Header Ads

Header ADS

ବର୍ଣ୍ଣବୈଷମ୍ୟ ଘଟଣାକୁ ଯେଉଁମାନେ ସହୁଛନ୍ତି କିମ୍ବା ଚୁପ୍‌ ରହୁଛନ୍ତି, ସେମାନେ ଭୁଲ୍‌ କରୁଛନ୍ତି: ପ୍ରଜ୍ଞାନ


କଟକ (ଦୀପ୍ତିରଞ୍ଜନ ସାମଲ): ଆଇପିଏଲ୍‌ ପରିଚାଳନା ପରିଷଦର ସଦସ୍ୟ ଭାବେ ମନୋନୀତ ହୋଇଥିବା ଆନ୍ତର୍ଜାତିକ କ୍ରିକେଟର୍‌ ପ୍ରଜ୍ଞାନ ଓଝା ବୁଧବାର କଟକ ପହଞ୍ଚିଥିଲେ। ଓଡ଼ିଶା କ୍ରିକେଟ୍‌ ଲିଗ୍‌ର ଫାଇନାଲ୍‌ ଅବସରରେ ‘ଜଣେ ଖେଳାଳିରୁ ପ୍ରଶାସକର ଯାତ୍ରା’ ବିଷୟରେ କହିବା ସହ ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ୍‌ ଶୃଙ୍ଖଳାରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଓ ବର୍ଣ୍ଣବୈଷମ୍ୟ ଘଟଣା ଉପରେ ମତ ରଖିଥିଲେ ସେ। ଏଥିସହ ଜାତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ସମ୍ଭାବନାକୁ ନେଇ କିଛି ପରାମର୍ଶ ମଧ୍ୟ ଦେଇଥିଲେ। ବାରବାଟୀ ଷ୍ଟାଡିୟମ୍‌ରେ ଗଣମାଧ୍ୟମ ସହ ପ୍ରଜ୍ଞାନଙ୍କ ହୋଇଥିବା ଆଲୋଚନାର ବିସୟବସ୍ତୁ ଥିଲା ଏମିତି।

