Header Ads

Header ADS

ନୀଳାଚଳ ଇସ୍ପାତ ନିଗମର ସ୍ଥାପନା ଓ ପରବର୍ତ୍ତୀ ଘଟଣାକ୍ରମ ଏମିତି…


ରାଜ୍ୟରେ ଦ୍ବିତୀୟ ଇସ୍ପାତ କାରଖାନା ସ୍ଥାପନ ପାଇଁ ବିଜୁବାବୁଙ୍କ ସ୍ବପ୍ନ ୧୯୯୦ ନିର୍ବାଚନ ଇସ୍ତାହାର ପାଲଟିବା ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ (ଜେବି) ପଟ୍ଟନାୟକଙ୍କ ସରକାର ରାଜ୍ୟ ଓ କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକର ମିଳିତ ଉଦ୍ୟୋଗରେ ୧୯୮୨ରେ ପଞ୍ଜୀକୃତ କରିଥିଲେ ନୀଳାଚନ ଇସ୍ପାତ ନିଗମ। ଦୁଇ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଏବ˚ ଶିଳ୍ପ ବିକାଶ ଓ ପୁଞ୍ଜି ନିବେଶ ନିଗମ (ଇପିକଲ୍‌)ର ଅ˚ଶ ଯଥାକ୍ରମେ ୨୦.୪୭% ଓ ୧୨% ଥିଲା ବେଳେ ମୁଖ୍ୟ ଅ˚ଶୀଦାର ଏମ୍‌ଏମ୍‌ଟିସିର ୪୯.୭୮%, ଜାତୀୟ ଖଣିଜ ବିକାଶ ନିଗମ (ଏନ୍‌ଏମ୍‌ଡ଼ିସି)ର ୧୦.୧୦%, ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିଃ (ଭେଲ୍‌) ଓ ମେକନ୍‌ ଇଣ୍ତିଆ ୦.୬୮% ଲେଖାଏଁ ଅ˚ଶ ନିବେଶ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ୧୯୯୦ରେ ବିଜୁବାବୁଙ୍କ ଜନତା ଦଳ ସରକାର କ୍ଷମତାସୀନ ହେବା ପରେ ଡୁବୁରୀରେ ଦ୍ବିତୀୟ ଇସ୍ପାତ କାରଖାନା ସ୍ଥାପନ ପାଇଁ ଶିଳ୍ପପତି ସ୍ବରାଜ ପଲ୍‌ଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ ସତ, ମାତ୍ର ଅନ୍ତର୍ଜାତୀୟ ଇସ୍ପାତ ବଜାରରେ ମାନ୍ଦାସ୍ଥିତି ଯୋଗୁଁ ସେ ଆଗ୍ରହ ପ୍ରକାଶ କରିନଥିଲେ। ଜେବି ସରକାର ୧୯୯୫ରେ ପୁନଃକ୍ଷମତାସୀନ ହେବା ପରେ ନୀଳାଚଳ ଇସ୍ପାତ କାରଖାନା ପାଇଁ ଡୁବୁରୀରେ ୨୫୦୦ ଏକର ଜମି ଓ କଞ୍ଚାମାଲ ଚାହିଦା ପୂରଣ ଲକ୍ଷ୍ୟରେ କୋଇଡ଼ାରେ ୧୧ କୋଟି ଟନ୍‌ ଲୁହାପଥର ଗଚ୍ଛିତ ଖଣି ଲିଜ୍‌ ଦେଇଥିଲେ। ବାର୍ଷିକ ୧୧ ଲକ୍ଷ ଟନ୍‌ ଉତ୍ପାଦନ କ୍ଷମତାର ନୀଳାଚଳ ଇସ୍ପାତ ପ୍ଲାଣ୍ଟ ନିର୍ମିତ ହେବା ସହ ୨୦୦୨ ମସିହାରେ ପରୀକ୍ଷାମୂଳକ ଉତ୍ପାଦନ ଆରମ୍ଭ ହୋଇଥିଲା। ଏହି କାରଖାନା ୨୦୦୪-୦୫ ବର୍ଷ ବେଳକୁ ବିଦେଶକୁ ସର୍ବାଧିକ ପିଗ୍‌ ଆଇରନ୍‌ ରପ୍ତାନୀ କରି ଖ୍ୟାତି ଅର୍ଜନ କରିଥିଲା। ପିଗ୍‌ ଆଇରନ୍‌ ରପ୍ତାନୀରେ ସଫଳତା ସହ ଏଥିରୁ ଉତ୍ପାଦିତ ଲ୍ୟାମ୍‌ କୋକ୍‌, ନଟ୍‌ କୋକ୍‌, ବ୍ରିଜ୍‌ କୋକ୍‌ ପୂର୍ବ ଭାରତରେ ଥିବା ସରକାରୀ ଓ ଘରୋଇ ଷ୍ଟିଲ୍‌ ପ୍ଲାଣ୍ଟଗୁଡ଼ିକର ଚାହିଦା ପୂରଣ କରିଥିଲା। ଏହାର କାମଧେନୁ ସାର ମଧୢ ସ୍ଥାନୀୟ ଚାହିଦା ହାସଲ କରିଥିଲା। ଏହାଛଡ଼ା ଏଥିରୁ ଉତ୍ପାଦିତ ଅଶୌଧିତ ଆଲକାତରାର ବଜାର ଚାହିଦାକୁ ଦେଖି ଏକଦା ନାଲ୍‌କୋ ସେଠାରେ ପୁଞ୍ଜିନିବେଶ କରିବାକୁ ମଧୢ ଆଗ୍ରହ ପ୍ରକାଶ କରିଥିଲା।

