କିଏ ହାତେଇବ ବିଏମ୍ସି
ଭୁବନେଶ୍ବର : ରାଜ୍ୟର ସବୁଠୁ ବଡ଼ ପୌରସଂସ୍ଥା ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ କେବେ ହେବ, ସେନେଇ କିଛି ସ୍ଥିର ହୋଇନି। କିନ୍ତୁ ରାଜନୀତି ପାଣିପାଗ କହୁଛି, ୨୦୨୧ ଶେଷାର୍ଦ୍ଧରେ (ଅକ୍ଟୋବରରୁ ଡିସେମ୍ବର) କିମ୍ବା ୨୦୨୨ ପ୍ରଥମାର୍ଦ୍ଧ (ଜାନୁଆରିରୁ ମାର୍ଚ୍ଚ) ମଧ୍ୟରେ ନିର୍ବାଚନ ହେବ। ଜାନୁଆରି, ୨୦୧୯ରୁ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ବିଏମ୍ସି ଶାସନ ଡୋରି ଏବେ ପ୍ରଶାସକଙ୍କ ହାତରେ ଅଛି। କେଉଁ ୱାର୍ଡରେ କ’ଣ ଉନ୍ନତିମୂଳକ କାମ ହେବ, କିପରି ହେବ, ତା’ର ନିଷ୍ପତ୍ତି ବିଏମ୍ସି ଅଧିକାରୀମାନେ ନେଉଛନ୍ତି। ଲୋକପ୍ରତିନିଧି ନଥିବାରୁ ଅଧିକାଂଶ କ୍ଷେତ୍ରରେ ଲୋକ ଯାହା ଚାହୁଛନ୍ତି, ତାହା ହେଉନି। ଏପରିକି ୱାର୍ଡସ୍ତରରେ ଲୋକଙ୍କ ସମସ୍ୟା ସମାଧାନ ହେଉନି। ତେଣୁ ସମସ୍ତଙ୍କ ନଜର ବିଏମ୍ସି ନିର୍ବାଚନ ଉପରେ।
ରାଜ୍ୟ ରାଜନୀତିରେ ବିଏମ୍ସିର ମେୟର ଓ କର୍ପୋରେଟର୍ମାନଙ୍କର ଦବ୍ଦବା ରହୁଥିବାରୁ ଏବଂ ରାଜ୍ୟର ସହରାଞ୍ଚଳ ଭୋଟ୍ ହାତେଇବାକୁ ହେଲେ ୬୭ ୱାର୍ଡ ବିଶିଷ୍ଟ ବିଏମ୍ସି କିଏ ଦଖଲ କରିବ, ସେନେଇ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲେ। ତେଣୁ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଏବେଠୁ ନିର୍ବାଚନ ମନସ୍କ ହେଲେଣି। କିଏ କେତେ ୱାର୍ଡ ଦଖଲ କରିବ, ସେନେଇ ଅଙ୍କକଷା ହେଲାଣି। ତାହାକୁ ନଜରରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ୱାର୍ଡସ୍ତରରେ ପଦଯାତ୍ରାଠାରୁ ଆରମ୍ଭ କରି ଶିଳାନ୍ୟାସ, ଉଦ୍ଘାଟନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ବି ଜୋରଦାର୍ ହେଲାଣି। ନୂଆବର୍ଷ ପାଇଁ ଆଶାୟୀଙ୍କ ଶୁଭେଚ୍ଛା ବ୍ୟାନର୍ ମଧ୍ୟ ଛାଇ ଗଲାଣି।
ନୂଆବର୍ଷରେ ନୂଆ ଆହ୍ବାନ ନେଇ ଆଶାୟୀ ପ୍ରାର୍ଥୀମାନେ ବାହାରିବାକୁ ଅଣ୍ଟା ଭିଡ଼ିଲେଣି। ସମ୍ବଳ ଯୋଗାଡ଼ ସହ କେଉଁ ନେତାଙ୍କ ଲବିରେ ଟିକେଟ୍ ମିଳିବ, ସେନେଇ ବି କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ଆଶାୟୀ। ଏପରିକି କିଛି ଆଶାୟୀ ଟିକେଟ୍ ନ ମିଳିଲେ କି ଆଶା କରିଥିବା ଦଳରୁ ସମର୍ଥନ ନମିଳିଲେ, ଦଳ ଡେଇଁବେ ନା ସ୍ବାଧୀନ ଭାବେ ଲଢ଼ିବେ, ସେନେଇ ବି ମାନସିକସ୍ତରରେ ପ୍ରସ୍ତୁତ ହେଲେଣି। ଗତ ନିର୍ବାଚନରେ ୪୯ଟି ସିଟ୍ ଜିତିଥିବା ବିଜେଡି କାଉନସିଲ୍ ଶେଷ ହେବା ବେଳକୁ ୬୫ଟି ସିଟ୍ ହାତେଇ ନେଇଥିଲେ ବି ଏଥର ସେତିକି ୱାର୍ଡରେ ବିଜୟ ହାସଲ କରିବା ଚାଲେଞ୍ଜ ହେଲାଣି। ବିଜେପି ନେତା ପୂର୍ବଥର ଅପେକ୍ଷା ଏଥର ଅଧିକ ସକ୍ରିୟ ହୋଇଯାଇଥିବା ବେଳେ କଂଗ୍ରେସ ପୂର୍ବଥର ଅପେକ୍ଷା ଏଥର ଦୁର୍ବଳ ହୋଇଯାଇଛି। ତେଣୁ ଏଥର ବିଜେଡି-ବିଜେପି ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ହେବେ, ତାହା ଜଳଜଳ ଦିଶିଲାଣି।
