Header Ads

Header ADS

ଆସନ୍ତା ଦୁଇମାସ ଅଧିକ ସତର୍କ ରୁହ: ମୁଖ୍ୟମନ୍ତ୍ରୀ


କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ଶୂନ ହେଲା
ଜୁନ୍ ୩୦ ତାରିଖରୁ ନିୟମିତ ପ୍ରାଣ ହରାଉଥିଲେ
ରାଜ୍ୟରେ ଆରୋଗ୍ୟ ହାର ୯୯%ରେ ପହଞ୍ଚିଛି

ଭୁବନେଶ୍ବର : ଇଂଲଣ୍ଡ ତଥା ୟୁରୋପରେ କୋଭିଡର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି। କେତେକ ଦେଶରେ ଲକ୍‌ ଡାଉନ ମଧ୍ୟ ପୁଣି ଲାଗୁ କରାଗଲାଣି। ବର୍ତ୍ତମାନ ରାଜ୍ୟରେ ବ୍ୟାବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଯାଇଛି। ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି। ଏଣୁ ଆଗାମୀ ଦୁଇ ମାସ ଆମକୁ ସତର୍କତାର ସହ ଚଳିବାକୁ ହେବ।

ଆଉ କେହି ନୁହେଁ, ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ଆଜି ଏଭଳି ଢଙ୍ଗରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି। ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟିକାକରଣ ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମକୁ ଏବେ ଅଧିକ ସତର୍କତାର ସହିତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ହେବ। ମୁଖ୍ୟମନ୍ତ୍ରୀ କହିଲେ, ସମସ୍ତଙ୍କ ସହଯୋଗରେ ଆମେ କୋଭିଡ ସଂକ୍ରମଣକୁ ସଫଳ ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିପାରିଛୁ। ଅଧିକାଂଶ ଜିଲ୍ଲା ଗ୍ରିନ ଜୋନ୍‌ରେ ରହିଥିବା ବେଳେ ତୀବ୍ର ସଂକ୍ରମଣ ପର୍ଯ୍ୟାୟ ଆମ ପାର୍‌ ହୋଇଯାଇଛୁ। ଏହି ସଫଳତା ପାଇଁ କଠିନ ପରିଶ୍ରମ କରିଥିବା ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ଏବଂ ଆଗଧାଡିରେ ରହି କାମ କରୁଥିବା ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଖୁବ୍‌ଶୀଘ୍ର ଏ ପରିସ୍ଥିତିରୁ ଆମେ ମୁକୁଳି ପାରିବା ବୋଲି ଆଶାବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଟିକା ଲୋକଙ୍କ ଭିତରେ ବିପୁଳ ଆଶା ସଞ୍ଚାର କରିଛି। ଏହି ଟିକା ଉତ୍ପାଦନରେ ଭାରତ ପୃଥିବୀର ଆଗୁଆ ଦେଶ ହୋଇଛି। ଏହି ଟିକାକରଣ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ।

ଅନ୍ୟପକ୍ଷରେ ଟିକା ସଂପର୍କରେ ଲୋକଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। କେବଳ ସେତିକି ନୁହେଁ, ଟିକାକରଣ ଚଳିତ ବର୍ଷର ସବୁଠାରୁ ବଡ କାର୍ଯ୍ୟକ୍ରମ ହେବ। ଏହା ସୂଚାରୁ ରୂପେ ସଂପାଦନ ହେବା ଉଚିତ୍। ସେହିପରି ଜୀବନଜୀବିକା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ତଥାପି ଆର୍ଥିକ ଦୁର୍ବଳଶ୍ରେଣୀର ଲୋକଙ୍କ ଜୀବିକା ସୁରକ୍ଷା କରିବା ପାଇଁ ବହୁତ କିଛି କରିବାକୁ ଅଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଏବଂ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଆଗାମୀ ମାସରେ ଏ ସଂପର୍କରେ ସମୀକ୍ଷା କରିବେ ବୋଲି ସେ ସୂଚନା ଦେଇଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦୦୦ ମଧ୍ୟରେ ସୀମିତ ରହିଛି। ଜୀବନଜୀବିକା କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି। ଟିକାକରଣ ଏବଂ କୋଭିଡ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ରାଜ୍ୟରେ ଆରୋଗ୍ୟ ହାର ବର୍ତ୍ତମାନ ପ୍ରାୟ ୯୯ ପ୍ରତିଶତରେ ପହଞ୍ଚିଥିବା ବେଳେ ମଙ୍ଗଳବାର ଠାରୁ ରାଜ୍ୟରେ କୋଭିଡରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ। ସୂଚନାଯୋଗ୍ୟ ଯେ ଗତ ଜୁନ୍‌ ୩୦ ତାରିଖରୁ ନିୟମିତ ଭାବରେ କୋଭିଡରେ ମୃତ୍ୟୁ ହୋଇଥିବା ରିପୋର୍ଟ ଆସୁଥିଲା। ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷ ଲୋକଙ୍କର କୋଭିଡ ପରୀକ୍ଷା କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ। ଟିକାକରଣ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ୩ ଲକ୍ଷ ୨୮ ହଜାର ୫୬୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ପାଇଁ ତାଲିକା ପ୍ରସ୍ତୁତ ହୋଇସାରିଛି। ପୁଲିସ, ମ୍ୟୁନିସପାଲଟି କର୍ମଚାରୀ ଏବଂ କୋଭିଡ କାର୍ଯ୍ୟରେ ନିୟୋଜିତ ରାଜସ୍ବ ବିଭାଗର କର୍ମଚାରୀ ମାନଙ୍କ ତାଲିକା ପ୍ରସ୍ତୁତି ଚାଲିଛି।

ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ସ୍କୁଲ-କଲେଜ ଖୋଲିବା ସଂପର୍କରେ ଏସ୍‌ଓପି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର, କୃଷି ଉତ୍ପାଦନ କମିସନର, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

The post ଆସନ୍ତା ଦୁଇମାସ ଅଧିକ ସତର୍କ ରୁହ: ମୁଖ୍ୟମନ୍ତ୍ରୀ first appeared on Sambad.


No comments

Powered by Blogger.