ପ୍ରଶ୍ନ: ନୂଆବର୍ଷରେ ନୂଆ ସୁଯୋଗ। ସନ୍ୟାସ ନେବା ପରେ ଆଇପିଏଲ୍‌ ପରିଚାଳନା ପରିଷଦକୁ ଆସିବା, କେମିତି ଲାଗୁଛି?
ପ୍ରଜ୍ଞାନ: ଓଡ଼ଶାର ସମସ୍ତଙ୍କୁ ମୋର ଓ ମୋ ପରିବାର ପକ୍ଷରୁ ନବବର୍ଷର ଶୁଭେଚ୍ଛା। ୨୦୨୦ ଯେଉଁଭଳି ଭାବେ ଚାଲିଗଲା ଆଶା କରୁଛି ନୂଆବର୍ଷରେ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଏଭଳି ଦୁଃସମୟ ବହୁତ ଶୀଘ୍ର ଶେଷ ହେଉ, ଏହାହିଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା। ଜଣେ ଖେଳାଳି ଖେଳକୁ ଛାଡ଼ି ସନ୍ୟାସ ନେଲାବେଳେ ତାକୁ ବହୁତ କଷ୍ଟ ଲାଗିଥାଏ। ମୁଁ ୧୦ ବର୍ଷ ବୟସରୁ ଖେଳ ଆରମ୍ଭ କରିଥିଲି। ବହୁତ ପର୍ଯ୍ୟାୟ ଦେଇ ଗତି କରିଛି। ବହୁତ ଖୁସି ଲାଗେ ଯେ ଦେଶ ପାଇଁ ଖେଳିବାକୁ ସୁଯୋଗ ମିଳିଲା। ଦେଶ ପାଇଁ କିଛି କରିପାରିଲି। ଏବେ ଆଇପିଏଲ୍‌ ପରିଚାଳନା ପରିଷଦ ସଦସ୍ୟ ଭାବେ ନୂଆ ଦାୟିତ୍ବ ମିଳିବାକୁ ଯାଉଛି। ଖେଳାଳିମାନଙ୍କୁ ପ୍ରତିନିଧିତ୍ବ କରି ଏହି ପରିଷଦକୁ ଯାଉଥିବାରୁ ଜଣେ ଖେଳାଳି ଭାବେ ମୋର ଦୃଢ଼ ମତ ଉପସ୍ଥାପନ କରିବି।
ପ୍ରଶ୍ନ: ଏଭଳି ସଫଳତାର ଶ୍ରେୟ କାହାକୁ ଯିବ ଏବ˚ ନୂଆ ଦାୟିତ୍ବରେ କ’ଣ ଆହ୍ବାନ ରହିବ?
ପ୍ରଜ୍ଞାନ: ଖେଳାଳିରୁ ପ୍ରଶାସକ ହେବା ପର୍ଯ୍ୟନ୍ତ ଯାତ୍ରା ବହୁତ ଭଲ ରହିଛି। ସବୁବେଳେ ମୋର ଯେକୌଣସି କାର୍ଯ୍ୟ ପଛରେ ମୋ ପରିବାରର ହାତ ରହିଛି। ସେମାନେ ପ୍ରତ୍ୟେକ କାର୍ଯ୍ୟରେ ମୋତେ ସମର୍ଥନ କରନ୍ତି। ଆମେ ଯାହା କିଛି ପାଇଛୁ କିମ୍ବା ପାଇବାକୁ ଯାଉଛୁ, ପରିବାରର ବିନା ସମର୍ଥନରେ ସମ୍ଭବ ହୋଇନଥା’ନ୍ତା। ତେଣୁ ସେମାନଙ୍କର ସମର୍ଥନ ସବୁବେଳେ ମୋ ସହିତ ଥିବାରୁ ଆଗକୁ କେବେ କିଛି ଅସୁବିଧା ହେବନି ବୋଲି ଆଶା ରଖିଛି। ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକକୁ ଗଲେ ସେଠାରେ କେବଳ ଜଣଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିହେବନି। ପ୍ରଥମେ ବୈଠକରେ ବସି ଅନ୍ୟମାନଙ୍କୁ ଶୁଣିବାକୁ ହେବ। ଏଥିସହ ଅନେକ କିଛି ନୂଆ ଆହ୍ବାନ ମଧ୍ୟ ଆସିପାରେ। ଜଣେ ଖେଳାଳି ଦୃଷ୍ଟିକୋଣରୁ ଯାହା ଜାଣିଛି, ପ୍ରଶାସକ ଭାବେ ତାହାର ଅନ୍ୟ ଦିଗକୁ ଏବେ ଜାଣିବାକୁ ପଡ଼ିବ। ନୂଆନୂଆ କଥା ଶିଖିବାକୁ ହେବ। ଏଥିପାଇଁ ସମସ୍ତଙ୍କ ମିଳିତ ସହଯୋଗ ମଧ୍ୟ ଦରକାର।
ପ୍ରଶ୍ନ: ଭାରତୀୟ ଦଳ ଜୋର୍‌ଦାର ଲଢେଇ କରି ସିଡ୍‌ନି ଟେଷ୍ଟ୍‌କୁ ଅମୀମା˚ସିତ ରଖିଥିଲା। ଏବେ ବ୍ରିସବେନ୍‌ ଟେଷ୍ଟ୍‌ ପାଇଁ କ’ଣ ଆଶା ଅଛି?
