Header Ads

Header ADS

ଏମ୍‌ସରେ ବିରଳ ଅସ୍ତ୍ରୋପଚାର, ପାନ୍‌କ୍ରିୟାଜ୍‌ରୁ ଟ୍ୟୁମର କଢ଼ାଗଲା


ଭୁବ‌ନେଶ୍ବର: ଭୁବନେଶ୍ବର ଏମ୍‌ସର ସର୍ଜରି ବିଭାଗ ପୁଣି ଏକ ବିରଳ ଅସ୍ତ୍ରୋପଚାର କରି ଇତିହାସ ସୃଷ୍ଟି କରିଛି। ପ୍ଲିହାକୁ ସୁରକ୍ଷିତ ଭାବେ ବଞ୍ଚାଇ ରଖିବା ସହ ପାନ୍‌କ୍ରିୟାଜ୍‌ର ଲାଞ୍ଜଭାଗରୁ ଟ୍ୟୁମର ବାହାର କରି ଏମ୍‌ସ ଡାକ୍ତରମାନେ ଏକ ବିରଳ କୃତିତ୍ବର ଅଧିକାରୀ ହୋଇଛନ୍ତି। ଓଡ଼ିଶାରେ ପ୍ରଥମଥର ପାଇଁ ଏଭଳି ଜଟିଳ ଅପରେସନ୍ ଲାପ୍ରୋସ୍କୋପିକ୍‌ ପଦ୍ଧତିରେ ସଫଳତାର ସହ ହୋଇପାରିଛି। ଦୀର୍ଘ ୮ ଘଣ୍ଟାରେ ସମ୍ପନ୍ନ ହୋଇଥିବା ଏହି ଅପରେସନ୍ ପରେ ୧୮ବର୍ଷୀୟା ଯୁବତୀଜଣକ ସୁସ୍ଥ ଅଛନ୍ତି ଓ ଖୁବ୍‌ ଶୀଘ୍ର ତାଙ୍କୁ ଘରକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି।

ଏମ୍‌ସ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର୍‌ ମାନସ ରଞ୍ଜନ ସାହୁଙ୍କ ସୂଚନାନୁସାରେ, ପାନ୍‌କ୍ରିୟାଜ୍‌ରୁ ଅସ୍ତ୍ରୋପଚାର କରି ଟ୍ୟୁମର୍‌ ବାହାର କରିବା ଏକ ଜଟିଳ ପ୍ରକ୍ରିୟା। ପୁଣି ଯଦି ପାନ୍‌କ୍ରିୟାଜ୍‌ ଲାଞ୍ଜଭାଗରେ ଟ୍ୟୁମର ହେଲା, ତେବେ ତାହାକୁ ଅପରେସନ୍‌ କରି ବାହାର କରିବା ବଡ଼ କଷ୍ଟକର ପଦ୍ଧତି। କାରଣ ଅପରେସନ୍ ସମୟରେ ପାନ୍‌କ୍ରିୟାଜ୍‌ର ଲାଞ୍ଜଭାଗ ନିମ୍ନକୁ ସଂ‌ଯୁକ୍ତ ହୋଇ ରହିଥିବା ପ୍ଲିହା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ। ପ୍ଲିହା ମଣିଷ ଶରୀରର ଏକ ବହୁ ଉପାଦେୟ ଅଙ୍ଗ। ଏହା ମଣିଷର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ। ଏହା ବିନା ମଣିଷ ଅଧିକ ବଞ୍ଚିବା ଅସମ୍ଭବ। ତେଣୁ ଏଭଳି ଅପରେସନ୍‌ ବେଳେ ପ୍ଲିହାକୁ ସୁରକ୍ଷିତ ଭାବେ ବଞ୍ଚାଇ ରଖିବାକୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ପୂର୍ବରୁ ପେଟକୁ ୨୫-୩୦ ସେମି ପର୍ଯ୍ୟନ୍ତ କାଟି ଏଭଳି ଅପରେସନ୍ କରାଯାଉଥିଲା ଓ ବହୁ ସମୟରେ ପ୍ଲିହା କ୍ଷତିଗ୍ରସ୍ତ ହେଉଥିଲା। ଫଳରେ ରୋଗୀ ଅଧିକ ଦିନ ବଞ୍ଚିବା ସମ୍ଭବ ହେଉନଥିଲା। କିନ୍ତୁ ଏବେ ଲାପ୍ରୋସ୍କୋପିକ୍ ପଦ୍ଧତି ଦ୍ବ‌ାରା ପ୍ଲିହାକୁ କୌଣସି କ୍ଷତି ନପହଞ୍ଚାଇ ଟ୍ୟୁମର ବାହାର କରାଯାଇପାରୁଛି। ଗତ ୫ତାରିଖରେ ହୋଇଥିବା ଏହି ଅପରେସନ୍‌ରେ ପ୍ରଫେସର୍‌ ମାନସ ରଞ୍ଜନ ସାହୁଙ୍କ ସହ ଡା. ମନ୍‌ୱର ଅଲ୍ଲୀ, ଡା. ଶୁଭାଶିଷ ପାତ୍ର, ଡା. ମହେଶ ସେଠୀ ଓ ନିଶ୍ଚେତକ ଡା. ନେହାଙ୍କ ଟିମ୍‌ ସାମିଲ୍‌ ହୋଇଥିଲା।

The post ଏମ୍‌ସରେ ବିରଳ ଅସ୍ତ୍ରୋପଚାର, ପାନ୍‌କ୍ରିୟାଜ୍‌ରୁ ଟ୍ୟୁମର କଢ଼ାଗଲା first appeared on Sambad.


No comments

Powered by Blogger.