ବିଡ଼ମ୍ବନା ହେଲା, ଅନ୍ତର୍ଜାତୀୟ ବଜାରରେ ଇସ୍ପାତ ଚାହିଦା ବୃଦ୍ଧି ପାଇଥିଲେ ମଧୢ ନୀଳାଚଳ ଇସ୍ପାତ ନିଗମର ବ୍ୟାବସାୟିକ ଅଭିବୃଦ୍ଧି କିମ୍ବା ସମ୍ପ୍ରସାରଣ ଦିଗରେ ଅ˚ଶୀଦାରମାନେ ଗୁରୁତ୍ବ ଦେଇନଥିଲେ; ଯଦିଓ ଏହି କାରଖାନାର ଉତ୍ପାଦନକୁ ବାର୍ଷିକ ୧ କୋଟି ଟନ୍‌ରେ ପହଞ୍ଚାଇବା ଲାଗି ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ସୂଚନାଯୋଗ୍ୟ, ଦୁଇଟି ପର୍ଯ୍ୟାୟରେ ବାର୍ଷିକ ଉତ୍ପାଦନ କ୍ଷମତାକୁ ୫୦ ଲକ୍ଷ ଟନ୍‌ରେ ପହଞ୍ଚାଇବା ଲାଗି ୨୦୧୫ରେ ୫,୬୦୦ କୋଟି ଟଙ୍କାର ସମ୍ପ୍ରସାରଣ ପ୍ରସ୍ତାବ ଗୃହୀତ ହୋଇଥିଲା। ସେଥିରେ ମୁଖ୍ୟ ଅ˚ଶୀଦାର ଏମ୍‌ଏମ୍‌ଟିସି ୪୦୦ କୋଟିରୁ ୫୦୦ କୋଟି ନିବେଶ କରିବାକୁ ପ୍ରସ୍ତାବ ଥିଲା। ମାତ୍ର ମାଛ ତେଲରେ ମାଛ ଭାଜି ଆସିଥିବା ଏହି କେନ୍ଦ୍ରୀୟ ଉଦ୍ୟୋଗ ତାହା କରିନଥିଲା। କଞ୍ଚାମାଲ ଯୋଗାଣ ଓ ଉତ୍ପାଦିତ ସାମଗ୍ରୀ ବିକ୍ରିର ଏକଚାଟିଆ ଅଧିକାର ପାଇଥିବା ଏମ୍‌ଏମ୍‌ଟିସି ଏହି ଯୁଗ୍ମ ଉଦ୍ୟୋଗରେ ମାତ୍ର ୩୬୮ କୋଟି ଟଙ୍କା ବିନିଯୋଗ କରିଥିବା ବେଳେ କେନ୍ଦୁଝର ଖଣିରୁ ଲୁହାପଥର ଓ ବିଦେଶରୁ କୋଇଲା ଆମଦାନ କରି ଯୋଗାଇଥିବା ବାବଦରେ ୯୯୪ କୋଟି ଟଙ୍କା ଓ ଉତ୍ପାଦିତ ସାମଗ୍ରୀ ବିକ୍ରି ବାବଦରେ ଆଉ ୧୬୦ କୋଟି ଟଙ୍କା କମିଶନ୍‌ ହାତେଇଛି। ସମ୍ଭବତଃ କମିଶନ୍‌ ଲୋଭରେ ୧୯୯୯ରୁ ଲିଜ୍‌ ପାଇଥିବା ଏହାର ନିଜସ୍ବ ଖଣିରୁ ଦୀର୍ଘ ୨୧ ବର୍ଷ ପରେ ମଧୢ ଖଣିଜ ଉତ୍ତୋଳନ କରାନଯିବା ଏଭଳି ଚକ୍ରାନ୍ତର ଅ˚ଶବିଶେଷ। ଏପରିକି ୪ ବର୍ଷ ପୂର୍ବରୁ ଜଙ୍ଗଲ ଓ ପରିବେଶ ବିଭାଗ ମଞ୍ଜରୀ ପାଇଥିବା ସତ୍ତ୍ବେ ଖଣି କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ନହେବା ଏହି ସନ୍ଦେହକୁ ଅଧିକ ଘନୀଭୂତ କରିଛି। କାରଣ ନିଜସ୍ବ ଖଣିରୁ ଲୁହାପଥର ଚାହିଦା ପୂରଣ ହୋଇଥିଲେ କାରଖାନା ବାର୍ଷିକ ୨୫୦ କୋଟି ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ହୋଇଥାନ୍ତା।

