Header Ads

Header ADS

ମଦନପୁରରେ ପଶିଲା ରାମୁ; ଧାନ ଖାଇଲା କମ୍‌, ଫୋପାଡ଼ିଲା ବେଶି


ମେଣ୍ଢାଶାଳ : ଭରତପୁର ସଂରକ୍ଷିତ ଜଙ୍ଗଲକୁ ଫେରିଥିବା ଦନ୍ତା ହାତୀ ରାମୁ ରାଜଧାନୀ ଉପକଣ୍ଠରେ ଆତଙ୍କ ଚଳାଇଛି। ଦୁଇ ଦିନ ପୂର୍ବେ ମଳିପଡ଼ା ଗାଁ ଭିତରେ ପଶି ଘର ଭିତରୁ ଧାନ ବସ୍ତା ଉଠାଇ ନେଇଥିବା ବେଳେ ଗତ ରାତିରେ ମଦନପୁରରେ ଗାଁରେ ପଶି ବ୍ୟାପକ ଧାନ ନଷ୍ଟ କରିଛି। ବସ୍ତାରେ ଥିବା ଧାନ ଛିନ୍‌ଛତ୍ର କରିଛି। ଯେତିକି ଖାଇଛି, ତା’ଠାରୁ ଅଧିକ ଧାନ ଫିଙ୍ଗା ଫୋପଡ଼ା କରି ନଷ୍ଟ କରିଛି। ଦୁଇ ଦିନ ପୂର୍ବେ ମଳିପଡ଼ାରୁ ବାହାରି ସେ ଦେଉଳିଆପାଟଣା ମୁଣ୍ଡିଆରେ ଡେରା ପକାଇଥିଲା। ଗତରାତିରେ ସେଠାରୁ ଓହ୍ଲାଇ ସେ ମଦନପୁରରେ ପଶିଥିଲା। ଏହି ଗାଁର ସଚ୍ଚିଦାନନ୍ଦ ଚମ୍ପତ୍ତିଙ୍କ ବାଡ଼ିରେ ପଶିଥିଲା। ସେ ଧାନ ଅମଳ କରି ବସ୍ତାରେ ରଖିଥିଲେ। ୬୦ ବସ୍ତା ଧାନ ଗଦା ହୋଇ ରହିଥିଲା। ରାମୁ ତା’ ଦାନ୍ତରେ ପ୍ରାୟ ସବୁ ବସ୍ତାକୁ ଫାଡ଼ି ଦେଇଥିଲା। ବାଡ଼ିଯାକ ଧାନ ଫିଙ୍ଗା ଫୋପଡ଼ା କରିଥିଲା। ଅବସ୍ଥା ଏମିତି କରିଛି ଯେ ମୁଠାଏ ବି ଧାନ ଗୋଟାଇବା ସ୍ଥିତିରେ ନାହିଁ। ସେହିଭଳି ପାଖ ମିହିରେନ୍ଦ୍ର ଚମ୍ପତ୍ତିଙ୍କ ବାଡ଼ରେ ପଶି ତାଙ୍କର ୧୫ବସ୍ତା ଧାନ ଛିନ୍‌ଛତ୍ର କରିଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ଠିକ୍‌ ଏହି ସମୟରେ ଗହୀରରେ ଧାନ ଅମଳ ହେଉଥିଲା। ଗହୀରରେ ଧାନ ଗଦା ହୋଇ ରହୁଥିଲା। ଫଳରେ ସ୍ଥାୟୀ ଭାବେ ଚନ୍ଦକା ଜଙ୍ଗଲରେ ରହୁଥିବା ରାମୁ ପାଇଁ ଏହି ଧାନ ଅମଳ ସମୟରେ ଖାଇବା ସମସ୍ୟା ନଥିଲା। ମାତ୍ର ଗତ କିଛି ବର୍ଷ ହେଲା ମେସିନ୍‌ରେ ଧାନ ଅମଳ ହେବା ପରଠାରୁ ଚାଷୀମାନେ ଗହୀରରୁ ଶୀଘ୍ର ଧାନ ନେଇ ଆସୁଛନ୍ତି। ତେଣୁ ଖାଦ୍ୟ ଅନ୍ବେଷଣରେ ରାମୁ ଗାଁମୁହାଁ ହୋଇଛି। ଜୋର୍‌ ଜବରଦସ୍ତ ଗାଁରେ ପଶି ଧାନ ଖାଉଛି।

The post ମଦନପୁରରେ ପଶିଲା ରାମୁ; ଧାନ ଖାଇଲା କମ୍‌, ଫୋପାଡ଼ିଲା ବେଶି first appeared on Sambad.


No comments

Powered by Blogger.