିଏ ସ୍ବାସ୍ଥ୍ୟାନୁଷ୍ଠାନ ଟିକାକରଣ ପରେ ଅନ୍ୟ ସ୍ବାସ୍ଥ୍ୟାନୁଷ୍ଠାନ
ରାଜ୍ୟରେ ଆଜି କରୋନା ଟିକା ପହଞ୍ଚିଛି। ଟିକା ପହଞ୍ଚିବା ପରେ କିଭଳି ସ୍ବାସ୍ଥ୍ୟାନୁଷ୍ଠାନମାନଙ୍କୁ ଟିକା ଦିଆଯିବ ତାହାର ଚୟନ ପ୍ରକ୍ରିୟାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମେ ଯେଉଁ ସ୍ବାସ୍ଥ୍ୟାନୁଷ୍ଠାନର କର୍ମଚାରୀଙ୍କୁ ଟିକା ପ୍ରଦାନ କରିବା ଲାଗି ଚୟନ କରାଯିବ, ସେଠାରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତଙ୍କ ସମସ୍ତଙ୍କୁ ଟିକା ଦିଆଯିବ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହନ୍ତି କିମ୍ବା ଅଧାରୁ ସଂପୃକ୍ତ ସ୍ବାସ୍ଥ୍ୟାନୁଷ୍ଠାନରେ ଟିକା ବନ୍ଦ କରାଯିବ ନାହିଁ। ସରକାରୀ କିମ୍ବା ବେସରକାରୀ ସ୍ବାସ୍ଥ୍ୟାନୁଷ୍ଠାନକୁ ସେମାନଙ୍କ ପକ୍ଷରୁ ଦିଆଯାଉଥିବା ସେବା ଅନୁସାରେ ଚୟନ କରାଯିବ। ପ୍ରଥମରେ ଟର୍ସିଆରି କେୟାର, ଦ୍ବିତୀୟରେ ସେକେଣ୍ଡାରି କେୟାର ଓ ତୃତୀୟରେ ପ୍ରାଥମିକ ସ୍ବାସ୍ଥ୍ୟାନୁଷ୍ଠାନ ରହିବ। ଯଦି ଏସବୁ ସ୍ବାସ୍ଥ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ସଂଖ୍ୟକ ଟିକା ଉପଲବ୍ଧ ନ ହୁଏ ତାହାଲେ ଯେଉଁଠାରେ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି ତାହାକୁ ପ୍ରାଥମିକତା ଦିଆଯିବ। ସେହିପରି ଟିକାଦାନ ପାଇଁ ଚୟନ ହେଉଥିବା ସ୍ବାସ୍ଥ୍ୟାନୁଷ୍ଠାନର ବୟସ୍କ ବ୍ୟକ୍ତିଙ୍କୁ ପ୍ରଥମେ ଟିକା ପ୍ରଦାନ କରାଯିବାରେ ଗୁରୁତ୍ବ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

The post ଓଡ଼ିଶାରେ ପହଞ୍ଚିଲା ଟିକା, ଆସିଲା ‘କୋଭିସିଲ୍ଡ’ର ୪୦ହଜାର ୮ଶହ ଭାଏଲ୍‌ first appeared on Sambad.


No comments

Powered by Blogger.