ପ୍ରଜ୍ଞାନ: ଆଡିଲେଡ୍‌ ଟେଷ୍ଟରେ ଭାରତୀୟ ଦଳ ଗୋଟିଏ ସେସନ୍‌ ବହୁତ ଖରାପ ଖେଳିଥିଲା। ମାତ୍ର ୩୬ ରନ୍‌ରେ ଅଲ୍‌ଆଉଟ୍‌ ହେଇଯାଇଥିଲା। ହେଲେ ଆପଣ କୁହନ୍ତୁ, ଏମିତି କେତୋଟି ଦଳ ଅଛନ୍ତି, ଯେଉଁମାନେ ଏଭଳି ସ୍ଥିତିରୁ ବାହାରି ଦ୍ବିତୀୟ ମ୍ୟାଚ୍‌ରେ ସଫଳ ପ୍ରତ୍ୟାବର୍ତ୍ତନ କରିପାରିବେ ଏବ˚ ପୁଣି ତୃତୀୟ ମ୍ୟାଚ୍‌କୁ ଅମୀମାଂସିତ ରଖିପାରିବେ। ଭାରତ ପକ୍ଷରେ ଏହା ସମ୍ଭବ ହୋଇଥିଲା। ଏପରିକି ୫ରୁ ୬ ଜଣ ଖେଳାଳି ଆହତ ଥିଲେ, କୋହଲି ବ୍ୟକ୍ତିଗତ କାରଣରୁ ଭାରତ ଫେରିଆସିଥିଲେ। ଏହାସତ୍ତ୍ବେ ଅଷ୍ଟ୍ରେଲିଆରେ ଏହା ଭାରତର ବଡ଼ ସଫଳତା। ଏବେ ବ୍ରିସ୍‌ବେନ୍‌ରେ ହେବାକୁଥିବା ଚତୁର୍ଥ ମ୍ୟାଚ୍‌ ପାଇଁ ଭାରତୀୟ ଖେଳାଳିଙ୍କ ମନୋବଳ ସୁଦୃଢ଼ ରହିବ। କାରଣ ଯେଉଁ ପରିସ୍ଥିତିକୁ ସେମାନେ ସାମ୍ନା କରିଛନ୍ତି, ତାହା ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବ। ତଥାପି ଶେଷ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ଅଦଳ ବଦଳ କରିବାକୁ ଭାରତ ବାଧ୍ୟ ହେବ। ବିହାରୀ ଆହତ ଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇପାରେ। ଯଦିଓ ତାଙ୍କୁ ବିଶ୍ରାମ ଦେବା ସେତେ ଆବଶ୍ୟକ ନୁହେଁ, ତଥାପି ସ୍ବାସ୍ଥ୍ୟଗତ କାରଣରୁ ବିଶ୍ରାମ ଦେବା ଜରୁରୀ।
ପ୍ରଶ୍ନ: ସିଡ୍‌ନିରେ ଭାରତୀୟ ଖେଳାଳିଙ୍କ ସହ ଘଟିଥିବା ବର୍ଣ୍ଣବୈଷମ୍ୟ ଘଟଣା ବିଷୟରେ କ’ଣ କହିବେ?
ପ୍ରଜ୍ଞାନ: ସିଡ୍‌ନିରେ ଖେଳାଯାଇଥିବା ଟେଷ୍ଟ୍‌ ମ୍ୟାଚ୍‌ ବେଳେ ବର୍ଣ୍ଣବୈଷମ୍ୟ ଘଟଣାକୁ ଅନେକ ଆନ୍ତର୍ଜାତିକ କ୍ରିକେଟର୍‌ ନିନ୍ଦା କରିଛନ୍ତି। ଏହି ଘଟଣା କେବେ ସହ୍ୟ କରିବା ଯୋଗ୍ୟ ନୁହେଁ। ଯେଉଁମାନେ ସହ୍ୟ କରୁଛନ୍ତି, କିମ୍ବା ଯିଏ କହୁଛନ୍ତି ଏବ˚ ତାଙ୍କୁ କିଛି ନକହିକି ଯେଉଁମାନେ ଚୁପ୍‌ ରହିଛନ୍ତି ସେମାନେ ଭୁଲ୍‌ କରୁଛନ୍ତି। କାରଣ କୌଣସି କ୍ଷେତ୍ରରେ ବି କାହାର ଜାତି ଓ ଧର୍ମ ଉପରେ କହିବା ଠିକ୍‌ କଥା ନୁହେଁ। କ୍ରୀଡ଼ାବିତ୍‌ମାନେ ସବୁବେଳେ ଶାନ୍ତିର ବାହକ। ଯେତେବେଳେ ବି କିଛି ଦେଶ ମଧ୍ୟରେ ସମସ୍ୟା ହୁଏ, କ୍ରୀଡ଼ା ଦ୍ବାରା ସେମାନଙ୍କୁ ଏକାଠି କରାଯାଇଛି। ଭାରତ ଓ ପାକିସ୍ତାନ ବିଷୟରେ କଥା ହେଲେ ଖେଳ ବିଷୟରେ ଆଲୋଚନା କରାଯାଏ। କାରଣ ସବୁବେଳେ କ୍ରୀଡ଼ା ହିଁ ଦୁନିଆକୁ ଏକାଠି କରି ରଖିଛି। ତେଣୁ ବିସିସିଆଇ, ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ଓ ଆଇସିସି ସଠିକ୍‌ ନିଷ୍ପତ୍ତି ନେବେ ବୋଲି ସମସ୍ତଙ୍କ ଆଶା ଅଛି।
