ନନ୍ଦନକାନନରେ ୧୪ ହଜାର ପର୍ଯ୍ୟଟକ, କୋଭିଡ୍ କଟକଣା ହଟିବା ପରେ ସର୍ବାଧିକ
ବାରଙ୍ଗ/ ତ୍ରିଶୁଳିଆ : ରବିବାର ୧୪ ହଜାରରୁ ଊର୍ଧ୍ବ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲି ଦେଖିଛନ୍ତି। କୋଭିଡ୍ କଟକଣା ହଟିବା ପରେ ନନ୍ଦନକାନନରେ ଏହି ସଂଖ୍ୟା ସର୍ବାଧିକ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏହା ପୂର୍ବରୁ ଗତ ୧ ତାରିଖ (ଶୁକ୍ରବାର ଦିନ) ୧୨ ହଜାର ୪୩୯ ଖଣ୍ଡ ଟିକେଟ୍ ବିକ୍ରି ହୋଇଥିଲା। ନୂଆବର୍ଷର ପ୍ରଥମ ରବିବାର ସାଙ୍ଗକୁ ଅନୁକୂଳ ପାଗ ଯୋଗୁଁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିବା କୁହାଯାଉଛି। ଆଜି ମୋଟ ୧୪ ହଜାର ୭୮୩ଜଣ ପର୍ଯ୍ୟଟକ ବୁଲି ଆସିଥିବା ଟିକେଟ୍ ବିକ୍ରିରୁ ଜଣାପଡ଼ିଛି। ଏହି ଟିକେଟ୍ ମଧ୍ୟରେ ଅନଲାଇନ୍ ୧୪ହଜାର ୭୭ ଟିକେଟ୍ ଥିବା ବେଳେ ୭୦୬ଖଣ୍ଡ ଅଫଲାଇନ୍ ଟିକେଟ୍ ରହିଛି। କୋଭିଡ୍ କଟକଣା ହଟିବା ପରେ ଆଜି ପର୍ଯ୍ୟନ୍ତ ସର୍ବମୋଟ ୨ଲକ୍ଷ ୧୫ ହଜାର ୯୬୯ଟିକେଟ୍ ବିକ୍ରି ହୋଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସେହିଭଳି ଆଜି ରାଜ୍ୟ ଉଦ୍ଭିଦ ଉଦ୍ୟାନର ଟିକେଟ୍ ସର୍ବାଧିକ ୧୩୨୮ଖଣ୍ଡ ବିକ୍ରି ହୋଇଥିବା ସୂଚନା ମିଳିଛି।
ଗତବର୍ଷ ଡିସେମ୍ବର ୨୫ ତାରିଖ ଅର୍ଥାତ୍ ବଡ଼ଦିନ ପରଠାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। କ୍ରମଶଃ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଉତ୍ସାହିତ ହୋଇଛନ୍ତି।
The post ନନ୍ଦନକାନନରେ ୧୪ ହଜାର ପର୍ଯ୍ୟଟକ, କୋଭିଡ୍ କଟକଣା ହଟିବା ପରେ ସର୍ବାଧିକ first appeared on Sambad.
No comments