ଅନ୍ୟ ପକ୍ଷରେ ନୀଳାଚଳ ଇସ୍ପାତର ଭିତ୍ତିଭୂମି ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ଓ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିଃ (ଆର‌୍‌ଆଇଏନ୍‌ଏଲ୍‌) ଏହାକୁ ଅଧିଗ୍ରହଣ କରିବା ଲାଗି ଏକାଧିକ ବାର ବିଚାରବିମର୍ଶ କରିଥିଲେ ମଧୢ ଅଦ୍ୟାବଧି କୌଣସି ଅଗ୍ରଗତି ଘଟିନାହିଁ। ଏପରିକି ଟାଟା ଷ୍ଟିଲ ମଧୢ ଅନୁରୂପ ଆଗ୍ରହୀ ବୋଲି ଶୁଣାଯାଇଥିଲା। ଇତିମଧୢରେ ଓଡ଼ିଶା ଖଣି ଓ ଇସ୍ପାତ ଶିଳ୍ପକୁ ପ୍ରବେଶ କରିଥିବା ଆର୍ସେଲର‌୍‌ ମିତ୍ତଲ ଏବ˚ ଜିନ୍ଦଲ୍‌ ଷ୍ଟିଲ୍‌ ଵର୍କ୍ସ (ଜେଏସ୍‌ଡ଼ବ୍ଲ୍ୟୁ) ଭଳି କମ୍ପାନିମାନେ ମଧୢ ନୀଳାଚଳ ଇସ୍ପାତ କାରଖାନା କିଣିବାକୁ ଆଗ୍ରହୀ ହେବା ସ୍ବାଭାବିକ। ମାତ୍ର ବିସ୍ମୟଜନକ ହେଲା-କେନ୍ଦ୍ର ସରକାରଙ୍କ ପୁଞ୍ଜିନିବେଶ ଓ ସରକାରୀ ସମ୍ପତ୍ତି ବିଭାଗ (ଡିପମ୍‌) ଏସବୁ ସମ୍ଭାବନା ନଖୋଜି ବର୍ଷେ ହେଲା ନୀରବ! ତେଣୁ କାରଖାନା ପୁଣି କେବେ ଚାଲିବ ଓ ହତଭାଗ୍ୟ କର୍ମଚାରୀଙ୍କ ମୁହଁରେ ହସ ଫୁଟିବ-ଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିବା ସ୍ବାଭାବିକ।

The post ନୀଳାଚଳ ଇସ୍ପାତ ନିଗମର ସ୍ଥାପନା ଓ ପରବର୍ତ୍ତୀ ଘଟଣାକ୍ରମ ଏମିତି... first appeared on Sambad.


No comments

Powered by Blogger.