Header Ads

Header ADS

କେବେ ଓଟିପି, କେବେ ଏଟିଏମ୍‌; କେନ୍ଦୁଝର ଜିଲ୍ଲାରେ ୨୦୨୦ରେ ୪୫ଟି ସାଇବର ଅପରାଧ ମାମଲା ରୁଜୁ


କେନ୍ଦୁଝର : ୨୦୨୦ ବର୍ଷରେ କେନ୍ଦୁଝର ଜିଲ୍ଲାରେ ମୋଟ ୪୫ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ବର୍ଷ ଶେଷ ସୁଦ୍ଧା ମାତ୍ର ୮ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି ଏବଂ ୩୭ଟି ମାମଲାର ତଦନ୍ତ ବାକି ଅଛି। ଯାହାକି ନୈରାଶ୍ୟଜନକ। ମିଳିଥିବା ସୂଚନା ଅନୁସାରେ, ସାଇବର ଅପରାଧକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି। ଯେପରି କ୍ରେଡିଟ କାର୍ଡ ବା ଡେବିଟ୍‌ କାର୍ଡ ଠକେଇ, ଅନ୍‌ଲାଇନ ବ୍ୟାଙ୍କିଙ୍ଗ ଠକେଇ, ଏଟିଏମ୍‌ ଠକେଇ, ଓଟିପି ଠକେଇ, ଚିଟିଂ କେସ୍‌, ଅରୁଚିକର ଫଟୋ-ତଥ୍ୟ ପ୍ରକାଶ କରିବା, ଯୌନ କେଳେଙ୍କାରୀ ତଥ୍ୟ ପ୍ରକାଶ କରିବା, ଶିଶୁ ଯୌନ ନିର୍ଯାତନା ସଂପର୍କିତ ତଥ୍ୟ ପ୍ରକାଶ କରିବା ଆଦି ରହିଛି।

ଏହି ସାଇବର କ୍ରାଇମ ମଧ୍ୟରୁ ସର୍ବାଧିକ ହେଉଛି ଟଙ୍କା ଠକେଇ। କେନ୍ଦୁଝର ଜିଲ୍ଲାରେ ୨୦୨୦ରେ ୧୫ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ କୌଣସି ଗୋଟିଏ ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇ ପାରିନାହିଁ। ସେହିପରି ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ଠକେଇ ନେଇ ୭ଟି ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ଗୋଟିଏ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି। ଏଟିଏମ୍‌ ଠକେଇ ମାମଲା ୭ଟି ହୋଇଥିବା ବେଳେ ୨ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି ଏବଂ ଆହୁରି ୫ଟି ମାମଲା ଏବେ ବି ତଦନ୍ତାଧୀନ ରହିଛି। ସେହିପରି ଓଟିପି ଠକେଇ ମାମଲା ୪ଟି ରୁଜୁ ହୋଇଥିବା ବେଳେ ୨ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। ୨୦୨୦ ମସିହାରେ ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡ ଠକେଇ ନେଇ ଗୋଟିଏ ମାମଲା ରୁଜୁ ହୋଇଛି। ମାତ୍ର ଏହି ମାମଲାର ଚାର୍ଜସିଟ୍‌ ଦାଖଲ ହୋଇନାହିଁ। ସେହିପରି ଅରୁଚିକର ଫଟୋ ଏବଂ ତଥ୍ୟ ପ୍ରକାଶ କରିବା ନେଇ ୮ଟି ମାମଲା ରୁଜୁ ହୋଇଥିବା ବେଳେ ୩ଟି ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି। ‌ସେହିପରି ‌‌ଯୌନ ନିର୍ଯାତନା ସଂପର୍କିତ ତଥ୍ୟ ପ୍ରକାଶ କରିବା ନେଇ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଏହାର ଚାର୍ଜସିଟ୍‌ ଦାଖଲ ସରିଛି। ମୋଟାମୋଟି ଭାବେ କେନ୍ଦୁଝର ଜିଲ୍ଲା‌ରେ ସାଇବର ଅପରାଧ ମାମଲା ପଞ୍ଜୀକରଣ ସଂଖ୍ୟା ୪୫ ହୋଇଥିବା ବେଳେ ଚାର୍ଜସିଟ୍‌ ଦାଖଲ ହୋଇଥିବା ମାମଲା ସଂଖ୍ୟା ହେଉଛି ମାତ୍ର ୮ଟି। ଏଥିରୁ ଗୋଟିଏ କଥା ସ୍ପ‌ଷ୍ଟ ହେଉଛି ଯେ ସାଇବର ଅପରାଧ ମାମଲା ରୁଜୁ ପରେ ତଦନ୍ତରେ ଅଗ୍ରଗତି ହେଉନି। ଏହାର ମୁଖ୍ୟ କାରଣ ହେଉଛି କେନ୍ଦୁଝର ଜିଲ୍ଲାରେ ନାହିଁ ସାଇବର ଥାନା। ଦ୍ବିତୀୟରେ ସ୍ବତନ୍ତ୍ର ସାଇବର ଥାନାର କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ସ୍ବତନ୍ତ୍ର ତାଲିମ ଦିଆଯିବା ସହିତ ନୂଆ ନୂଆ କୌଶଳରେ ହେଉଥିବା ଅପରାଧକୁ ରୋକିବା ଦିଗରେ ମଧ୍ୟ ତାଲିମ ମିଳିପାରିଥାନ୍ତା। କିନ୍ତୁ ସାଇବର ଥାନା ନ ଥିବାରୁ ଏ ସବୁ ସମ୍ଭବ ହେଉନାହିଁ।

The post କେବେ ଓଟିପି, କେବେ ଏଟିଏମ୍‌; କେନ୍ଦୁଝର ଜିଲ୍ଲାରେ ୨୦୨୦ରେ ୪୫ଟି ସାଇବର ଅପରାଧ ମାମଲା ରୁଜୁ first appeared on Sambad.


No comments

Powered by Blogger.