Header Ads

Header ADS

କନ୍ୟା ସନ୍ତାନର ମା’ ହେଲେ ସେବାଶ୍ରମ ଛାତ୍ରୀ


ଗୁଣପୁର : ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ କନ୍ୟା ସନ୍ତାନର ମା ହୋଇଛନ୍ତି। ଶନିବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟ ମା ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ଗୁଣପୁର ପୁଲିସ୍ ଘଟଣା ସଂପର୍କରେ ଅବଗତ ହେବା ପରେ ଅଭିଯୁକ୍ତ ବୃନ୍ଦାବନ କାଡ଼୍ରକାଙ୍କୁ ଗିରଫ କରିଛି। ସ୍କୁଲ୍ ଖୋଲିବା ପୂର୍ବରୁ ଏହି ଘଟଣା ଜିଲ୍ଲା ପ୍ରଶାସନ ଓ ମଙ୍ଗଳ ବିଭାଗକୁ ଚିନ୍ତାରେ ପକାଇଛି।

ଛାତ୍ରୀଙ୍କ ବାପାଙ୍କ ଅଭିଯୋଗନୁଯାୟୀ, ୧୩ ବର୍ଷୀୟା ପୀଡ଼ିତା ରାମନାଗୁଡ଼ା ବ୍ଲକର ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। କରୋନା ଯୋଗୁ ସ୍କୁଲ୍ ବନ୍ଦ ରହିଥିବାରୁ ଛାତ୍ରୀ ଜଣଙ୍କ ନିଜ ଘରେ ରହି ପଢ଼ାପଢ଼ି କରୁଥିଲେ। ପୀଡ଼ିତାଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ସ୍ଥାନ ଅଭାବରୁ ରାତିରେ ପୀଡ଼ିତା ଛାତ୍ରୀ ନିଜ ବଡ଼ମାଙ୍କ ଘରକୁ ଶୋଇବାକୁ ଯାଉଥିଲେ। ଏହାର ସୁଯୋଗ ନେଇ ପଡ଼ୋଶୀ ଘରେ ରହୁଥିବା ବୃନ୍ଦାବନ ପୀଡ଼ିତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ୧୦ମାସ ହେଲା ଶାରୀରିକ ସଂପର୍କ ରଖି ଆସୁଥିଲା। ଯାହାଫଳରେ ପୀଡ଼ିତା ଗର୍ଭବତୀ ହୋଇଥିଲେ ହେଁ ପରିବାର ଲୋକ କିଛି ଜାଣିପାରି ନ ଥିଲେ। ଶନିବାର ସଂଧ୍ୟାରେ ପୀଡ଼ିତା ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ଗୋଟିଏ ବୋଲେରୋ ଭଡ଼ା କରି ପୀଡ଼ିତାଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଥିବା ବେଳେ ନାବାଳିକା ଛାତ୍ରୀ ଗାଡ଼ି ଭିତରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟ ପୀଡ଼ିତା ଓ କନ୍ୟା ସନ୍ତାନକୁ ରାମନାଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଉଭୟେ ସୁସ୍ଥ ଅଛନ୍ତି।

ଆଜି ସକାଳେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଂପାଦକ ମନୋରଞ୍ଜନ ମିଶ୍ରଙ୍କ ପରାମର୍ଶକ୍ରମେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ରାଜକିଶୋର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ରାମନାଗୁଡ଼ା ଚାଇଲଡ୍ ଲାଇନର ଦୁର୍ଗା ପ୍ରସାଦ ସେନାପତି ପ୍ରମୁଖ ପୀଡ଼ିତାଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ। ଆଲୋଚନା ପରେ ପୀଡ଼ିତାଙ୍କ ବାପା ଗୁଣପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଗୁଣପୁର ଏସଡିପିଓ ରାଜ କିଶୋର ଦାଶଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ ଅଭିଯୁକ୍ତ ବୃନ୍ଦାବନକୁ ଗିରଫ କରିଛି। ଆସନ୍ତାକାଲି ପୁଲିସ୍ ରାମନାଗୁଡ଼ା ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କ ବୟାନ୍ ରେକର୍ଡ କରିବ। ସୂଚନାଯୋଗ୍ୟ, କରୋନା ଲାଗି ୨୦୨୦ ମାର୍ଚ୍ଚ ୨୫ ତାରିଖରୁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ସେବାଶ୍ରମ ବନ୍ଦ ରହିଥିଲା। ସ୍ଥିତିରେ ସୁଧାର ଆସିବା ପରେ ସରକାରଙ୍କ ନିଷ୍ପତ୍ତିକ୍ରମେ ଗତ ୮ ତାରିଖରୁ ସ୍କୁଲ୍ ଖୋଲିଛି। ତେବେ ସ୍କୁଲ୍ ଖୋଲିବାର ୨ ଦିନ ପରେ ଜଣେ ସେବାଶ୍ରମ ଛାତ୍ରୀ ମା ହେବା ଘଟଣାକୁ ନେଇ ପୁଣି ବିଭାଗ ଚର୍ଚ୍ଚାକୁ ଆସିଛି।

The post କନ୍ୟା ସନ୍ତାନର ମା’ ହେଲେ ସେବାଶ୍ରମ ଛାତ୍ରୀ first appeared on Sambad.


No comments

Powered by Blogger.