Header Ads

Header ADS

ଏଣିକି ସ୍କୁଲ୍‌ରେ ଅନ୍‌ଲାଇନ୍‌ ନାମଲେଖା


୧ କିମି ଭିତରେ ପିଲା ନ ମିଳିଲେ ଲଟେରି ହେବ

ଭୁବନେଶ୍ୱର : ଦୁର୍ବଳ ଶ୍ରେଣୀର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ସୁନିଶ୍ଚିତ କରାଇବା କ୍ଷେତ୍ରରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଶିକ୍ଷା ଅଧିକାର ଆଇନ-୨୦୦୯ରେ ୬ରୁ ୧୪ ବର୍ଷ ବୟସର ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଆଇନର ପାରା ୧୨.୧(ସି)ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ ରହିବ। ତେବେ ରାଜ୍ୟରେ ଏହି ବ୍ୟବସ୍ଥା ଠିକ୍‌ ଭାବେ ଲାଗୁ ହେଉ ନଥିବା ଦୃଷ୍ଟିକୁ ଆସିଥିଲା। ଅଧିକାଂଶ ବିଦ୍ୟାଳୟ ବିଭିନ୍ନ ଆଳ ଦେଖାଇ ୨୫% ସିଟ୍‌ରେ ନାମ ଲେଖା କରାଉନଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ୨୫% ସିଟ୍‌ରେ ଗରିବ ପିଲାଙ୍କ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୋର୍ଟାଲ https://ift.tt/35HWkMc ପ୍ରସ୍ତୁତ ହୋଇଛି।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ତଥା ଅନ୍ୟାନ୍ୟ ସ୍ଥାନୀୟ କର୍ତୃପକ୍ଷଙ୍କଠାରୁ ସିଓଆର୍‌ ପାଇଥିବା ଘରୋଇ ଅନୁଦାନପ୍ରାପ୍ତ ସ୍କୁଲ ଏହି ପୋର୍ଟାଲରେ ପ୍ରଥମେ ପଞ୍ଜୀକରଣ କରିବେ ଏବଂ ୨୦୦୯ ଶିକ୍ଷା ଅଧିକାର ଆଇନ ବଳରେ ୨୫% ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବେ। ସିଓଆର୍‌ ପାଇଥିବା ସମସ୍ତ ଘରୋଇ ଅନୁଦାନପ୍ରାପ୍ତ ସ୍କୁଲ ଯେପରି ସମ୍ପୃକ୍ତ ପୋର୍ଟାଲରେ ପଞ୍ଜୀକରଣ କରିବେ, ଡିଇଓମାନେ ତାହାକୁ ନିଶ୍ଚିତ କରାଇବେ। ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ୮ମ ଶ୍ରେଣୀରେ ଗରିବ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦେବେ। ବେସରକାରୀ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟ ପ୍ରଥମ କିମ୍ବା ପ୍ରି-ପ୍ରାଇମେରି ଶ୍ରେଣୀରୁ ୨୫% ସିଟ୍‌ ଗରିବ ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ରଖିବେ। ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ନିୟମ ଲାଗୁ ହେବ ନାହିଁ।

ନାମ ଲେଖାଇବା ଲାଗି ଛାତ୍ରଛାତ୍ରୀଙ୍କୁ ବି ପଞ୍ଜୀକରଣ କରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ କମନ୍‌ ସର୍ଭିସ୍‌ ସେଣ୍ଟର ତଥା ସାଇବର କାଫେକୁ ଯାଇ ସ୍କୁଲରେ ନାମଲେଖା ଲାଗି ଉପରୋକ୍ତ ପୋର୍ଟାଲରେ ପଞ୍ଜୀକରଣ କରିବେ। ଆବଶ୍ୟକ ହେଲେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନେ ଏ ଦିଗରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ। ଘରୋଇ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟ ତଥା ଏହି ବର୍ଗର ସ୍କୁଲଗୁଡ଼ିକ ପ୍ରଥମ ଶ୍ରେଣୀ କିମ୍ବା ପ୍ରି-ପ୍ରାଇମେରି କ୍ଲାସରେ ୨୫% ସିଟ୍‌ ଅବହେଳିତ ବର୍ଗ ତଥା ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ରଖିବେ। ବିଦ୍ୟାଳୟଠାରୁ ଗୋଟିଏ କିମି ଭିତରେ ଥିବା ଛାତ୍ରଛାତ୍ରୀ ନାମ ଲେଖାଇବେ। ତା’ ପରେ ବି ଯଦି ସିଟ୍‌ ଖାଲି ପଡ଼ିବ, ତେବେ ୩ କିମି, ୫ କିମି କିମ୍ବା ୧୦ କିମି ଭିତରେ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଲଟେରି ମାଧ୍ୟମରେ କରାଯିବ। ୨୫% ସିଟ୍‌ ମଧ୍ୟରୁ ୧୫%ରେ ଅବହେଳିତ ବର୍ଗର ପିଲା ନାମ ଲେଖାଇବେ। ଏଥିରେ ୧୦% ଏସ୍‌ସି, ଏସ୍‌ଟି ଓ ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀ ଓ ବାକି ୫% ସିଟ୍‌ରେ ବାସଗୃହ ନ ଥିବା ଛାତ୍ରଛାତ୍ରୀ, ଶିଶୁ ଶ୍ରମିକ, ରାସ୍ତାପାର୍ଶ୍ବ ଶିଶୁ, ଭିକ୍ଷାବୃତ୍ତି କରୁଥିବା ଆଦି ପିଲାଙ୍କ ନାମଲେଖା ହେବ। ୧୦% ସିଟ୍‌ରେ ଦୁର୍ବଳ ଶ୍ରେଣୀ ତଥା ବିପିଏଲ୍‌ କାର୍ଡଧାରୀ ପରିବାରର ଛାତ୍ରଛାତ୍ରୀଙ୍କ ନାମଲେଖା କରାଯିବ। ଅନ୍‌ଲାଇନ୍‌ରେ ଆବେଦନ ଶେଷ ହେବା ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟଗୁଡ଼ିକ ଯାଞ୍ଚ କରାଯିବ। ନାମଲେଖା ହେଉଛି କି ନାହିଁ, ତଦାରଖ ଲାଗି ବ୍ଲକସ୍ତରୀୟ କମିଟି ଯାଞ୍ଚ କରିବ। ଏହି କମିଟିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ଦୁଇଜଣ ସିଆରସିସି, ଅଣ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲର ଦୁଇଜଣ ପ୍ରତିନିଧି ରହିବେ।

ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ବହୁ ଦିନରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲା। ବିଭିନ୍ନ ସମୟରେ ଧାରଣା, ଧର୍ମଘଟ, ଅନଶନ ସହ ଆମରଣ ଅନଶନ ଭଳି ଚରମ ପଦକ୍ଷେପ ନିଆଯାଇଥିଲା। ପରିଣାମସ୍ବରୂପ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ଅନେକ ଅବହେଳିତ ଶ୍ରେଣୀର ପିଲା ଉପକୃତ ହେବେ ବୋଲି ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୂମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା ପ୍ରମୁଖ କହିଛନ୍ତି।

The post ଏଣିକି ସ୍କୁଲ୍‌ରେ ଅନ୍‌ଲାଇନ୍‌ ନାମଲେଖା first appeared on Sambad.


No comments

Powered by Blogger.