ପ୍ରଶ୍ନ: ଦୀର୍ଘ ବର୍ଷଧରି ଜାତୀୟ ଦଳରେ ଓଡ଼ିଶା ଖେଳାଳିଙ୍କୁ ଦେଖିବାକୁ ମିଳୁନାହିଁ। କେଉଁଠି ଅସୁବିଧା ରହୁଛି?
ପ୍ରଜ୍ଞାନ: ବର୍ତ୍ତମାନ କେବଳ ଓଡ଼ିଶା ନୁହେଁ ସବୁ ରାଜ୍ୟର ଖେଳାଳିମାନଙ୍କୁ ଭାରତୀୟ ଦଳକୁ ଯିବାକୁ ହେଲେ ସେମାନଙ୍କୁ ସ୍ଥିର ପ୍ରଦର୍ଶନ ଦେବାକୁ ହେବ। ଖୁସିର ଖବର ଯେ ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ଏବେ ଜାତୀୟ ଚୟନକର୍ତ୍ତା ଅଛନ୍ତି। ତେଣୁ ଓଡ଼ିଶା ଖେଳାଳିଙ୍କ ପାଇଁ ଏହା ଭଲ ସୁଯୋଗ। ଚୟନକର୍ତ୍ତା ଭାବେ ଆମର ଜଣେ ବ୍ୟକ୍ତି ରହିଲେ ତାହା ଖେଳାଳିଙ୍କୁ ଉତ୍ସାହିତ କରିବ। ସେମାନେ ଯଦି ସ୍ଥିର ପ୍ରଦର୍ଶନ କରନ୍ତି ତାହେଲେ ନିଶ୍ଚିତ ଭାବେ ଜାତୀୟ ଦଳରେ ସ୍ଥାନ ପାଇବେ। ଏଥିସହିତ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରତିଦ୍ବନ୍ଦ୍ବିତା ମନୋଭାବ ଦରକାର। ସେଥିରେ ଧ୍ୟାନକେନ୍ଦ୍ରିତ କରିବାକୁ ହେବ। ମୁମ୍ବାଇ ଭଳି କ୍ରିକେଟ୍‌ ସ˚ଘରେ ପର୍ଯ୍ୟାପ୍ତ ମ୍ୟାଚ୍‌ ଅଭ୍ୟାସ ରଖାଯାଉଥିବାରୁ ସେମାନଙ୍କ ଖେଳାଳିଙ୍କ ପ୍ରଦର୍ଶନ ସବୁବେଳେ ଉଚ୍ଚକୋଟୀର ହୋଇପାରୁଛି।
ପ୍ରଶ୍ନ: ଓଡ଼ିଶା କ୍ରିକେଟ୍‌ ଲିଗ୍‌ ବିଷୟରେ କ’ଣ କହିବେ?
ଓଡ଼ିଶାରେ ଏବେ ଯେଉଁ ଟ୍ବେଣ୍ଟି-୨୦ ଲିଗ୍‌ ଖେଳାଯାଇଛି ତାହା ସମସ୍ତଙ୍କ ପାଇଁ ଆବଶ୍ୟକ ଥିଲା। ଏଠାରେ ମୁଖ୍ୟ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ହେଉଥିବା ବେଳେ ଫ୍ଲଡ୍‌ ଲାଇଟ୍‌ରେ ଖେଳିବାକୁ ସୁଯୋଗ ମିଳୁଛି। ଖେଳାଳିମାନଙ୍କୁ ଏହି ସ୍ତରରେ ସବୁଠୁ ଅଧିକ ସୁବିଧା ସୁଯୋଗ ମିଳୁଛି। ହେଲେ ଜଣେ ଖେଳାଳିର ଦାୟିତ୍ବ, ସେ କେମିତି ପ୍ରଦର୍ଶନ କରିବ। ଆଗକୁ ବଢିବାକୁ ହେଲେ ପ୍ରତ୍ୟେକ ମ୍ୟାଚ୍‌ରେ ସ୍ଥିର ପ୍ରଦର୍ଶନ ଦେବାକୁ ପଡ଼ିବ। ପୂର୍ବରୁ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ସ˚ଜୟ ରାଉଳ ସ୍ଥିର ପ୍ରଦର୍ଶନ ଦେଇଥିବାରୁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଓଡ଼ିଶା ପିଲାଙ୍କୁ ମଧ୍ୟ ସେଭଳି ଖେଳିବାକୁ ହେବ।

The post ବର୍ଣ୍ଣବୈଷମ୍ୟ ଘଟଣାକୁ ଯେଉଁମାନେ ସହୁଛନ୍ତି କିମ୍ବା ଚୁପ୍‌ ରହୁଛନ୍ତି, ସେମାନେ ଭୁଲ୍‌ କରୁଛନ୍ତି: ପ୍ରଜ୍ଞାନ first appeared on Sambad.


No comments

Powered by Blogger.