Header Ads

Header ADS

ଓଡ଼ିଶାରେ ଶୀଘ୍ର ୧୨ ଖଣି ନିଲାମ ହେବ


ଭୁବନେଶ୍ବର : ଖୁବ୍‌ଶୀଘ୍ର ଓଡ଼ିଶାରେ ୧୧/୧୨ଟି ଖଣି ନିଲାମ ହେବ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଖଣିଜ ସମୃଦ୍ଧ ଓଡ଼ିଶାକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ଦେଶରେ ଖଣିଜ ପଦାର୍ଥର ଉତ୍ତୋଳନ ଓ ଉତ୍ପାଦନ ଯେପରି ବ୍ୟାହତ ନ ହୁଏ ସେଥିପାଇଁ ସବୁମତେ ଉଦ୍ୟମ କରାଯାଉଛି। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର କେତେକ ଆଇନକୁ ସଂଶୋଧନ କରିବେ। ଓଡ଼ିଶାରେ ସ୍ୱତନ୍ତ୍ର ଭାବେ ଲୁହାପଥର ଉତ୍ତୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ । ଦୁଇଟି ଖଣିକୁ ଓଡ଼ିଶା ଖଣି ନିଗମକୁ ଦେବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହାଛଡା ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମକୁ ମଧ୍ୟ ଆଉ ଏକ ଖଣି ଦେବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ଓଡ଼ିଶା ଖଣି ନିଗମ ଲିମିଟେଡ୍‌ (ଓଏମ୍‌ଇସିଏଲ୍‌) ଏବଂ ଖଣିଜ ଉତ୍ତୋଳନ ନିଗମ ଲିମିଟେଡ (ଏମ୍ଇସିଏଲ୍‌) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ତଦନୁସାରେ ଓଏମ୍ଇସିଏଲ୍‌ ପାଇଁ ଏମ୍‌ଇସିଏଲ୍‌ ଖଣିଜ ଉତ୍ତୋଳନ କରିବ। ଏହାଦ୍ୱାରା ରାଜ୍ୟରେ ଥିବା ଖଣିଜ ସମ୍ପଦର ଉତ୍ତୋଳନ ଓ ବିନିଯୋଗ ଦକ୍ଷତା ବଢିବ। ଏହା ମଧ୍ୟ ଖଣିଜ ପଦାର୍ଥର ସର୍ଭେ ଓ ଖନନରେ ସହାୟକ ହେବ ବୋଲି ଶ୍ରୀ ଯୋଶୀ କହିଛନ୍ତି।

ନାଲ୍‌‌କୋର ୪୧ତମ ପ୍ରତିଷ୍ଠା ଦିବସରେ ଅଂଶଗ୍ରହଣ ବେଳେ ସେ କହିଛନ୍ତି ଯେ ଆସନ୍ତା ୨୦୨୭-୨୮ ସୁଦ୍ଧା ନାଲ୍‌କୋ ସମ୍ପ୍ରସାରଣ ଏବଂ ବ୍ୟବସାୟରେ ବିବିଧତା ଆଣିବା ଲାଗି ୩୦ ହଜାର କୋଟି ଟଙ୍କା ବିନିଯୋଗ କରିବ। ବକ୍ସାଇଟ୍‌ ପରିବହନ ବ୍ୟବସ୍ଥାରେ କଂପାନି ଉନ୍ନତି ଆଣୁଛି। ଆଲୁମିନା ଉତ୍ପାଦନକୁ ମଧ୍ୟ ନାଲ୍‌କୋ ବଢ଼ାଇବାକୁ ଯୋଜନା ରଖିଛି ବୋଲି ସେ କହିଛନ୍ତି। କୋଲ୍‌ ଇଣ୍ଡିଆ ରାଜ୍ୟରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏହା ଓଡ଼ିଶାର ଅର୍ଥନୀତିକୁ ତ୍ବରାନ୍ବିତ କରିବାରେ ବିଶେଷ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଓଡ଼ିଶାରେ ଖଣି ଉତ୍ପାଦନକୁ ବଢ଼ାଇବାକୁ ସେ ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ଶ୍ରୀ ଯୋଶୀ କହିଛନ୍ତି ଯେ ଖଣି ନିଲାମରେ ଉପରଠାଉରିଆ ନିଲାମଧାରୀମାନେ ଯେପରି ଅଂଶଗ୍ରହଣ କରି ନ ପାରନ୍ତି ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ ଓ ସେମାନଙ୍କୁ ଏଥିରୁ ବାଦ ଦିଆଯିବ। ଓଡ଼ିଶାରେ ଖଣିଗୁଡିକର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏ କ୍ଷେତ୍ରରେ ଥିବା କେତେକ ନୀତି ନିୟମକୁ କୋହଳ କରିବାକୁ ଚିନ୍ତା କରାଯାଉଛି। ଖଣିଜ ଉତ୍ପାଦନ ପ୍ରକ୍ରିୟାକୁ ଅବ୍ୟାହତ ରଖିବା ପାଇଁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ମାଧ୍ୟମରେ ଏହି ନୂଆ ସଂଶୋଧିତ ଖଣି ଆଇନ-୨୦୨୦ ଆଣିଥିଲେ। ଜାନୁଆରି ୨୦୨୦ରେ ଜାରି ହୋଇଥିବା ଏହି ଅଧ୍ୟାଦେଶ ଅନୁସାରେ ରାଜ୍ୟ ସରକାରମାନେ ନିଜ ରାଜ୍ୟରେ ଥିବା ଖଣିଗୁଡିକର ନିଲାମ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିପାରିବେ। ଏହା ଫଳରେ ପ୍ରଚଳିତ ଲିଜ୍‌ ଅବଧି ଶେଷ ହେବା ପୂର୍ବରୁ ନୂଆ ଲିଜ୍‌ଧାରୀଙ୍କ ସମ୍ପର୍କରେ ରାଜ୍ୟ ସରକାରମାନଙ୍କୁ ନିଷ୍ପତ୍ତି ନେବାକୁ ପଡିବ। ଦ୍ୱିତୀୟତଃ ଆହୁରି ମଧ୍ୟ ନିଷ୍ପତ୍ତି ହୋଇଥିଲା ଯେ ଖଣିର ନୂଆ ଲିଜ୍‌ଧାରୀଙ୍କୁ ସ୍ୱୟଂକ୍ରିୟ ଭାବେ ଅନୁମୋଦନ ଓ ମଞ୍ଜୁରି ଦୁଇ ବର୍ଷ ପାଇଁ ହସ୍ତାନ୍ତରିତ କରାଯିବ। ଯେଉଁଦିନଠାରୁ ନୂଆ ଲିଜଧାରୀ ଅନୁମତି ପାଇବେ ସେହିଦିନଠାରୁ ଦୁଇବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ନୂଆ ମାଲିକ ଆବେଦନ କରି ନୂତନ ମଞ୍ଜୁରି ପାଇପାରିବେ। ଏହି ପ୍ରକ୍ରିୟା ଫଳରେ ନୂଆ ମାଲିକମାନେ ଝାମେଲାମୁକ୍ତ ଭାବେ ଖଣି କାର୍ଯ୍ୟ କରିବାକୁ ସଫଳ ହେବେ ବୋଲି ଶ୍ରୀ ଯୋଶୀ କହିଛନ୍ତି।

The post ଓଡ଼ିଶାରେ ଶୀଘ୍ର ୧୨ ଖଣି ନିଲାମ ହେବ first appeared on Sambad.


No comments

Powered by Blogger.