ପ୍ରସଙ୍ଗ ହେବ ଘର, ଜଳବନ୍ଦୀ, ବେକାରୀ ସମସ୍ୟା
ଆସନ୍ତା ବିଏମ୍ସି ନିର୍ବାଚନରେ ବିଜେପି ଓ ବିଜେଡି କ’ଣ ପ୍ରସଙ୍ଗ କରିବେ, ତାହା ଏବେ ଏକରକମ ସ୍ପଷ୍ଟ ହୋଇଗଲାଣି। ଉଭୟ ଦଳ ବସ୍ତି ଭୋଟରଙ୍କୁ ହାତେଇବା ପାଇଁ ବସ୍ତି ବାସିନ୍ଦାଙ୍କୁ ଘର ଯୋଜନା କଥା ଉଠାଇବେ।
ରାଜଧାନୀରେ ଖୁବ୍ ଶୀଘ୍ର ୫ ହଜାର ବସ୍ତିବାସିନ୍ଦାଙ୍କୁ ଘର ଦିଆଯିବାକୁ ଥିବା ବେଳେ ଆଗକୁ ପ୍ରାୟ ୩୦ ହଜାର ବସ୍ତିବାସିନ୍ଦାଙ୍କୁ ଘର ଦିଆଯିବ। ଯାହାକୁ ବିଜେଡି ପ୍ରସଙ୍ଗ କରିବ। ତେଣୁ ବସ୍ତିବାସିନ୍ଦା ଘର ପାଇବା ଆଶାରେ ବିଜେଡି ଆଡ଼କୁ ଢଳି ପାରନ୍ତି। କିନ୍ତୁ ବିଜେପିର ପ୍ରସଙ୍ଗ ରହିଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଯାଉଥିବା ବେଳେ ବିଜେଡି ଏହାକୁ ନିଜ ଯୋଜନା କହି ବାଟବଣା କରୁଛି। ବିଜେପି କ୍ଷମତାକୁ ଆସିଲେ ସମସ୍ତଙ୍କୁ ଘର ମିଳିବ। ଯେଉଁଠି ବସ୍ତିବାସିନ୍ଦା ଘର କରିଛନ୍ତି ସେହି ଜମିର ପଟ୍ଟା ମିଳିବ। ଏନେଇ ବିଜେପି ପକ୍ଷରୁ ଦରଖାସ୍ତ ମଧ୍ୟ ସଂଗ୍ରହ ସରିଛି।
ଏହାବାଦ୍ ପୂରା ରାଜଧାନୀ ଜଳବନ୍ଦୀ ସମସ୍ୟାରେ ଜର୍ଜରିତ ହେଉଥିବାବେଳେ ବିଜେପି ଏହାକୁ ପ୍ରସଙ୍ଗ କରିବ। ବିଜେଡି ଦଖଲରେ ବିଏମ୍ସି ଥିଲେ ହେଁ ସବୁ ଅଞ୍ଚଳରେ ଡ୍ରେନ୍ ହେଲାନି କି ଜଳବନ୍ଦୀ ସମସ୍ୟା ହେଲାନି ବୋଲି କହିବ। କିନ୍ତୁ ବିଜେଡି ପ୍ରସଙ୍ଗ କରିବ ଯେ, ରାଜଧାନୀର ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ହଜାରେ କୋଟିର ପ୍ୟାକେଜ୍ ଘୋଷଣା କରିଥିବା ବେଳେ ୧୦୦କୋଟି ଦେଇସାରିଲେଣି। ସବୁ ଅଞ୍ଚଳରେ ଡ୍ରେନ୍ ନିର୍ମାଣ ଚାଲିଛି। ବର୍ଷକ ମଧ୍ୟରେ ରାଜଧାନୀରେ ଆଉ ଜଳବନ୍ଦୀ ସମସ୍ୟା ରହିବନି। ଏହାବାଦ୍ ସ୍ବୟଂସହାୟିକା ଗୋଷ୍ଠୀଗୁଡ଼ିକୁ ଅଧିକ ରୋଜଗାରକ୍ଷମ କରିବା ପାଇଁ ବିଏମ୍ସି ସ୍ବଚ୍ଛସାଥୀ, ଜନସ୍ବାସ୍ଥ୍ୟ ବିଭାଗ ଜଳସାଥୀ ଭାବେ ନିେୟାଜିତ କରିଛି। ଯାହାକୁ ବିଜେଡି ପ୍ରସଙ୍ଗ କରିବ।
ବିଜେପିର ପ୍ରସଙ୍ଗ ରହିବ ଯେ ରାଜଧାନୀରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ବିଜେପି କ୍ଷମତାକୁ ଆସିଲେ ଯୁବକ/ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ବିଜେଡି ମଧ୍ୟ ବେକାରୀ ସମସ୍ୟା ଦୂର ପାଇଁ କ’ଣ ପଦକ୍ଷେପ ନେବ, ତାହା କହିବ।
The post କିଏ ହାତେଇବ ବିଏମ୍ସି first appeared on Sambad.
No comments